ପ୍ରେମିକା ଆତ୍ମହତ୍ୟା କରିବାର ୨ ଦିନ ପରେ ଜୀବନ ହାରିଲା ପ୍ରେମିକ, ମୃତ୍ୟୁ ପୂର୍ବରୁ ଦୁବାଇରୁ ସେୟାର କଲା ଭିଡିଓ ମେସେଜ୍
24/01/2021 at 11:00 PM

ହାଇଦ୍ରାବାଦ ୨୪/୦୧: ବଞ୍ଚିଥିବା ବେଳେ ସାଥିରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜଣଙ୍କ ବିନା ଆଉ ଜଣେ ବିଞ୍ଚିବ କିପରି। ତେଣୁ ଦୁଇ ଜଣ ମରିବା ପରେ ବି ସାଥିରେ ରହିବେ ବୋଲି ମନସ୍ଥ କରିନେଲେ। ଏମିତି କାହାଣୀ ଫିଲ୍ମରେ ଦେଖିବାକୁ ମିଳେ। କିନ୍ତୁ ଏମିତି ଏକ ଅଭାବନୀୟ ଘଟଣା ସତରେ ଘଟିଛି। ପ୍ରେମିକା ଆତ୍ମହତ୍ୟା କରିବାର ମାତ୍ର ୨ ଦିନ ପରେ ଆତ୍ମହତ୍ୟା କରିଛି ପ୍ରେମିକ।
ଟାଇମ୍ସ ଅଫ ଇଣ୍ଡିଆର ଏକ ଖବର ଅନୁସାରେ ୨୧ ବର୍ଷୀୟା ଯୁବତୀ ତେଲେଙ୍ଗାନାର ଜଗିତିଆଲ ଜିଲ୍ଲାର ହୋଇଥିବା ବେଳେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ନାଁ ଏଲ ମନୀଷା। ମନୀଷାଙ୍କ ଆତ୍ମହତ୍ୟା ଖବର ପାଇବା ପରେ ବର୍ଷେ ତଳେ କାମ କରିବାକୁ ଦୁବାଇ ଯାଇଥିବା ପ୍ରେମିକ ରାକେଶ ଭାଙ୍ଗିପଡ଼ିଥିଲେ। ଏକ ଭାବପ୍ରବଣ ଭିଡିଓ କରି ପ୍ରାଣ ହାରିଦେଲେ ରାକେଶ। ଭିଡିଓ ମେସେଜ୍ରେ ରାକେଶ କହିଛନ୍ତି, ‘ମନୀଷା ବିନା ମୁଁ ବଞ୍ଚିପାରିବିନି। ମା ତୁ ତୋ ଦେହର ଯତ୍ନ ନେବୁ।’
ପୋଲିସ ଅନୁସାରେ ରାକେଶ ଓ ମନୀଷା ପାଖାପାଖି ଗାଁରେ ବାସ କରୁଥିଲେ। ମନୀଷାଙ୍କ ବାପା-ମା ଜାଣିନଥିଲେ ତାଙ୍କ ଝିଅ ଆଉ କାହାକୁ ଭଲ ପାଉଛି। ତେବେ ସେମାନେ ଝିଅ ପାଇଁ ବାହା ଘର ଠିକ କରିବାକୁ ଲାଗିପଡ଼ିଥିଲେ। ସେପଟେ ମନୀଷା ରାକେଶକୁ ନିଜ ଜୀବନସାଥି ଭାବେ ପାଇବନି ବୋଲି ଭାବିବା ସହ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି। ଅନ୍ୟପଟେ ରାକେଶଙ୍କ ପରିବାର ଥାନାରେ କୌଣସି ଅଭିଯୋଗ କରିନଥିବା ପୋଲିସ କହିଛି।