Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘ଗଞ୍ଜେଇ’ ବାସ୍ତବରେ ବିପଦଜନକ ନା ତଦନ୍ତକାରୀ ସଂସ୍ଥା ଏହାକୁ କରିଛନ୍ତି ବିବାଦୀୟ

27/09/2020 at 6:32 PM

ନୂଆଦିଲ୍ଲୀ ୨୭।୯: ଡ୍ରଗ୍ସ ତସ୍କର ଓ ବଲିଉଡ  ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା  ଜୋରଧରିଛି। ଯାହାର ପ୍ରଭାବ ଏବେ ଦେଶର ଏଣ୍ଟରଟୈନମେଣ୍ଟ ଓ ମିଡିଆରେ ଅନୁଭୂତ ହେଉଛି। ବଲିଉଡ ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତା ଓ ଡ୍ରଗ୍ସ ତସ୍କରଙ୍କ ଜାଲରେ ଫଶି ଗଞ୍ଜେଇ ଚାଷ କରୁଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ କିପରି ହନ୍ତସନ୍ତ ହେଉଛି ଏହାକୁ ବୁଝିବାକୁ ଆହୁରି ସମୟ ଲାଗିବ। ହେଲେ ଏହାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଏବେ ଗଞ୍ଜେଇ ଗଛର ଔଷଧିୟ ଗୁଣ ଓ ଏନେଇ ଚାଲିଥିବା ଗବେଷଣାକୁ ନିଶ୍ଚିତ ପ୍ରଭାବିତ କରିଛି। 

ତଦନ୍ତକାରୀ ସଂସ୍ଥା ଓ ଗଣମାଧ୍ୟମ ଏବେ କୃତ୍ରିମ ନିଶା ସାମଗ୍ରୀ ଓ ଗଞ୍ଜେଇକୁ ଗୋଟିଏ ଚଷମାରେ ଦେଖୁଛନ୍ତି। ଏଥିରୁ ଲୋକେ ଗଞ୍ଜେଇକୁ ଏକ ହାନିକାରକ ସାମଗ୍ରୀ ଭାବିବାରେ ଲାଗିଲେଣି। ତେବେ ହୁଏତ ଖୁବ କ୍ୱଚିତ ଜାଣିଥିବେ ଗଞ୍ଜେଇର ନିଶା ନଥିବା ଓ ଅଭ୍ୟସ୍ତ କରାଉନଥିବା ଅଂଶ ବିଶେଷ ଅପସ୍ମାର, ମାନସିକ ବିକାର ଓ କ୍ୟାନସର ଭଳି ଦୂରାରୋଗ୍ୟ ବ୍ୟାଧିର ଉପଚାରରେ ଆବଶ୍ୟକ ହେଉଛି। କେବଳ ଏତିକି ନୁହେଁ ସ୍କ୍ଲେରୋସିସ୍ ଓ ଅନେକପ୍ରକାର ତ୍ୱଚା ସମ୍ପର୍କିତ ରୋଗର ମଧ୍ୟ ଏହା ନିଦାନ ହୋଇପାରୁଛି।

ତେବେ ଉପୁଜିଥିବା ପରିସ୍ଥିତିରେ ଗଞ୍ଜେଇ ଚାଷ ଓ ଏଥିରୁ ଔଷଧୀୟ ଉତ୍ପାଦ ପ୍ରସ୍ତୁତି ଲାଗି ଗବେଷଣା ଅନୁମତି ପ୍ରଦାନ ପ୍ରକ୍ରିୟା ଏବେ ଆହୁରି ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ବାଙ୍ଗାଲୁରୁସ୍ଥିତ ନମ୍ରତା ହେମ୍ପ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ହର୍ଷବର୍ଦ୍ଧନ ରେଡ୍ଡୀ ସିରୁପା। ଗଞ୍ଜେଇ ଗଛର ଉପଯୋଗ କୃଷି, ବାଗବଗିଚା, ବସ୍ତ୍ର ଉଦ୍ୟୋଗ, ଔଷଧ ଓ ସ୍ୱାସ୍ଥ୍ୟ ସେବା ଭଳି କ୍ଷେତ୍ରରେ ହୋଇପାରେ ବୋଲି ସିରୁପା କହିଛନ୍ତି। ଯଦି ଦେଶରେ ନିୟମ ମୁତାବକ ଚାଷକୁ ଅନୁମତି ମିଳେ ତେବେ ୨୦୨୫ ମସିହା ବେଳେକୁ ଏହି ଉଦ୍ୟୋଗ କାରବାର ଦେଢଶହ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି।

