ହାତୀ କିମ୍ବା ମେସିନ୍ ଦ୍ୱାରା ରଥଟଣା ପାଇଁ ହାଇକୋର୍ଟଙ୍କ ପରାମର୍ଶ, ନିୟୋଜିତ ହେବେନି ୧୮ରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସର ସେବକ

Published By : Prameya-News7 Bureau | June 14, 2020 IST

ପୁରୀ, ୧୪|୦୬ :   ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୮ ଦିନ ବାକିଥିବାବେଳେ ରଥଯାତ୍ରାକୁ ନେଇ ହାଇକୋର୍ଟଙ୍କ ପରାମର୍ଶକୁ ନେଇ ଜୋର ଧରିଛି ଆଲୋଚନା ପର୍ଯ୍ୟାଲୋଚନା। ରଥଯାତ୍ରା ବେଳକୁ ଯଦି କରୋନା ପ୍ରକୋପ କମିନଥିବ, ହାତୀ କିମ୍ବା ମେସିନ ଦ୍ବାରା ରଥ ଟାଣିବା ବିକଳ୍ପ ଉପରେ ସରକାର ବିଚାର କରିବା ନେଇ କୋର୍ଟ ଦେଇଛନ୍ତି ପ୍ରସ୍ତାବ । ହାଇକୋର୍ଟଙ୍କ ପ୍ରସ୍ତାବ ପରେ ରଥଟାଣିବା ନେଇ ବିକଳ୍ପ ବ୍ୟବସ୍ଥା ସଂପର୍କରେ ଆଲୋଚନା ଆରମ୍ଭ ହୋଇଛି। ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତ ଓ ପୋଲିସଙ୍କ ସହାୟତାରେ ରଥଯାତ୍ରା ପାଇଁ ବ୍ୟବସ୍ଥା ହେଉଛି। ଆଜି ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥଟାଣିବା ପାଇଁ ୬୦ ଜଣଙ୍କ ତାଲିକା ଦିଆଯାଇଛି।

{"id":286309,"width":691,"height":426,"sizeSlug":"large"}

ରଥଯାତ୍ରା ବେଳକୁ ଯଦି କରୋନା ପ୍ରକୋପ କମିନଥିବ ହାତୀ କିମ୍ବା ମେସିନ ଦ୍ବାରା ରଥ ଟାଣିବା ବିକଳ୍ପ ଉପରେ ସରକାର ବିଚାର କରନ୍ତୁ । ରଥଯାତ୍ରା ନେଇ ଆଡଭୋକେଟ ଦିଲୀପ ରାୟଙ୍କ ଦ୍ବାରା  ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ରଥ ଗୁଡିକୁ ଟାଣିବା ପାଇଁ ୭ରୁ ୮ଶହ ଲୋକଙ୍କୁ ନିୟୋଜିତ କରିବାକୁ ପଡିବ। କରୋନା ସଂକ୍ରମଣ ଦୃଷ୍ଟିରୁ ଏତେ ସଂଖ୍ୟକ ଲୋକ ଏକାଠି ହେବା ଉଚିତ ହେବନି ବୋଲି ଆଡଭୋକେଟ ଦିଲ୍ଲୀପ ରାୟ ତାଙ୍କ ଆବେଦନରେ ଦର୍ଶାଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

{"id":286310,"width":684,"height":456,"sizeSlug":"large"}

ହାତୀ କିମ୍ବା ମେସିନ୍ ଦ୍ବାରା ରଥଟାଣିବା ପାଇଁ ବିକଳ୍ପ ବ୍ୟବସ୍ଥା ନେଇ ହାଇକୋର୍ଟଙ୍କ ପରାମର୍ଶ ପରେ ରଥଟଣାକୁ ନେଇ ଆଲୋଚନା ପର୍ଯାଲୋଚନା ଆରମ୍ଭ ହୋଇଛି । ଆଜି ରଥଯାତ୍ରା ଆୟୋଜନ ନେଇ ଦଇତାପତି ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। ସେପଟେ ସୁଦ୍ଧସୁଆର ନିଯୋଗ ପକ୍ଷରୁ ରଥଟାଣିବା ପାଇଁ ୬୦ ଜଣିଆ ତାଲିକା ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦିଆଯାଇଛି। ତେବେ ରଥଟଣାରେ ନିୟୋଜିତ ହେବେନି ୧୮ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ସେବକ। ରଥକୁ ମେସିନ୍ ଦ୍ବାରା ଟଣାଯିବା ପ୍ରସଙ୍ଗକୁ ବିରୋଧ କରାଯାଇଥିବା ବେଳେ ହାତୀ ଦ୍ବାରା ଟାଣିବା ପ୍ରସ୍ତାବକୁ ସ୍ବାଗତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ନିଯୋଗକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ହିଁ ନୀତି ସମ୍ପାଦନର ସୂଚୀ ଦିଆଯାଇଛି।

ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ନୀତି ଚାଲିଛି। ୪ ଦିନ ଧରି ଚାଲିଥିବା ଓଷ ଲାଗିର ଆଜି ଶେଷ ଦିନ। ଆସନ୍ତାକାଲି ଚକା ବିଜେ ବିଶ୍ରାମ ପରେ ଏକାଦଶୀରେ ଦଶମୂଳମୋଦକ ଲାଗି ହେବ। ଏପଟେ ତିନିରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାରାଭାଡ଼ି ଉଠି ଖପୁରୀ ଲାଗିବା କାର୍ଯ୍ୟ ସରିଛି। ପ୍ରତି ରଥର ଚାରଟି ଲେଖାଏଁ ଦୁଆରଘଡ଼ା ପ୍ରସ୍ତୁତ ସରିଛି। ବର୍ଷା ସତ୍ତ୍ବେ ତିନି ରଥର ଚାରିପାଖରେ ଭୋଇ ସେବକଙ୍କ ଦ୍ବାରା ପଟା ବାଡ଼ିଆ କାର୍ଯ୍ୟ ଚାଲିଛି।

ରଥକାମ ଆଗେଇ ଚାଲିଥିବା ବେଳେ ଏବେ ଅପେକ୍ଷା କେବଳ ରାଜ୍ୟ ସରକାରଙ୍କ ଘୋଷଣାକୁ। ରଥଟଣାରେ ହାତୀ ବ୍ୟବହାର ହେଉଛି କି କେବଳ ସେବାୟତ ଓ ପୋଲିସ ଦ୍ବାରା ରଥଟଣା ହେବ ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.