ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | February 27, 2021 IST

ଭୁବନେଶ୍ବର ୨୭।୨: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା ହୋଇଛି । ଏ ସଂପର୍କରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଗୃହରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ୨୦୨୦ ସୁଦ୍ଧା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ରହିଛି । ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି । ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଥିଲା । କୋଭିଡ୍ ସ୍ଥିତିରେ ବି ଶୃଙ୍ଖଳିତ କାମ ହୋଇଛି । ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ହୋଇନାହିଁ । ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି । ରାଜ୍ୟରେ ଅପରାଧ ନିୟନ୍ତ୍ରଣରେ ଅଛି । କମିଶନରେଟ୍ ପୋଲିସ ୨୨ ବର୍ଷ ପରେ ଗୋଟିଏ କେସରେ ସଫଳତା ପାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

ସେପଟେ କଟକରେ ଛାତ୍ରୀଙ୍କ ହାତଗୋଡ ବାନ୍ଧି ପୋଡିବା ଘଟଣା ସହ ପରୀ ଓ ପିହୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମାହାଙ୍ଗା ଡବଲ ମର୍ଡର ଘଟଣା ମଧ୍ୟ ଉଠାଇଲେ ମୋହନ ମାଝୀ । ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ବିଜେପୁର ଉପନିର୍ବାଚନ ସମୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ମିଛ ମାମଲାରେ ଗିରଫ କରାଯାଇଥିଲା । ତାଙ୍କୁ ଜେଲ୍ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଥିଲା । ସ୍ବାମୀ ଜୀବନାନନ୍ଦଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା । ଲକ୍ଷଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଏଯାଏଁ ଗିରଫ କରାଯାଇନି । ପୋଲିସ ସଂସ୍କାର ଏଯାଏଁ ଆସିପାରିନି । ଆଇନଶୃଙ୍ଖଳା ଓ ତଦନ୍ତ ଅଲଗା ରହୁ ଯାହାଦ୍ବାରା ଲୋକ ନ୍ୟାୟ ପାଇପାରିବେ ବୋଲି ମୋହନ ମାଝୀ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ଜଙ୍ଗଲରାଜ ଚାଲିଛି । ରାଜ୍ୟରେ ସାଇବର କ୍ରାଇମ ବଢୁଛି । ତଦନ୍ତ ଶୂନ ଫଳ ସୁନ । ନାବାଳିକାଙ୍କ ଉପରେ ଅତ୍ୟାଚାର ବଢୁଛି । ଡ୍ରଗ୍ସ ମାଫିଆ ଓଡ଼ିଶାର ସବୁ ସ୍ଥାନରେ । ରାଜ୍ୟର ବେକାରୀ ବଢ଼ୁଥିବାରୁ ଏଭଳି ସ୍ଥିତି । ସେମାନଙ୍କର ଚିହ୍ନଟ ହେଉନି କି କାର୍ଯ୍ୟାନୁଷ୍ଠାନ ହେଉନି । ମନ୍ତ୍ରୀମାନେ ଅପରାଧରେ ସମ୍ପୃକ୍ତ ଅଭିଯୋଗ ଆଣିଛନ୍ତି ନରସିଂହ । ଯଦି ତଦନ୍ତ ବେଳେ ମନ୍ତ୍ରୀଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳିଲା ତାଙ୍କୁ ହଟାଯିବା ଦରକାର ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.