Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଆଜି ରାଜଧାନୀ ଭୁବନେଶ୍ବରର ୭୧ ତମ ପ୍ରତିଷ୍ଠା ଦିବସ, ଜାଣନ୍ତୁ କେମିତି ହୋଇଥିଲା ପ୍ରତିଷ୍ଠା

13/04/2019 at 9:54 AM

ଭୁବନେଶ୍ବର ୧୩|୪: ଆଜି ରାଜଧାନୀ ଭୁବନେଶ୍ବରର ୭୧ତମ ପ୍ରତିଷ୍ଠା ଦିବସ। ୧୯୪୮ ଏପ୍ରିଲ ୧୩ରେ ପଣ୍ଡିତ ଜବାହରଲାଲ ନେହରୁ ଏହାର ଶିଳାନ୍ୟାସ କରିଥିଲେ। ପ୍ରସିଦ୍ଧ ଜର୍ମାନ୍ ସ୍ଥପତି ଓଟୋ କୋନିଗ୍ସବର୍ଗ ରାଜଧାନୀ ଭୁବନେଶ୍ବରର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ନୂଆ ରାଜଧାନୀର ନକ୍ସା ତିଆରି ହୋଇଥିଲା। ମୋଟ୍ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବଂ ପନ୍ଦର ଶହ କୋଠାବାଡି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ସେଗୁଡିକ ମଧ୍ୟରେ ରାଜଭବନ, ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବାସଭବନ, ବିଧାନସଭା ଗୃହ, ରାଜ୍ୟ ସଚିବାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, ଡାକଘର, ଡାକ୍ତରଖାନା, ଏନ୍ଏସି କାର୍ଯ୍ୟାଳୟ, ପୋଲିସ୍ ଥାନା, ସରକାରୀ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ପ୍ରମୁଖ ଥିଲା । ଏ ସମସ୍ତ ଖର୍ଚ୍ଚ ପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ଥିଲା ୨ କୋଟି ୮୯ ଲକ୍ଷ ଟଙ୍କା। ୧୯୫୧ ଜନଗଣନା ଅନୁସାରେ ଭୁବନେଶ୍ବରର ଲୋକ ସଂଖ୍ୟା ଥିଲା ୧୬,୫୧୨ ।

ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରଥମେ ୧୯୩୩ ମସିହାରେ ଉଦ୍ୟମ ଆରମ୍ଭ ହୋଇଥିଲା। ଓଡ଼ିଶା ପ୍ରଶାସନିକ କମିଟି ପକ୍ଷରୁ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରଥମେ କଟକର ଚାଉଳିଆଗଞ୍ଜ ଅଞ୍ଚଳକୁ ବାଛି ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। କିନ୍ତୁ, କଟକର ଉଭୟ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ପ୍ରବାହିତ ହେଉଥିବାରୁ ବ୍ରିଟିସ୍ ସରକାର ରାଜି ହୋଇ ନଥିଲେ। ୧୯୩୬ରେ ଓଡିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ପୁଣି ରାଜ୍ୟରେ ନୂଆ ରାଜଧାନୀ ପ୍ରତିଷ୍ଠା ନେଇ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ବ୍ରିଟିସ୍ ସରକାରଙ୍କ ଦ୍ବାରା ଗଠିତ ହୋଇଥିଲା ଜୋନ୍ସ କମିଟି। ଏହି କମିଟି ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟବର୍ତ୍ତୀ ରଙ୍ଗେଇଲୁଣ୍ଡାକୁ ରାଜଧାନୀ ପାଇଁ ପ୍ରସ୍ତାବ ରଖିଥିଲେ। ତେବେ, କୌଣସି କାରଣରୁ କମିଟିର ପ୍ରସ୍ତାବ ବାତିଲ ହୋଇଥିଲା। ପରବର୍ତ୍ତୀ ସମୟରେ କଟକ, ଚୌଦ୍ବାର, ଅନୁଗୁଳ, ଖୋର୍ଦ୍ଧାଠାରେ ରାଜଧାନୀ ନିର୍ମାଣର ପ୍ରସ୍ତାବ ଉଠିଥିଲା। ଶେଷରେ ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ବରରେ ରାଜଧାନୀ ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବଟି ତାଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମେ ଏବଂ ପରେ ପରେ ରାଜ୍ୟ ବିଧାସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

   Related Posts