ଦେଶରେ କରୋନାର ତୃତୀୟ ଲହର ନ ଆସୁ, ଏହା ସୁନିଶ୍ଚିତ କରିବା ଲୋକଙ୍କ କାମ : CSIR ମହାନିର୍ଦ୍ଦେଶକ
5/04/2021 at 6:00 PM

ପୁଣେ ୫।୪: ବିଶ୍ୱରେ କେତେକ ଦେଶରେ କରୋନା ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆସିଥିବା ଜଣାପଡିଛି। ଏଥିରୁ ଭାରତରେ ଯେ ତୃତୀୟ ଲହର ନ ଆସିବ ତାହା କହିହେବ ନାହିଁ। ତେବେ ଦେଶରେ ପୁଣି କରୋନା ଲହର ନ ଆସୁ ତାହା ଲୋକେ ନିଜେ ସୁନିଶ୍ଚିତ କରନ୍ତୁ ବୋଲି ବିଜ୍ଞାନ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସଆଇଆର) ମହାନିର୍ଦ୍ଦେଶକ ଡା. ଶେଖର ମାଣ୍ଡେ କହିଛନ୍ତି। ଏକ ଅନଲାଇନ୍ ଆଲୋଚନାରେ ଏଥିପାଇଁ ଲୋକଙ୍କୁ ଆତ୍ମନିୟନ୍ତ୍ରଣ ଓ ଅନୁଶାସନ ପାଳନ କରିବାକୁ ହେବବୋଲି ସେ କହିଛନ୍ତି।

ବିଶ୍ୱରେ ଏପର୍ଯ୍ୟନ୍ତ ଯେତେ ମହାମାରୀ ଆସିଛୁ ସବୁର ବାରମ୍ବାର ଲହର ଆସିଛି। ଏଥିରେ କରୋନା ଲହର କିଛି ନୂଆ କଥା ନୁହେଁ। ୟୁରୋପୀୟ ଦେଶମାନେ ଏବେ ମହାମାରୀର ତୃତୀୟ ଲହରର ସମ୍ମୁଖୀନ ହୋଇଛନ୍ତି। ଏଥିରୁ ଭାରତରେ କରୋନା ତୃତୀୟ ଲହରର ଆଶଙ୍କାକୁ ନିରାଧାର କୁହାଯାଇ ନପାରେ। ଭାରତରେ ମହାରାଷ୍ଟ୍ର ସମେତ କେତେକ ରାଜ୍ୟ ଏବେ କରୋନା ଦ୍ୱିତୀୟ ଲହରର ଆକ୍ରାନ୍ତ ହୋଇଛନ୍ତି। ତେବେ ଏଥିରେ ଦ୍ୱିତୀୟବାର ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା କମ୍।

ତେବେ ଦ୍ୱିତୀୟବାର ସଂକ୍ରମଣର ଶିକାର ହେବା କିଛି ସାଧାରଣ କଥା ନୁହେଁ। ହୁଏତ ଏହି ସଂଖ୍ୟା କମ୍ ତେବେ ଏଥିପ୍ରତି ସତର୍କତା ଅବଲମ୍ବନ କରାଯିବା ଜରୁରି ବୋଲି ସେ କହିଛନ୍ତି। ଲକ୍ଷଲକ୍ଷ ସଂକ୍ରମିତଙ୍କ ମଧ୍ୟରେ ଦ୍ୱିତୀୟବାର ସଂକ୍ରମିତଙ୍କ ସଂଖ୍ୟା କିଛି ସହ ଅଥବା ହଜାର ହୋଇଥାଇପାରେ। ଦ୍ୱିତୀୟବାର କେହି ସଂକ୍ରମିତ ହେବା ପରେ ଏହାକୁ ସାଧାରଣ କହି ହାଲୁକା ଭାବେ ଗ୍ରହଣ କରିଯିବା କଥା ନୁହେଁ। ତେବେ ଏକ ସମାଜ ଭାବେ ଆମେ ଅନୁଶାସିତ ଓ ବ୍ୟବସ୍ଥିତ ରହିବାଲାଗି ଆମକୁ ସଂକଳ୍ପ କରିବାକୁ ହେବ ବୋଲି ଡା. ମାଣ୍ଡେ କହିଛନ୍ତି।