ଗାନ୍ଧି ଜୟନ୍ତୀରୁ କର୍କଟ ରୋଗୀଙ୍କୁ ଯୋଗାଇ ଦିଆଯିବ ‘ଉପଶମ ଚିକିତ୍ସା’, ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ୭ ଟି ଜିଲ୍ଲାରେ ମିଳିବ ସୁବିଧା

Published By : Prameya-News7 Bureau | August 17, 2019 IST

ଭୁବନେଶ୍ୱର ୧୭।୮: ଆସନ୍ତା ଗାନ୍ଧି ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୭ଟି ଜିଲ୍ଲାରେ ଏହି ଚିକିତ୍ସା ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ରୋଗୀମାନେ କର୍କଟ ରୋଗ ଚିକିତ୍ସାରେ କେମୋ ନେଉଛନ୍ତି ସେମାନଙ୍କ ଯନ୍ତ୍ରଣା ଉପଶମ ଲାଗି ରାଜ୍ୟ ସରକାର ଏହି ସେବା ଯୋଗାଇଦେବେ। ଏଥିରେ ରୋଗୀମାନଙ୍କ ଲାଗି ଜିଲ୍ଲାସ୍ତରୀୟ ହସ୍ପିଟାଲମାନଙ୍କରେ ସ୍ୱତନ୍ତ୍ର ଶଯ୍ୟା ସମେତ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ବାଲେଶ୍ୱର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲା ଚିକିତ୍ସାଳୟରେ ଏହି ଉପଶମ ଚିକିତ୍ସା ସେବା ଉପଲବ୍ଧ କରାଯିବ। ଏହାର ସଫଳତା ଆଧାରରେ ୨୦୨୦-୨୧ ସୁଦ୍ଧାର ରାଜ୍ୟର ଅନ୍ୟ ହସ୍ପିଟାଲମାନଙ୍କରେ ଏହି ଚିକିତ୍ସା ସେବା ଉପଲବ୍ଧ ହେବ। ଏବେ କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୨୬ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ କେମୋଥେରାପୀ ଉପଲବ୍ଧ ହେଉଥିବା ବେଳେ ଖୁବ୍ ଶୀଘ୍ର କଟକ ସିଟି ହସ୍ପିଟାଲ, ପୁରୀ, ମାଲକାନଗିରି, ମୟୁରଭ଼ଞ୍ଜ,ଦେବଗଡ, ଅନୁଗୁଳ, ବୁର୍ଲାର ଭିମସାର ଓ ବ୍ରହ୍ମପୁରର ଏମକେସିଜିରେ ଏହା ଆରମ୍ଭ ହେବ।

ବ୍ରହ୍ମପୁର ଏମକେସିଜି ଓ ବୁର୍ଲାର ଭିମସାରସ୍ଥିତ କର୍କଟ ରୋଗ ବିଭାଗମାନଙ୍କରେ ରୋଗୀଙ୍କ ଲାଗି ଉନ୍ନତମାନର ଚିକିତ୍ସା ସେବା ଉପଲବ୍ଧ କରାଯିବ। ସେହିପରି କଟକ ଏସସିବି ମେଡିକାଲରେ ଥିବା ଛାତି ଓ ଯକ୍ଷ୍ମା ରୋଗ ବିଭାଗକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ଚାଲିଥିବା ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯିବା ସହ ଏଠାରେ ଡିଏମ ପାଠ୍ୟକ୍ରମ ଆରମ୍ଭ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ହୋଇଛି।

ସେହିପରି ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ‘ମୋ ସରକାର’ ଯୋଜନା ଅନୁଯାୟୀ ସ୍ୱାସ୍ଥ୍ୟବିଭାଗ ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନେ ରୋଗୀମାନଙ୍କୁ ସିଧାଶଳଖ  ଟେଲିଫୋନ କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବେ। ମେଡିକାଲ କଲେଜ ଓ ହସ୍ପିଟାଲରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଚିକିତ୍ସାଲାଗି ଆସୁଥିବା ରୋଗୀଙ୍କ ସହ ଦୈନନ୍ଦିନ ଏହି ଆଲୋଚନା ହେବ। କଟକ ଜିଲ୍ଲା ବାରଙ୍ଗ ଠାରେ କର୍କଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାର କରିଥିବା ରାଜିନାମା ଅନୁଯାୟୀ ୨୦୨୦ ସୁଦ୍ଧା ୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା, ରାଜ୍ୟ ମେଡିକାଲ ନିଗମର ଏମଡି, ଯୁଗ୍ମ ସଚିବ, ସ୍ୱତନ୍ତ୍ର ସଚିବ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଓ ୩ ମେଡିକାଲ କଲେଜ ତଥା ହସ୍ପିଟାଲର ସୁରିଣ୍ଟେଣ୍ଡେଣ୍ଟ ତଥା ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.