Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଗଡ ବିଧାନସଭା : ମଇଦାନରେ ଦେବେଶ, ଅଶ୍ବିନୀ ଓ ନିପନଙ୍କ ମଧ୍ୟରେ କଡା ଟକ୍କର ; ଚାଲିଛି ଜୋରଦାର ପ୍ରଚାର

10/04/2019 at 8:33 AM

ବରଗଡ ୧୦|୪ (ବ୍ୟୋମକେଶ କର) : ଓଡ଼ିଶାର ଭାତହାଣ୍ଡି  ବରଗଡ଼ରେ ବହୁଛି ନିର୍ବାଚନୀ ହାୱା। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ରେ ଏଠାରେ ହେବ ଭୋଟ୍। ପ୍ରାର୍ଥୀ ଘୋଷଣା ପରଠାରୁ ଏଠାରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି-ବିଜେପି-କଂଗ୍ରେସ ଚଳାଇଛନ୍ତି ଜୋରଦାର ପ୍ରଚାର।  ବରଗଡରୁ ବିଜେଡି ଦେବେଶ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅଶ୍ବିନୀ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ  ଟିକେଟରେ ନିପନ ଦାସ ଲଢୁଛନ୍ତି ନିର୍ବାଚନ।

୨୦୧୯ ନିର୍ବାଚନକୁ ନେଇ ବରଗଡ ରାଜନୀତି ସରଗରମ। ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରଠାରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି-ବିଜେପି-କଂଗ୍ରେସ ଚଳାଇଛନ୍ତି ଜୋରଦାର ପ୍ରଚାର। ବିଜେପି ପ୍ରାର୍ଥୀ ଅଶ୍ବିନି ଷଡଙ୍ଗୀ ମୋଦି ସରକାରଙ୍କ ସ୍ବଚ୍ଛ ଶାସନ ଆଧାରରେ ଭୋଟ୍ ମାଗୁଥିବାବେଳେ ବିଜେଡି ୧୯ ବର୍ଷ ଧରି ରାଜ୍ୟରେ ବହୁଥିବା ନବୀନଙ୍କ କ୍ଲିନ୍ ଇମେଜରୁ ଭୋଟ ସାଉଁଟିବାକୁ ଲକ୍ଷ୍ୟ ରଖିଛି ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ। । ସେପଟେ ଚାଷ ଓ ଚାଷୀ, ବେକାରୀ ଆଦି ପ୍ରସଙ୍ଗକୁ ମୁଦ୍ଦା କରି ଜନମତକୁ ନିଜ ସପକ୍ଷରେ ନେବାକୁ ଫୁଲଦମରେ ଲାଗିଛନ୍ତି କଂଗ୍ରେସ ପ୍ରାର୍ଥୀ ନିପନ ଦାସ।

୧୯୫୧ରୁ ୨୦୧୪ ମଧ୍ୟରେ ଏହି ଆସନରେ ପ୍ରାୟ ୧୫ଟି ନିର୍ବାଚନ ଓ ଗୋଟିଏ ଉପ ନିର୍ବାଚନ ହୋଇଯାଇଛି। କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ତୀର୍ଥବାସୀ ପ୍ରଧାନ। ୧୯୯୦-୯୫ ଦୁଇଟି ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏହି ଆସନରୁ ଜିତିଥିଲେ। ୨୦୦୦ ଓ ୨୦୦୪ରେ ଏହି ଆସନରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ଼ଭାଇ ଆନନ୍ଦ ଆଚାର୍ଯ୍ୟ ବିଜେଡି ଟିକଟରେ ଜିତିଥିଲେ। ୨୦୦୯ରେ ଏହି ଆସନ କଂଗ୍ରେସ ହାତକୁ ଯାଇଥିଲା। ସାଧୁ ନେପାକ ମାତ୍ର ୨ ହଜାର ଭୋଟରେ ବିଜେଡି ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟଙ୍କୁ ହରାଇ ଆସନ ଦଖଲ କରିଥିଲେ। ଆଉ ତା ପରେ ଆନନ୍ଦଙ୍କ ପୁଅ ଦେବେଶ ଆଚାର୍ଯ୍ୟ ୨୦୧୪ରେ ଏହି ଆସନକୁ ପୁଣି କଂଗ୍ରେସ ହାତରୁ ଛଡାଇ ନେଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଦେବେଶଙ୍କୁ ପ୍ରାର୍ଥୀ କରିଛି।

