ବିଜେପି ପକ୍ଷରୁ ମମିତା ମେହେରଙ୍କ ଆତ୍ମାର ଶାନ୍ତି ନିମନ୍ତେ ଦୀପ ଦାନ, ସାମିଲ୍‌ ହେଲେ ବହୁ କର୍ମୀ

Published By : Prameya-News7 Bureau | November 04, 2021 IST

ପୁରୀ, ୪/୧୧: ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଆତ୍ମାର ଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପ ଦାନ କରାଯାଇଛି। ବଡ଼ଦାଣ୍ଡର ମାଉସୀ ମା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ।

ତେବେ ମମିତା ମେହେରଙ୍କୁ ଯେଭଳି ଅତି ଜଘନ୍ୟ ଭାବେ ହତ୍ୟା କରାଗଲା ତାହା ଓଡିଶାବାସୀଙ୍କୁ ମର୍ମାହତ କରିଛି। ମମିତାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ବଡ଼ ବଡ଼ିଆ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ବିଜେପି ଅଭିଯୋଗ କରିଛି। ବିଜେଡିର ମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମଧ୍ୟ ସଠିକ ତଦନ୍ତ ହେଉ ନାହିଁ। ସେହିପରି ପୂର୍ବରୁ ଅନେକ ନାବାଳିକା ଓ ମହିଳାଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଘଟଣା ଘଟିଥିବା ବେଳେ ମୃତ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ବଦଳରେ ବଡ଼ ବଡ଼ିଆ ଲୋକଙ୍କୁ ନବୀନ ସରକାର ସବୁବେଳେ ସୁରକ୍ଷା ଦେଇ ଆସୁଥିବା ସମ୍ବିତ ପାତ୍ର କହିଛନ୍ତି। ଆଜି ଦୀପାବଳି ଅବସରରେ ମମିତାଙ୍କ ଆତ୍ମାର ସଦଗତି ପାଇଁ ବିଜେପି ଦୀପ ଦାନ କରିଥିବା କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.