ବ୍ୟାସନଦୀରେ ଭାସୁଛି ହରିୟାଣା ନମ୍ବର କାର, ଯାତ୍ରୀ ଓ ଚାଳକ ନିଖୋଜ

Published By : Prameya-News7 Bureau | September 19, 2021 IST

ମଣ୍ଡି ୧୯।୯:  ହରିୟାଣା ମଣ୍ଡି ପୋଲିସ ଜାତୀୟ ରାଜମାର୍ଗର ବିନ୍ଦ୍ରାବନୀ ନିକଟରେ ବ୍ୟାସ ନଦୀକୁ ଖସିପଡିଥିବା ଏକ ହ୍ୟୁଣ୍ଡାଇ ଭେର୍ଣ୍ଣା କାରକୁ ଉଦ୍ଧାର କରିଛି। ତେବେ ଏଥିରେ ଯାତ୍ରା କରୁଥିବା ଯାତ୍ରୀ ଅଥବା ଚାଳକଙ୍କର ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ନାହିଁ। ରାଜମାର୍ଗର  ଯେଉଁ ସ୍ଥାନରେ କାର ନଦୀକୁ ଖସିପଡିଛି ସେଠାରେ ଜଳସ୍ରୋତ ପ୍ରଖର। ଏଣୁ କାରରେ ସବାର ଯାତ୍ରୀମାନେ ଭାସି ଯାଇଥିବାର ଆଶଙ୍କା କରାଯାଉଛି। ଏଣୁ ଜିଲ୍ଲା ପ୍ରଶାସନ ବୁଡାଳିଙ୍କୁ ଲଗାଇ ତଲାସ ଅଭିଯାନ ଚଳାଇଛି। 

ରବିବାର ସକାଳ ପ୍ରାୟ ୮ଟା ବେଳେ କାରଟି ସଡକରେ ଅନିୟନ୍ତ୍ରିତ ହୋଇ ସିଧା ନଦୀକୁ ଖସିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କାରଟି ନଦୀକୁ ଖସିବା ନେଇ ଲୋକେ ପୋଲିସକୁ ସୂଚିତ କରିଥିଲେ। ସୂଚନା ଆଧାରରେ ପୋଲିସ ପହଞ୍ଚି ନଦୀରେ ଭାସୁଥିବା କାରଟିକୁ ଉଦ୍ଧାର କରିଥିଲେ ହେଁ ଯାତ୍ରୀଙ୍କ କୌଣସି ସନ୍ଧାନ ପାଇ ନଥିଲା। ଏଚଆର୪୨-ଜି-୭୦୦୭ ନମ୍ବରର କାରକୁ ତଲାସ କରାଯିବା ବେଳେ ଏଥିରୁ କେବଳ ଏକ ଆରସି ମିଳିଛି। ଏଥିରୁ କାରଟି ହରିୟାଣାର ବୋଲି ସ୍ପଷ୍ଟ ହୋଇଯାଇଥିଲା।

ଆରସିରୁ ମିଳିଥିବା ଠିକଣାରେ ପୋଲିସ ମାଲିକଙ୍କ ସହ ଯୋଗାଯୋଗ କରିବାରୁ ସେ ତାଙ୍କ କାରକୁ କାହାକୁ ମନାଲୀ ବୁଲି ଯିବାକୁ ଦେଇଥିବାର ସୂଚିତ କରିଥିଲେ। ତେବେ ତାଙ୍କ ସହ କାରରେ କେତେ ଜଣ ଯାତ୍ରା କରୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଛି। ତେବେ ଚାଳକ ଅଥବା ଏଥିରେ ଥିବା ଯାତ୍ରୀ ଜଣେ ହେଲେ ବି ମିଳୁ ନାହାନ୍ତି ବୋଲି ମଣ୍ଡି ଏସପି ଶାଲିନୀ ଅଗ୍ନିହୋତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.