ପଞ୍ଜାବ: ନୂଆ ପାର୍ଟି ଗଢ଼ିବେ କ୍ୟାପ୍ଟେନ୍, କହିଲେ ବିଜେପି ସହ କରିବେନି ମେଣ୍ଟ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | October 21, 2021 IST

ଚଣ୍ଡିଗଡ଼ ୨୧।୧୦:  ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ରାଜ୍ୟରେ ନୂଆ ଦଳ ଗଢିବାକୁ ଦୃଢ୍ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱୀତା କରିବ। ତେବେ ରାଜ୍ୟରେ ବିଜେପି ସହ ମେଣ୍ଟ କରିବେ କି ନା ସେ ନେଇ ଏବେ ସନ୍ଦେହ ଉପୁଜିଛି। ୩ କୃଷି ଆଇନକୁ ନେଇ ଉପୁଜିଥିବା କୃଷକ ଅସନ୍ତୋଷର ସମାଧାନ ନ ହେବା ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ ନେଇ ସେ ଚିନ୍ତା ମଧ୍ୟ କରିପାରିବେନି ବୋଲି କହିଛନ୍ତି । ତେବେ କେନ୍ଦ୍ର ସରକାର ଚାହିଁଲେ ସେ ଚାଷୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ଅମରିନ୍ଦର ସିଂହ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଦଳର ଲଗାମ ସିଦ୍ଧୁଙ୍କୁ ଧରାଇବା କଂଗ୍ରେସ ଲାଗି ମହଙ୍ଗା ପଡିବ ବୋଲି ସେ ଚେତାଇ ଦେଇଛନ୍ତି। ସେ ପୁଣି ଥରେ ସିଦ୍ଧୁଙ୍କୁ ଜଣେ ଅସ୍ଥିର ନେତା ବୋଲି କହିଛନ୍ତି। ସେ କଂଗ୍ରେସରେ ରହନ୍ତୁ କି ନ ରହନ୍ତୁ ତାଙ୍କ ଲାଗି କିନ୍ତୁ କଂଗ୍ରେସର ଦ୍ୱାର ଏବେ ବନ୍ଦ ହୋଇସାରିଥିବା କହିଛନ୍ତି କ୍ୟାପ୍ଟେନ୍। ସେ କହିଛନ୍ତି ଯେ ସିଦ୍ଧୁ ଏପରି ଜଣେ ମନ୍ତ୍ରୀ ଯିଏ ନିଜ ମନ୍ତ୍ରାଳୟକୁ ହିଁ ବୁଝି ପାରୁନଥିଲେ। ଏଣୁ ତାଙ୍କ ସରକାରରେ ସିଦ୍ଧୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିଦିଆଯାଇଥିଲା। ଏଥିରେ ସିଦ୍ଧୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ୱପ୍ନ ଦେଖିବା ହାସ୍ୟସ୍ପଦ ବୋଲି କହିଛନ୍ତି।

କ୍ୟାପ୍ଟେନ କହିଛନ୍ତି ଯେ ସିଦ୍ଧୁ ହଇରାଣ କରିବେ ବୋଲି ପ୍ରଥମରୁ ସେ ହାଇକମାଣ୍ଡଙ୍କୁ ସତର୍କ କରିଥିଲେ। ହେଲେ ସିଦ୍ଧୁଙ୍କୁ ବୁଝିବା ବେଳକୁ କଂଗ୍ରେସର ନେଡିଗୁଡ କହୁଣୀକୁ ବହି ସାରିଥିବ ବୋଲି କହିଛନ୍ତି। ତେବେ ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ ଚନ୍ନୀଙ୍କୁ ନେଇ କ୍ୟାପ୍ଟେନଙ୍କ ଭାବନା ସକରାତ୍ମକ ରହିଛି। ସେ ତାଙ୍କ ମନ୍ତ୍ରୀମଣ୍ଡଳରେ ଥିଲେ ଓ ଜଣେ କାମିକା ନେତା ବୋଲି କ୍ୟାପ୍ଟେନ ଗଣମାଧ୍ୟମକୁ କହିଛନ୍ତି।