ଗଞ୍ଜେଇ ଗଛରେ ଯେଉଁ ଦୁଇ ମୁଖ୍ୟ ରସାୟନ ମିଳେ ତାହା ହେଉଛି ଟେଟ୍ରା ହାଇଡ୍ରୋକେନାବିନଲ (ଟିଏଚସି) ଓ କେନାବିଡଲ (ସିବିଡି)। ଟିଏଚସି ଯୋଗୁ ଗଞ୍ଜେଇ ଏକ ନିଶାସାମଗ୍ରୀ ବୋଲି ଧରାଯାଉଛି। ତେବେ ଏଥିରୁ ମିଳୁଥିବା ସିବିଡିର ଉପଯୋଗ ସ୍ୱାସ୍ଥ୍ୟକ୍ଷେତ୍ର ଲାଗି ହୋଇଥାଏ। ଏଥିରୁ ସିବିଡି ନିଶା ନୁହେଁ ଓ ଏହା ଯୋଗୁ କେହି ଅଭ୍ୟସ୍ତ ହୁଅନ୍ତି ନାହିଁ  ବୋଲି ସ୍ପଷ୍ଟ ହୋଇଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଆୟୁର୍ବେଦର ପ୍ରଫେସର ପବନ କୁମାର ଗଜତୱାରଙ୍କ ଅନୁସାରେ ଏହି ଗଛର ନିଶାସାମଗ୍ରୀକୁ ଗଞ୍ଜେଇ କୁହାଯାଏ। ସଂସ୍କୃତରେ ଏହାକୁ ବିଜୟା କୁହାଯାଉଥିବା ବେଳେ ଏହାର ବ୍ୟବହାରକୁ ଖରାପ ବୋଲି କେଉଁଠି କୁହାଯାଇନଥିବା କହିଛନ୍ତି।

ତେବେ ଆମ ଦେଶରେ ବିରୋଧ କାହିଁକି
ସରକାର ଚିନି, ମସଲା ଓ ଚା ଭଳି ଗଞ୍ଜେଇକୁ ବ୍ୟବସାୟୀକ ସାମଗ୍ରୀ ଭାବେ ଚିହ୍ନଟ କରିନାହାନ୍ତି। ଏଣୁ ଏହାକୁ ନେଇ ଜାବତୀୟ ବିବାଦ ଉପୁଜୁଛି ଓ ଏହାର ତସ୍କରୀ ହେଉଛି। ଏ ନେଇ ଆଇନରେ ପରିବର୍ତ୍ତନ ହେଉ ନଥିବାରୁ କମ୍ପାନୀମାନେ ରିସର୍ଚ୍ଚ ଓଡେଭଲପମେଣ୍ଟ ଲାଗି ନିବେଶ ନିମନ୍ତେ ପଛଘୁଞ୍ଚା ଦେଉଛନ୍ତି। ଏଣୁ ଏଥିଲାଗି ଦେଶରେ ଥିବା ଏନଡିପିଏସ ଆକ୍ଟରେ ପ୍ରଥମେ ସଂଶୋଧନ ଜରୁରି ବୋଲି କହିଛନ୍ତି ବିଧି ସେଣ୍ଟର ଫର ଲିଗାଲ ପଲିସିର ସଂସ୍ଥାପକ ଆଲୋକ ପ୍ରସନ୍ନା କୁମାର।  

ସଂଶୋଧନରେ ଏହାର ଚାଷ ଓ ବିକ୍ରି ନିମନ୍ତେ ଲାଇସେନ୍ସ ପ୍ରଦାନ କରିବାକୁ ପଡିବ। ତେବେ ଏତେସବୁ ଲାଗି ପ୍ରଥମେ କେନ୍ଦ୍ର ସରକାରଙ୍କୁ ଏକ ଫ୍ରେମ ୱାର୍କ କରିବାକୁ ପଡିବ। ନଚେତ ଆଗକୁ ବି ଭାରତରେ ହେଉଥିବା ବୃକ୍ଷର ଔଷଧ ଆମକୁ ବିଦେଶରୁ ଆମଦାନୀ କରିବାକୁ ପଡୁଥିବ ବୋଲି କହିଛନ୍ତି। ଆମର ଭୌଗଳିକ ସ୍ଥିତିରୁ ଏହି ଚାଷରେ ଆମେ ବିଶ୍ୱର ନେତୃତ୍ୱ କରିପାରନ୍ତେ। ଏବେ ଚୀନ୍‌ ଗଞ୍ଜେଇର ସବୁଠୁ ବଡ ଉପଯୋଗକାରୀ ଦେଶ। ଉତ୍ପାଦିତ ଗଞ୍ଜେଇର ୮୦ ପ୍ରତିଶତକୁ ଚୀନ୍‌ ବସ୍ତ୍ର ଉଦ୍ୟୋଗ ଲାଗି ଉପଯୋଗ କରୁଛି। ଏଥିରୁ ଆଣ୍ଟି ବାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ପୋଷାକ ପ୍ରସ୍ତୁତ କରୁଥିବାବେଳେ ବଜାରରେ ଏଭଳି ପୋଷାକର ଚାହିଦା ଓ ଦର ଢେର  ଅଧିକ ବୋଲି  ନମ୍ରତା ହେମ୍ପ  ନିର୍ଦ୍ଦେଶକ କହିଛନ୍ତି।

   Related Posts