ପିଚ୍ ବିବାଦକୁ ନେଇ କୋହଲିଙ୍କ ଜବାବ୍, 'ଯେବେ ଆମେ ୩ ଦିନରେ ମ୍ୟାଚ୍ ହାରିଲୁ, ସେହି ସମୟରେ ତ କେହି କିଛି କହିନଥିଲେ'

Published By : Prameya-News7 Bureau | March 03, 2021 IST

ଅହମ୍ମଦାବାଦ ୦୩।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତାକାଲିଠୁ ଖେଳାଯିବ। ଭାରତ ବର୍ତ୍ତମାନ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ଚେନ୍ନାଇ ଓ ଅହମ୍ମଦାବାଦରେ ସ୍ପିନ ଟ୍ରାକରେ ଇଂଲଣ୍ଡକୁ ସହଜରେ ପରାସ୍ତ କରିଛି। ତୃତୀୟ ମ୍ୟାଚ୍ ଦୁଇ ଦିନରେ ଶେଷ ହେବା ପରେ ପିଚ୍‌କୁ ନେଇ ଅନେକ ବିତର୍କ ହୋଇଛି। ତୃତୀୟ ମ୍ୟାଚ୍‌ ପରଠୁ ବିଶ୍ଵର ଅନେକ ଦିଗ୍‌ଜ କ୍ରିକେଟ୍ ଖେଳାଳି ଲଗାତାର ସ୍ପିନ ଉପଯୋଗୀ ଭାରତୀୟ ପିଚ୍‌କୁ ନେଇ ଆଲୋଚନା କରୁଛନ୍ତି। ଏବେ ଏହି ପୂରା ପ୍ରସଙ୍ଗରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ରଖିଛନ୍ତି।

କୋହଲି କହିଛନ୍ତି, ଆମେ ମଧ୍ୟ ଗତ ବର୍ଷ ନ୍ୟୁଜିଲାଣ୍ଡରେ ତିନି ଦିନ ଭିତରେ ମ୍ୟାଚ୍ ହାରିଥିଲୁ। ସେହି ସମୟରେ ତ କେହି ପିଚ୍‌କୁ ନେଇ କିଛି କହିନଥିଲେ। ଖେଳାଳିଙ୍କୁ ନିଜର ଧ୍ୟାନ ବ୍ୟାଟିଂ ଉପରେ ଦେବା ଦରକାର ନା ପିଚ୍‌ ଉପରେ। ଏହାକୁ ନେଇ ଆମେ ସଚ୍ଚୋଟତା ଦେଖାଇବା ଉଚିତ୍। ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ସମାପ୍ତ ହୋଇଥିଲା।

କୋହଲି କହିଛନ୍ତି, ଲାଗୁଛି ସ୍ପିନ ଟ୍ରାକକୁ ନେଇ ବହୁତ କିଛି ଆଲୋଚନା  ହେଉଛି। ଆମ ମିଡିଆକୁ ଏହା ଦେଖାଇବାକୁ ଉଦ୍ୟମ କରିବା ଉଚିତ୍‌ ଯେ, ଭାରତରେ ସ୍ପିନ ଟ୍ରାକ ହିଁ ପ୍ରସ୍ତୁତ ହୁଏ। ମୋତେ ଜଣା ନାହିଁ ଯେ କଣ ପାଇଁ ବ୍ୟାଟିଂ ଏବଂ ବୋଲିଂ ପରିବର୍ତ୍ତେ ପିଚ୍‌କୁ ନେଇ ଏତେ ଚର୍ଚ୍ଚା କରାଯାଉଛି। ଦୁଇ ଦଳର ବ୍ୟାଟସମ୍ୟାନ ତୃତୀୟ ଟେଷ୍ଟରେ କିଛି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି। ଭଲ ହେବ ପିଚ୍‌ ଅପେକ୍ଷା ନିଜ ଖେଳ ଉପରେ ଧ୍ୟାନ ଦିଆଯାଉ।

ବିରାଟଙ୍କ ପୂର୍ବରୁ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଗୋଟିଏ ଦିନ ପୂର୍ବରୁ କହିଥିଲେ ଯେ ଦେଶରେ ସ୍ପିନ ଉପଯୋଗୀ ପିଚ୍‌ର ଆଲୋଚନାକୁ ଗମ୍ଭୀର ଭାବେ ନେବା ଉଚିତ୍ ନୁହେଁ। ସେ ପରାମର୍ଶ ଦେଇ  ମଙ୍ଗଳବାର କହିଥିଲେ ଯେ, ଆମେ ବିଦେଶରେ ବାଉନ୍ସିଂ ପିଚ୍‌କୁ ନେଇ କେବେ କିଛି କହିନାହୁଁ। ଇଂଲଣ୍ଡକୁ ମଧ୍ୟ ଚତୁର୍ଥ ଟେଷ୍ଟରେ ସ୍ପିନ ଉପଯୋଗୀ ପିଚ୍‌ ମିଳିବା ନେଇ ଆଶା କରିବା ଉଚିତ୍।

ରାହାଣେ କହିଥିଲେ, ଯେତେବେଳେ ଆମେ ବିଦେଶ ଗସ୍ତ କରୁ, ତେବେ ଆମକୁ ବାଉନ୍ସିଂ ପିଚ୍‌ରେ ଖେଳିବାକୁ ପଡେ। ୩ ଦିନରେ ମଧ୍ୟ ଟେଷ୍ଟ ସମାପ୍ତ ହୋଇଯାଏ। କିନ୍ତୁ ସେତେବେଳେ କେହି ପିଚ୍‌ ଉପରେ କିଛି କୁହନ୍ତି ନାହିଁ ବରଂ ଭାରତୀୟ ବ୍ୟାଟସମ୍ୟାନଙ୍କ ଟେକନିକ୍‌ ଉପରେ ପ୍ରଶ୍ନ ଉଠାଇଥାନ୍ତି। ତେଣୁ ବର୍ତ୍ତମାନର ଆଲୋଚନାକୁ ଗୁରୁତ୍ଵ ଦେବା ଉଚିତ୍ ନୁହେଁ  ବୋଲି ରାହାଣେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.