ଏଣିକି ଡ୍ରପ୍ ବକ୍ସ ଜରିଆରେ ହାଇକୋର୍ଟରେ ଦାୟର ହେବ ମାମଲା, ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍‌ରେ ବି ଆବେଦନ

Published By : Prameya-News7 Bureau | August 02, 2020 IST

କଟକ ୨।୮: ଅତି ଗୁରୁତ୍ତ୍ବପୂର୍ଣ୍ଣ ମାମଲା ଥିଲେ ଏଣିକି ଡ୍ରପ ବକ୍ସ ଜରିଆରେ ଲୋକମାନେ ହାଇକୋର୍ଟରେ ମାମଲା ଦାଏର କରିପାରିବେ । କିନ୍ତୁ କାହିଁକି ମାମଲାଟି ଗୁରୁତ୍ତ୍ବପୂର୍ଣ୍ଣ, ସେ ସମ୍ପର୍କରେ ଆବେଦନକାରୀଙ୍କୁ ଏକ ମେମୋ ପିଟିସନ କପି ସହ ଡ୍ରପ ବକ୍ସରେ ଦେବାକୁ ପଡିବ। କୋଭିଡ୍ କଟକଣା ଥିବା ପର୍ଯ୍ୟନ୍ତ ଅତି ଗୁରୁତ୍ବପୂର୍ଣ୍ଣ ମାମଲା କ୍ଷେତ୍ରରେ ଏହିପରି ଭାବେ ଡ୍ରପ ବକ୍ସ ଜରିଆରେ ହାଇକୋର୍ଟରେ ମାମଲା ଦାଏର କରିହେବ ବୋଲି ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଡ୍ରପ ବକ୍ସ ଜରିଆରେ ପିଟିସନ ଦାଖଲ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ସବୁ ପ୍ରକାର କୋଭିଡ୍ କଟକଣାକୁ କଡାକଡି ପାଳନ କରିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କୋଭିଡ୍ କଟକଣା ଯୋଗୁଁ ପୂର୍ବ ପରି ହାଇକୋର୍ଟରେ ମାମଲାର ଇ-ଫାଇଲିଂ ପୋର୍ଟାଲ ଜରିଆରେ ଜାରି ରହିବ । ଇ-ଫାଇଲିଂରେ କୌଣସି ବୈଷୟିକ ଅସୁବିଧା ହେଲେ ଆବେଦନକାରୀମାନେ ଆଇନଜୀବୀ ଅଶୋକ ମଲ୍ଲିକଙ୍କୁ ୯୪୩୭୮୭୦୮୭୩, ଆଇନଜୀବୀ ସୁଜିତ ରଂଜନ ସାହୁଙ୍କୁ ୬୩୭୧୧୮୫୫୬୯, ଶୁଭ ରଂଜନ ମନ୍ତ୍ରୀଙ୍କୁ ୯୭୭୮୨୬୦୩୧୮ ଓ ଆଇନଜୀବୀ ଆଶୀଷ କୁମାରଙ୍କୁ ୬୨୦୧୨୨୭୬୦୦ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଇ-ମେଲ୍ ଯୋଗେ ଲୋକମାନେ [email protected] ମେଲ୍ ଆଇଡିରେ ପିଡିଏଫ୍ ଫର୍ମାଟରେ ମାମଲା ଦାଏର କରିପାରିବେ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଇ-ମେଲ୍ ଯୋଗେ ମାମଲା ଦାଖଲ କରିବାରେ କୌଣସି ଅସୁବିଧା ହେଲେ ଲୋକମାନେ ଆଇନଜୀବୀ ପ୍ରଭାକର ବେହେରାଙ୍କୁ ୭୦୦୮୧୭୧୧୪ ନମ୍ବରରେ ଓ ସୁବାଷ ଚନ୍ଦ୍ର ସରଙ୍କୁ ୮୭୬୩୬୪୪୦୨୨ ନମ୍ବରରେ ଯୋଗାଯୋଗ କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

{"id":308855,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.