ତେଜସ୍ୱୀ ଯାଦବ ଏବଂ ଭଉଣୀ ମୀସା ଭାରତୀଙ୍କ ନାଁରେ ମାମଲା, ୫ କୋଟି ନେଇ ଟିକେଟ୍‌ ଦେଇନଥିବା ଅଭିଯୋଗ

Published By : Prameya-News7 Bureau | September 22, 2021 IST

ପାଟଣା ୨୨/୦୯:  ମୋଟାଅଙ୍କର ଟଙ୍କା ନେଇ ମଧ୍ୟ ଟିକେଟ୍‌ ନଦେବା ଯୋଗୁଁ  ଆର୍‌ଜେଡି ମୁଖ୍ୟ ତଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଓ ରାଜ୍ୟସଭା ସାଂସଦ ମୀସା ଭାରତୀଙ୍କ ସମେତ ୬ ଜଣଙ୍କ ନାଁରେ  ମାମଲା ରୁଜୁ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ମଦନମୋହନ ଝା, ସଦାନନ୍ଦ ସିଂହ, ଶୁଭାନନ୍ଦ ମୁକେଶ ଓ କଂଗ୍ରେସ ପ୍ରବକ୍ତା ରାଜେଶ ରାଠୌରଙ୍କ ବିରୋଧରେ କୋତୱାଲି ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।  ଏହାବ୍ୟତୀତ ଅଭିଯୁକ୍ତ ସଦାନନ୍ଦ ସିଂହଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ପୁଅ ଶୁଭାନନ୍ଦଙ୍କ ଉପରେ ମମଲା ହୋଇଛି ।

ସୁପ୍ରିମକୋର୍ଟ ଓକିଲ ତଥା ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ନେତା ସଂଜୀବ କୁମାର ସିଂହ ଆର୍‌ଜେଡି ନେତା ଓ କଂଗ୍ରେସ ନେତାଙ୍କ ଉପରେ ଟଙ୍କା ନେଇ ଲୋକସଭା ଟିକେଟ୍  ଦେଇନଥିବାରୁ ସେମାନଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ସିଜେଏମ୍‌ କୋର୍ଟରେ ମୁକଦ୍ଦମା ଦାଏର କରିଛନ୍ତି । ପାଟଣାର ମୁଖ୍ୟ ନ୍ୟାୟିକ ବିଚାରପତି ବିଜୟ କିଶୋର ସିଂହ ମାମଲାର ଶୁଣାଣି କରିବା ସହିତ ସେପ୍ଟେମ୍ବର ୧୬ ତାରିଖରେ ଏସ୍ଏସ୍‌ପିଙ୍କ ଦ୍ୱାରା କୋତୱାଲୀ ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସଂଜୀବ କୁମାର ସିଂହ ଅଗଷ୍ଟ ୧୮ ତାରିଖରେ ପାଟଣାର ସିଜେଏମ୍ ଅଦାଲତରେ ମାମଲା ରୁଜୁ କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ ତେଜସ୍ୱୀ-ମୀସାଙ୍କ ସମେତ କଂଗ୍ରେସ ନେତାମାନେ ଭାଗଲପୁରରୁ ଲୋକସଭା ଟିକେଟ୍‌ ଦେବା ପାଇଁ ୨୦୧୯ ଜାନୁଆରୀ ୧୫ ତାରିଖରେ ୫ କୋଟି ଟଙ୍କା ନେଇଥିଲେ।  କିନ୍ତୁ ସେଠାରେ ସୈଳେଶ କୁମାରଙ୍କୁ ଟିକେଟ୍ ଦିଆଯାଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଦୁଇଟି ବିଧାନସଭା ଟିକେଟ ଦେବାକୁ ତେଜସ୍ବୀ ପ୍ରତିଶ୍ରୁତି ଦେଇଥିଲେ ହେଁ ମିଳିନଥିଲା ବୋଲି ସଂଜୀବ ଅଭିଯୋଗ କରିଛନ୍ତି। ଏନେଇ ଫୋନ୍‌ କରିବାକୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା ବୋଲି ମଧ୍ୟ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ସଂଜୀବ କୁମାର ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.