ମତଦାନ ପୂର୍ବରୁ ନଗଦ ୪୨୮ କୋଟି ଟଙ୍କା ଓ ସୁନା-ରୁପା ଜବତ
5/04/2021 at 3:26 PM

ଚେନ୍ନାଇ ୦୫/୦୪ : ତାମିଲନାଡୁ ନିର୍ବାଚନ ପାଇଁ ମଙ୍ଗଳବାର ୬ ତାରିଖ ଦିନ ମତଦାନ ହେବ। ମତଦାନ ପୂର୍ବରୁ ରାଜ୍ୟରୁ ମୋଟ ୪୨୮ କୋଟି ନଗଦ ଟଙ୍କା ଓ ସୁନା-ରୁପା ଜବତ ହୋଇଛି। ନିର୍ବାଚନ ଆୟୋଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଜବତ ହୋଇଥିବା ଜିନିଷ ମଧ୍ୟରେ ନଗଦ ୨୨୫.୫ କୋଟି ଟଙ୍କା ଓ ୧୭୬.୧୧ କୋଟି ମୂଲ୍ୟର ସୁନା-ରୁପା ରହିଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ସପ୍ତାହ ଧରି ଚଢ଼ଉ ଚାଲିଥିଲା। ରାଜଧାନୀ ଚେନ୍ନାଇର କିଛି ସ୍ଥାନରୁ ନଗଦ ଟଙ୍କା ତଥା ସୁନା-ରୁପା ଜବତ ହୋଇଛି। ଚଢ଼ଉ ବେଳେ ମଦ ମଧ୍ୟ ଜବତ ହୋଇଛି।
ରାତି ଓ ଭୋର ସମୟରେ ଚଢ଼ଉ ଜୋରଦାର କରାଯାଇଥିଲା। ଫଳରେ ଗତ ୨୪ ଘଣ୍ଟାରେ ବହୁ ମାତ୍ରାରେ ରେ ଟଙ୍କା ଓ ସୁନା-ରୁପା ଜବତ ହୋଇଛି। ନିର୍ବାଚନ ଆୟୋଗ ଅନୁଯାୟୀ, ରାନିପେଟ ଜିଲ୍ଲାରେ ୯୧.୫୬ ଲକ୍ଷ ଟଙ୍କା, ଚେନ୍ନାଇ ଥାଉଜେଣ୍ଡ ଲାଇଟ୍ସ ବିଧାନସଭା ଆସନରୁ ୧.୨୩ କୋଟି ଟଙ୍କା ତଥା ସଲେମ ବିରାପଣ୍ଡୀରୁ ୧.୧୫ କୋଟି ଟଙ୍କା ଜବତ ହୋଇଛି।
ନିର୍ବାଚନ ଆୟୋଗ ବିଜ୍ଞପ୍ତି ଅନୁସାରେ, ମତଦାନ ପୂର୍ବର ୭୨ ଘଣ୍ଟା ଖର୍ଚ୍ଚ ଦୃଷ୍ଟିକୋଣରୁ ବହୁତ ସମ୍ବେଦନଶୀଳ। ସେଥିପାଇଁ ସିଏପିଏଫ ସହ ମିଳିତ ଭାବେ ୨୪ ଘଣ୍ଟା ନଜର ରଖାଯାଇଥିଲା।