ବିଜେପି ଏହି ଆସନରେ କେବେ ଖାତା ‌ଖୋଲିନି। ମାତ୍ର ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ଭଲ ଥିଲା। ଜିଲ୍ଲା ପରିଷଦ ଗଠନ କରିଥିଲା। ତେଣୁ ଦଳ ଏଠାରେ ବିଜେପି ରାଜ୍ୟ ଉପସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ଅଶ୍ବିନୀ ୨୦୧୪ ନର୍ବାଚନରେ ବିଜେପି ଟିକଟରେ ଲଢି ତୃତୀୟ ସ୍ଥାନରେ ଥିଲେ। ସେତେବେଳେ ସେ ୨୨,୭୦୭ ଖଣ୍ଡ ଭୋଟ ପାଇଥିଲେ। ଇତି ମଧ୍ୟରେ ଦଳ ନିଜର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିପାରିଛି। ଗାଁ ଗାଁ ରେ ବିଭିନ୍ନ ଅନୁଦାନ ଦେଇ ନିଜର ପରିଚୟ ସୃଷ୍ଟି କରିପାରିଛି ।

ବରଗଡ ସଦର ବିଧାନସଭା ଆସନ ବିଜେଡିର ଦବଦବା ରହିଛି। ଏହି ଆସନ ଏକ ପ୍ରକାର ଆଚାର୍ଯ୍ୟ ପରିବାର ହାତରେ ରହିଛି କହିଲେ ଚଳେ। ଏଥର ମଧ୍ୟ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପରେ ଭରସା କରିଛି। ଗତ ନିର୍ବାଚନରେ ଦେବେଶ ୧୨ ହଜାରରୁ ଅଧିକ ଭୋଟ୍‌ରେ କଂଗ୍ରେସର ସାଧୁ ନେପାକଙ୍କୁ ହରାଇଥିଲେ। ସେ ୫୯,୩୫୦ ଭୋଟ ପାଇ ପ୍ରଥମ ଥର ପାଇଁ ବିଧାନସଭାକୁ ମନୋନୀତ ହୋଇଥିଲେ। ୫ ବର୍ଷ ମଧ୍ୟରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଅନେକ ସମସ୍ୟାର ସମାଧାନ ଏ ଯାଏ ହୋଇ ପାରିନାହିଁ। ତେଣୁ ଏଥର ବିଜୟ ତାଙ୍କ ପାଇଁ ସହଜ ହେବନି।

୨୦୦୯ରେ ଏହି ଆସନକୁ ଆଚାର୍ଯ୍ୟ ପରିବାର ହାତରୁ ଛଡ଼ାଇ ଆଣିଥିବା କଂଗ୍ରେସର ସାଧୁ ନେପାକ ୨୦୧୪ରେ ହାରି ଯାଇଥିଲେ। ତେଣୁ ଦଳ ଏଥର ତାଙ୍କୁ ଟିକଟ ନ ଦେଇ ଯୁବନେତା ନିପନ ଦାସଙ୍କୁ ପ୍ରାର୍ଥୀ କରିଛି। ତେବେ ରାଜନୀତିରେ ନିପନ ନୂଆ ମୁହଁ। ତାଙ୍କର ସଂଗଠନ ଏତେ ଦୃଢ ନାହିଁ। ଅନ୍ୟପକ୍ଷେ ଟିକଟ ନ ପାଇ କଂଗ୍ରେସର ପୁରୁଣା ମୁହଁ ସାଧୁ ନେପାକ ଦଳ ଛାଡି ଦେଇଛନ୍ତି। ତେଣୁ ଏପରି ସ୍ଥିତିରେ କଂଗ୍ରେସର ଜିତିବା ଆଶା ସେତେ ଉଜ୍ବ୍ବଳ ନୁହେଁ।

ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ, ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ପାଇଁ ସବୁ ସମୟରେ ଚର୍ଚ୍ଚାରେ ରହିଛି। ନିର୍ବାଚନରେ ଚାଷ ଓ ଚାଷୀଙ୍କ ପ୍ରସଙ୍ଗକୁ ସବୁ ରାଜନୈତିକ ଦଳ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। କୃଷକ କାର୍ଡରୁ ରାଜନୈତିକ ଦଳଗୁଡିକ କେତେ ବଳ ଗୋଟାଇବେ ତାରି ଉପରେ ରହିବ ନଜର।

   Related Posts