କଂଗ୍ରେସ ଛାଡିବେ କ୍ୟାପ୍ଟେନ ! କହିଲେ- 'ଦଳରେ ରହିହେବ ନାହିଁ, ଏମିତି ବ୍ୟବହାର ଖୁବ୍ ବାଧିଛି'

Published By : Prameya-News7 Bureau | September 30, 2021 IST

ଚଣ୍ଡିଗଡ, ୩୦।୦୯ :   ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟରେ ରାଜନୀତୈକ ହଟଚମଟ ଥମିବାର ନାଁ ନେଉନାହିଁ । ବୁଧବାର ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂ । ଗୁରୁବାର ସେ ଆଉ କଂଗ୍ରେସରେ ରହିବେ ନାହିଁ ବୋଲି କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ, ସେ ନିଜର ସ୍ଥିତି ସ୍ପଷ୍ଟ କରିସାରିଛନ୍ତି । କଂଗ୍ରେସ ଦେଇଥିବା ଅପମାନ ସହିହେବ ନାହିଁ । ତାଙ୍କ ସହ ଯେଉଁଭଳି ବ୍ୟବହାର ହୋଇଛି ତାହା ଠିକ୍ ନୁହେଁ । ଏହାକୁ ଆଦୌ ଗ୍ରହଣ କରାଯାଇପାରିବ ନାହିଁ । ସେ ଆଉ କଂଗ୍ରେସରେ ରହିବେ ନାହିଁ ବୋଲି କହିଛନ୍ତି ।

ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଯେପରି ଭାବେ ବିଧାୟକ ଦଳ ବୈଠକ ଡକାଯାଇ ଶେଷ ମୁହୂର୍ତ୍ତରେ ସୂଚନା ଦିଆଗଲା ତାହା ଅପମାନଜନକ । ସେବେଠୁ ସେ ପଦ ଛାଡିବା ନେଇ ନିଷ୍ପତ୍ତି ନେଇଥିଲେ । ଯଦି ତାଙ୍କ ଉପରେ କାହାର ବିଶ୍ୱାସ ନାହିଁ ତେବେ ସେ ରହିବା କଣ ଫାଇଦା ବୋଲି ବିଚାର କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ନାହାଁନ୍ତି । କିନ୍ତୁ ଏବେବି ପଞ୍ଜାବ ତାଙ୍କର । ତେଣୁ ସେ ଗୃହମନ୍ତ୍ରୀ ଅମିତ ଶାହ ଓ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିଥିବା କହିଛନ୍ତି ।  ଆହୁରି ମଧ୍ୟ କଂଗ୍ରେସର ଲୋକପ୍ରିୟତା କମୁଛି । ଚଳିତ ନିର୍ବାଚନ ଭିନ୍ନ ଧରଣର ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.