{"id":530956,"width":838,"height":466,"sizeSlug":"full","linkDestination":"none"}

ସେପଟେ ବିଜେପି ସହ କ୍ୟାପ୍ଟେନଙ୍କ ବଢୁଥିବା ସମ୍ପର୍କ ନେଇ କହିଛନ୍ତି ଯେ କେବଳ ଚାଷୀଙ୍କ ପ୍ରସଙ୍ଗରେ  ସେ ଦୁଇ ଥର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଚାଷୀ ସମସ୍ୟାର ସମାଧାନ ସେ ଚାହୁଁଥିବା କହିଛନ୍ତି। ପ୍ରାୟ ବର୍ଷେ ପାଖାପାଖି ଲୋକେ ଦିଲ୍ଲୀକୁ ଘେରି ବସିଛନ୍ତି। କେବଳ ପଞ୍ଜାବରୁ ଏପର୍ଯ୍ୟନ୍ତ ୪୦୭ ଜଣ ଚାଷୀଙ୍କ ମୃତ୍ୟୁ ହେଲାଣି। ଏଣୁ କୌଣସି ନେତା ଏହାକୁ କେବେ ଅଣଦେଖା କରିପାରିବେନି ବୋଲି କ୍ୟାପ୍ଟେନ କହିଛନ୍ତି।

କ୍ୟାପ୍ଟେନ ଅମରିନ୍ଦର ସିଂହ ନୂଆ ପାର୍ଟି ଗଢିବାକୁ ଯାଉଛନ୍ତି, ହେଲେ ତାଙ୍କ ସହ କିଏ ସବୁ ଅଛନ୍ତି ସେମାନଙ୍କୁ ନେଇ ସେ ଏବେବି ଅସ୍ପଷ୍ଟ ବୋଲି କହିଛନ୍ତି। ତେବେ ଆଗାମୀ ଦିନରେ କେଉଁମାନେ ସାଙ୍ଗରେ ଆସିବେ ତାହା ଆପେ ଆପେ ସ୍ପଷ୍ଟ ହୋଇଯିବ। ପଞ୍ଜାବ କଂଗ୍ରେସରେ ଅନେକ ଅସନ୍ତୁଷ୍ଟ ନେତା ଅଛନ୍ତି। ଯେଉଁମାନେ ତାଙ୍କ ସହ ଆସିପାରନ୍ତି ବୋଲି ସେ ଅନୁମାନ କରୁଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ନେଇ ରାଜ୍ୟରେ ଦେଖା ଦେଇଥିବା ଚାଷୀ ଅସନ୍ତୋଷରେ କେହି ବି ଏବେ ବିଜେପି ସହ ଯିବାକୁ ରାଜି ହେବେନି ବୋଲି କ୍ୟାପ୍ଟେନ୍‌ ସ୍ପଷ୍ଟ ଭାବେ କହିଛନ୍ତି। ଚାଷୀମାନେ ବର୍ଷେ ହେଲା ରାଜରାସ୍ତାରେ ବସିଛନ୍ତି। ଯେଉଁ ଚାଷୀ ଆନ୍ଦୋଳନ କରୁଛନ୍ତି ସେମାନେ ସମସ୍ତେ ଗରିବ ଓ ଅବହେଳିତ ବର୍ଗର। ସେମାନଙ୍କ ସମସ୍ୟା ସମାଧାନ ନ କରି କୌଣସି ସରକାର ନିର୍ବାଚନକୁ ଯାଇ ପାରିବେନି ବୋଲି ଅମରିନ୍ଦର ସିଂହ କହିଛନ୍ତି। ରାଜ୍ୟରେ ଦେଖା ଦେଇଥିବା କୃଷକ ଅଶାନ୍ତିରେ ନିର୍ବାଚନ କରିବା ମଧ୍ୟ ଏବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.