ଅଣାୟତ୍ତ କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି
3/02/2020 at 8:56 AM

ଭୁବନେଶ୍ବର ୦୩।୦୨: ଚୀନ ପରେ ସାରା ବିଶ୍ବରେ କାୟା ମେଲାଉଛି କରୋନା ଭାଇରସ । ଚୀନରେ ମୃତ୍ୟୁସଂଖ୍ୟା ୩୬୧କୁ ବୃଦ୍ଧି ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିସାରିଲାଣି । ଏବେ ଆଉ ୫୬ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବିଶ୍ବର ୨୫ଟି ଦେଶକୁ ଏବେ ବ୍ୟାପିସାରିଲାଣି କରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଡଭାଇଜରି ଜାରି କରିଛନ୍ତି । କରୋନା ଭାଇରସର ଆତଙ୍କ ବ୍ୟାପିବାରେ ଲାଗିଥିବାରୁ ଚୀନକୁ ଭ୍ରମଣରେ ନଯିବାକୁ ଆଡଭାଇଜରି ଜାରି ହୋଇଛି । ଚୀନର ପଡୋଶୀ ଦେଶରୁ ଭ୍ରମଣରେ ଆସୁଥିବ ପର୍ଯ୍ୟଟକମାନଙ୍କୁ ସ୍ବତନ୍ତ୍ର ନୀରିକ୍ଷଣରେ ରଖାଯାଇ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ ଆହୁରି କୁହାଯାଇଛି ଯେ ଯେଉଁ ମାନେ ଜାନୁଆରୀ ୧୫ ପରେ ଚୀନ୍ ଯାଇଥିବେ , ସେମାନଙ୍କୁ ମଧ୍ୟ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ନୀରିକ୍ଷଣ କରାଯିବ। କ୍ୟାବିନେଟ ସେକ୍ରେଟାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କରୋନା ଭାଇରସ ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା ପରେ ଆଡଭାଇଜରି ଜାରି କରାଯାଇଛି । ବୈଠକରେ ସ୍ବାସ୍ଥ୍ୟ, ବିଦେଶ , ସ୍ବରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଯୋଗ ଦେଇଥିଲେ ।

କରୋନା ଭାଇରସ ଆତଙ୍କକୁ ଦୃଷ୍ଟିରରେ ରଖି ସୁରକ୍ଷା ଦୃଷ୍ଟିରୁ ଭାରତ ସରକରାର ଚୀନ୍ ନାଗରିକଙ୍କ ଅନଲାଇନ୍ ଭିସା ଆବେଦନ ଉପରେ ସାମୟିକ କଟକଣା ଜାରି କରାଯାଇଛି । ଏହାସହ ଚୀନରେ ଥିବା ଅନ୍ୟ ବିଦେଶୀ ନାଗରିକଙ୍କ ଭିଜା ଆବେଦନ ଉପରେ ମଧ୍ୟ କଟକଣା ଜାରି ହୋଇଛି ।