ନୂତନ ପାର୍ଟି ଘୋଷଣା କରି ବଡ ବାଜି ଖେଳିଲେ କ୍ୟାପଟେନ୍, କଂଗ୍ରେସ ଛାଡି ପାରନ୍ତି ଅସନ୍ତୁଷ୍ଟ ନେତା

Published By : Prameya-News7 Bureau | October 20, 2021 IST

ଚଣ୍ଡିଗଡ ୨୦।୧୦: ଶେଷରେ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବରେ ନୂତନ ଦଳ ଗଢିବାକୁ ଘୋଷଣା କରିଛନ୍ତି। ଏଥିସହ ପଞ୍ଜାବ ରାଜନୀତିରେ ନୂତନ ସମୀକରଣ ଆରମ୍ଭ ହେବାକୁ ଯାଉଛି। କ୍ୟାପଟେନ୍‌ଙ୍କ ନଜର ପଞ୍ଜାବରେ ସମସ୍ତ ରାଜନୈତିକ ଦଳଗୁଡିକରେ ଥିବା ଅସନ୍ତୁଷ୍ଟ ନେତାଙ୍କ ଉପରେ ରହିଛି। ଏମାନଙ୍କୁ ନେଇ  ହିଁ କ୍ୟାପଟେନ୍‌ ନିଜର ନୂତନ ଦଳ ଗଠନ କରିବେ।

କଂଗ୍ରେସରୁ ମଧ୍ୟ କିଛି ନେତାଙ୍କୁ ଟାଣିବା ପାଇଁ କ୍ୟାପଟେନ୍ ପ୍ରସ୍ତୁତି ଚଳାଇଛନ୍ତି। ଯେଉଁ ନେତାଙ୍କୁ ଟିକେଟ୍ ମିଳିବ ନାହିଁ, ସେମାନେ କ୍ୟାପଟେନ୍‌ଙ୍କ ଦଳରେ ସାମିଲ୍ ହେବାର ସମ୍ଭାବନା ରହିଛି। କ୍ୟାପଟେନ୍‌ଙ୍କୁ ଦିଲ୍ଲୀରେ ବସିଥିବା କଂଗ୍ରେସ ନେତା କପିଲ ସିବଲ ସମେତ ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ମିଳିଛି। ସିବଲ ଏହା ମଧ୍ୟ କହି ସାରିଛନ୍ତି ଯେ, ଲୋକେ ପାର୍ଟି ଛାଡିବାରେ ଲାଗିଛନ୍ତି। ସୁଷ୍ମିତା ଗଲେ, ସିନ୍ଧିଆ, ଜିତିନ ପ୍ରସାଦ  ମଧ୍ୟ ଦଳ ଛାଡିଲେ। ଅନ୍ୟ ନେତା ମଧ୍ୟ ଦଳ ଛାଡୁଛନ୍ତି। ଯେଉଁ ଭଳି କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା, ସେଥିରେ ସେ ନିଜକୁ ଅପମାନବୋଧ ମନେ କରିଛନ୍ତି।

କ୍ୟାପଟେନ୍ କଂଗ୍ରେସକୁ ଏହାର ଉଚିତ୍ ଶିକ୍ଷା ଦେବାକୁ ଚାହୁଁଛନ୍ତି ଏବଂ ସେ ଘୋଷଣା କରି ସାରିଛନ୍ତି ଯେ, ସେ କୌଣସି ପରିସ୍ଥିତିରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ। ସେ କୃଷକ ପ୍ରସଙ୍ଗରେ ସମାଧାନର ରାସ୍ତା କାଢିବାକୁ ପୂରା ପ୍ରୟାସ କରିବେ ବୋଲି ଅମରିନ୍ଦର କହିଛନ୍ତି। ଯଦି କ୍ୟାପଟେନ୍ ଏଥିରେ ସଫଳ ହୁଅନ୍ତି ତେବେ ନିଶ୍ଚିତ ଭାବେ ପଞ୍ଜାବରେ ତାଙ୍କ ସ୍ଥିତି ଆହୁରି ମଜବୁତ ହୋଇଯିବ। ଏପରିକି କୃଷକ ଆନ୍ଦୋଳନରେ ଫସି ରହିଥିବା ବିଜେପିକୁ ମଧ୍ୟ ମୁକୁଳାଇ ପାରନ୍ତି। କାରଣ କ୍ୟାପଟେନ୍‌ଙ୍କ କୃଷକଙ୍କ ସହିତ ସୁସଂପର୍କ ରହିଛି।

କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନିଜର ଜନାଧାର ରହିଛି। ସେ ଅମୃତସର ଲୋକସଭା ଆସନରୁ ବିଜେପିର ଦମଦାର ଚେହେରା ଅରୁଣ  ଜେଟଲୀଙ୍କୁ ହରାଇ ସାରିଛନ୍ତି। କ୍ୟାପଟେନ୍ ସଙ୍କେତ ଦେଇ ସାରିଛନ୍ତି ଯେ, ସେ କଂଗ୍ରେସ, ବିଜେପି, ଅକାଳି ଏବଂ ଆପ୍‌ ପାର୍ଟିର ଅସନ୍ତୁଷ୍ଟ ନେତାଙ୍କୁ ନେଇ ଆଗକୁ ବଢିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.