ଖୁସି ଖବର : ଏପ୍ରିଲ ୧ ତାରିଖରୁ ବଢିବ ନାହିଁ କାର ଏବଂ ବାଇକର ବୀମା ରାଶି
30/03/2019 at 1:28 PM

ବାଙ୍ଗାଲୁରୁ ୩୦/୩ : ବୀମା ରେଗୁଲେଟରି ଅଥରିଟି ଗାଡିଵାଲାଙ୍କ ପାଇଁ ନୂଆ ଖବର ଆଣିଛି | ବାଇକ, କାର କିମ୍ବା ବ୍ୟବସାୟ ପାଇଁ ବ୍ୟବହୃତ ହେଉଥିବା ଗାଡ଼ିଗୁଡ଼ିକର ବୀମା ରାଶି ବୃଦ୍ଧି ପାଇବନାହିଁ | ପ୍ରତ୍ୟେକ ବର୍ଷ ଏପ୍ରିଲ ୧ ତାରିଖରୁ ମୋଟର ଥାର୍ଡ଼ ପାର୍ଟି ଇନ୍ସୁରାନ୍ସ ପ୍ରିମିୟମରେ ୨୦ରୁ ୪୦ ପ୍ରତିଶତ ବୃଦ୍ଧି ପାଇଥାଏ | ଗତବର୍ଷ ବାଇକ, କାର ଏବଂ ଟ୍ୟାକ୍ସିର ଇନ୍ସୁରାନ୍ସ ପ୍ରିମିୟମରେ ୧୦-୨୦ ପ୍ରତିଶତ ହ୍ରାସ କରାଯାଇଥିଲା |

ଚଳିତ ଆର୍ଥିକ ବର୍ଷରେ ବୀମା ରେଗୁଲେଟରି ଆଣ୍ଡ ଡେଭେଲପ୍ମେଣ୍ଟ ଅଥୋରିଟି ଅଫ ଇଣ୍ଡିଆ ବୀମା ପ୍ରିମିୟମରେ ବୃଦ୍ଧି ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ରେଗୁଲେଟରି ଥାର୍ଡ଼ ପାର୍ଟି ମୋଟର କଭରରେଜ ଦର ନିର୍ଧାରଣ କରିଥାଏ | ବ୍ୟକ୍ତିଗତ ଦୁର୍ଘଟଣା ମାମଲାରେ ଦର ନିର୍ଧାରଣ ଅନୁମତି ବୀମା କର୍ତ୍ତାଙ୍କୁ ଦେଇଥାଏ | ଚଳିତବର୍ଷ ବୀମା ରାଶି ୨୦ ରୁ ୩୦ ପ୍ରତିଶତ ବୃଦ୍ଧି ପାଇବା ବୋଲି ଆଶଙ୍କା କରାଯାଇଥିଲା କିନ୍ତୁ ଏଭଳି ହୋଇନଥିଲା | ଉପଭୋକ୍ତା ରେଗୁଲେଟରି ଅଥୋରିଟିଙ୍କ ଏହି ନିର୍ଣ୍ଣୟକୁ ସ୍ୱାଗତ ଜଣାଇଛନ୍ତି |

ଗୁରୁବାର ଦିନ ଆଇଆରଡ଼ିଏଆଇ କହିଥିଲେ ଯେ, ୨୦୧୮ ମସିହା ଏପ୍ରିଲ ୧ ତାରିଖରେ ଲାଗୁ କରାଯାଇଥିବା ପ୍ରିମିୟମ ଦର ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଲାଗୁ ହେବ | ଅର୍ଥାତ ବୀମା ପାଇଁ ଲୋକେ ଯେତିକି ପ୍ରିମିୟମ ଦେଉଥିଲେ ଆସନ୍ତା ନୋଟିସ ଆସିବା ପର୍ଯ୍ୟନ୍ତ ସେତିକି ପ୍ରିମିୟମ ହିଁ ଦେବେ | ୭୫ ସିସି ଠାରୁ କାମ ଇଂଜିନ ଯୁକ୍ତ ବାଇକ ବା ସ୍କୁଟିର ପ୍ରିମିୟମ ପୂର୍ବ ଭଳି ୪୨୭ ଟଙ୍କା ହିଁ ରହିବ | ୭୫ ରୁ ୧୫୦ ସିସି ଇଂଜିନ ଯୁକ୍ତ ବାଇକ କିମ୍ବା ସ୍କୁଟିର ପ୍ରିମିୟମ ୭୨୦ ଟଙ୍କା ରହିବ | ହାଇପାୱାର ବାଇକ ଦର ମଧ୍ୟ ପୂର୍ବ ଭଳି ୯୮୫ ଟଙ୍କା ରହିବ |

ଛୋଟ କାର ମାଲିକଙ୍କୁ ୧୮୫୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ | ଏସୟୁଭିର ପ୍ରିମିୟମ ୭୮୯୦ ଟଙ୍କା ହେବ | ଅଟୋର ଦର ୨୫୯୫ ଟଙ୍କା ରହିବ ଏବଂ ଇ-ରିକ୍ସାର ଦର ୧୬୮୫ ଟଙ୍କା ରହିବ | ଛୋଟ ଟ୍ୟାକ୍ସି ପାଇଁ ପ୍ରିମିୟମ ୫୪୩୭ ଟଙ୍କା ଏବଂ ବଡ ବଡ କାମର୍ସିୟାଲ ଗାଡି ପାଇଁ ପ୍ରିମିୟମ ୭୧୪୭ ଟଙ୍କା ଦେବାକୁ ପଡିବ |