ନାବାଳିକାଙ୍କୁ ଅପହରଣ କରିନେଉଥିବା ବେଳେ ନଦୀକୁ ଖସିଲା କାର, ୩ ମୃତ, ଦୁଇ ଗୁରୁତର
27/01/2021 at 9:07 PM

ଇଟାଓ୍ବା ୨୭/୦୧: ନାବାଳିକାକୁ ଅପହରଣ କରି ନେଉଥିଲେ। ନଦୀକୁ ଖସିପଡ଼ିଲା କାର। ନାବାଳିକାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ଇଟାଓ୍ବା ଜିଲ୍ଲାର ବିଠୌଲି ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳର ଜଣେ ନାବାଳିକାକୁ କାର ଯୋଗେ ଅପହରଣ କରି ନେଉଥିବା ବେଳେ କାରଟି ଯମୁନା ନଦୀକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ନାବାଳିକାକଙ୍କ ସମେତ ୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣଙ୍କ ଶବ ଉଦ୍ଧାର କରିଥିଲେ। ଏହା ସହ ଅନ୍ୟ ଦୁଇ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅପହୃତ ୧୩ ବର୍ଷୀୟା ବାଳିକାର ପରିଚୟ ମିଳିଥିବା ପୋଲିସ କହିଛି। ନାବାଳିକାଙ୍କ ବାପା କରିୟାବାଲି ଗାଁର ଚୁନମୁନ ତିଓ୍ବାରୀ ଓ କିଛି ସାଥିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ନାବାଳିକାଙ୍କ ପିତାଙ୍କ ଅଭିଯୋଗକ୍ରମେ ତାଙ୍କ ଝିଅ ପଡ଼ୋଶୀ ଗାଁ ଚୁରେପୁରାରୁ ଫେରୁଥିବା ବେଳେ କାରରେ ଆସି ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିଥିଲେ। ତେବେ କାରରେ ୪ ଜଣ ଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ସୁସ୍ଥ ହେବା ପରେ ପୁରା ମାମଲାର ପର୍ଦ୍ଦାଫାସ ହୋଇପାରିବ ବୋଲି ଏସପି ଅପର୍ଣ୍ଣା ଗୌତମ କହିଛନ୍ତି।