ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଲାଗି ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
1/02/2020 at 6:16 PM

ସୁରଟ ୧।୨: ଗୁଜୁରାଟ ସୁରଟରେ ଏକ ଅଣାୟତ୍ତ କାର ରାସ୍ତାକଡ ବିଦ୍ୟୁତ ଖୁଣ୍ଟରେ ଧକ୍କା ଲାଗି ଜଳିଯାଇଛି। ତେବେ କାରରେ ବସିଥିବା ଲୋକେ ଦୁର୍ଘଟଣାରୁ ସୁରକ୍ଷିତ ବର୍ତ୍ତିଯିବା ଏବେ ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି। ଏହି ଦୁର୍ଘଟଣା ଗତ ଜାନୁୟାରୀ ୩୦ରେ ଘଟିଥିଲା। ତେବେ ଦୁର୍ଘଟଣା ସ୍ଥଳ ନିକଟରେ ଥିବା ଏକ ଘରର ସିସିଟିଭିରେ ଦୁର୍ଘଟଣା ବେଳର ଛବି ରେକର୍ଡ ହୋଇଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି।
ଦୁର୍ଘଟଣା ବେଳେ ରାସ୍ତାରେ କେହି ନଥିଲେ। ତେବେ ଜଣେ ବ୍ୟକ୍ତି ରାସ୍ତାରେ ଟହଲୁଥିବା ବେଳେ ଅଚାନକ କାରଟି ତାଙ୍କ ଆଡକୁ ମାଡି ଆସିବାରୁ ସେ ଦୌଡି ପଳାଇଯାଇଥିବା ବେଳେ କାରଟି ରାସ୍ତାକଡରେ ପାର୍କ ହୋଇଥିବା ଦୁଇ ଚକିଆ ବାହାନ ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ସହ ଧକ୍କା ଲାଗିଥିଲା। ଫଳରେ ଅଚାନକ କାରଟି ହୁତ ହୁତ ହୋଇ ଜଳିବାକୁ ଲାଗିଥିବା ବେଳେ କାର ଧକ୍କାରୁ ବର୍ତ୍ତିଥିବା ଯୁବକଟି କାରରୁ ସମସ୍ତଙ୍କୁ ବାହାରକୁ ଆଣିଥିଲା।
ରାସ୍ତାରେ କାର ଧକ୍କା ହେବାର ଶବ୍ଦ ଶୁଣି ଅନ୍ୟ ଲୋକ ବି ଘଟଣା ସ୍ଥଳରେ ପହଞ୍ଚିଯାଇଥିଲେ। ସେତିକି ବେଳେ କାରଟି ଅଧିକ ଜୋରରେ ଜଳିବାକୁ ଲାଗିଥିଲା। ଲୋକେ ସହାୟତା କରି କାରରେ ଥିବା ମହିଳାଙ୍କୁ ବହୁ କଷ୍ଟରେ ବାହାରକୁ ବାହାର କରିଥିଲେ।