ଆୟୁଷ୍ମାନ ଭାରତ ଯୋଜନା : ୩୦ଟଙ୍କାର କାର୍ଡ଼ରେ ହେବ କ୍ୟାନସରର ଚିକିତ୍ସା ,ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି

Published By : Prameya-News7 Bureau | August 31, 2019 IST

ନୂଆଦିଲ୍ଲୀ ୩୧/୮: ମୋଦି ସରକାର ନିଜର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଜରିଆରେ ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଆପଣଙ୍କୁ ଖୁବ୍ ଶୀଘ୍ର କ୍ୟାନସରର ଚିକିତ୍ସା ଏବଂ ଆଣ୍ଠୁ ପ୍ରତିରୋପଣ ଭଳି ସର୍ଜରି ପାଇଁ ସୁବିଧା ପ୍ରଦାନ କରିପାରେ। ତେବେ ଆୟୁଷ୍ମାନ ଭାରତ ଜରିଆରେ ଉପଲବ୍ଧ କରାଯାଇଥିବା ମୋତିଆବିନ୍ଦୁ ଅପରେସନର ସୁବିଧା ବନ୍ଦ ହୋଇପାରେ। ବର୍ତ୍ତମାନ ଏହି ଯୋଜନା ଅନୁସାରେ ୧୩୦୦ରୁ ଅଧିକ ରୋଗର ମାଗଣା ଚିକିତ୍ସା ହେଉଛି।

ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଦିଆଯାଉଥିବା ୧୩୦୦ମେଡିକାଲ ପ୍ୟାକେଜର ସମୀକ୍ଷା ପାଇଁ ନିତି ଆୟୋଗର ସଦସ୍ୟଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ସ୍ବାସ୍ଥ୍ୟ ସଚିବ ଏବଂ ଆୟୁଷ୍ମାନ ଭାରତର ସିଇଓ ମଧ୍ୟ ସାମିଲ ଥିଲେ। କମିଟି ଏବେ ନିଜ ରିପୋର୍ଟକୁ ଚୂଡାନ୍ତ ରୂପ ଦେଇଛନ୍ତି।

କମିଟିର ସୁପାରିଶ ଅନୁସାରେ,ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ କ୍ୟାନସର କେୟାର ଏବଂ ଇମପ୍ଲାଣ୍ଟ ସର୍ଜରି ଭଳି ସୁବିଧା ମଧ୍ୟ ଲୋକଙ୍କୁ ପ୍ରଦାନ କରାଯିବ। କମିଟି ଚିକିତ୍ସା ବଦଳରେ ହସ୍ପିଟାଲରେ ହେଉଥିବା ଖର୍ଚ୍ଚରେ ମଧ୍ୟ ପରିବର୍ତ୍ତନ କରିବା ଲାଗି ସୁପାରିଶ କରିଛି। ଯୋଜନାରେ ଥିବା ୨୦୦ଟଙ୍କା ପ୍ୟାକେଜ ପାଇଁ ସୁବିଧାରେ ବୃଦ୍ଧି ଏବଂ ୬୩ଟଙ୍କା ପ୍ୟାକେଜରେ ସୁବିଧା ସାମାନ୍ୟ ହ୍ରାସ କରାଯାଇପାରେ।

ଯଦି ଆପଣ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଏହା ଜାଣିବାକୁ ପଡ଼ିବ ଯେ ଆପଣ ଏଥିପାଇଁ ଆପଣ ଯୋଗ୍ୟ କି ନୁହନ୍ତି। ଏହି ଯୋଜନାରେ ନିଜର ଏବଂ ନିଜ ପରିବାରର ନାଁ ଦେଖିବା ପାଇଁ ଆପଣଙ୍କୁ ଏହି ଯୋଜନାର ଓ୍ବେବସାଇଟ୍ https://www.pmjay.gov.in  ର ସାହାଯ୍ୟ ନେବାକୁ ପଡ଼ିବ। ଏହା ପରେ ନିଜ ମୋବାଇଲ୍ ନମ୍ବର ଦିଅନ୍ତୁ। ଏହା ପରେ କ୍ୟାପଚା ଆଡ କରନ୍ତୁ। ତା’ପରେ ଓଟିପି ଜେନେରେଟ କରନ୍ତୁ। ଏହା ପରେ ରାଜ୍ୟ ସିଲେକ୍ଟ କରନ୍ତୁ। ନିଜ ନାଁ କିମ୍ବା ଜାତି ଶ୍ରେଣୀରୁ ସର୍ଚ୍ଚ କରନ୍ତୁ। ଏହା ପରେ ନିଜ ତଥ୍ୟ ଦିଅନ୍ତୁ ଏବଂ ସର୍ଚ୍ଚ କରନ୍ତୁ। ଦ୍ବିତୀୟ ଉପାୟ ହେଉଛି ଆପଣ ଆୟୁଷ୍ମାନ ଭାରତ ଯୋଜନାର ହେଲ୍ଫଲାଇନ୍ ନମ୍ବର ୧୪୫୫୫ କିମ୍ବା ୧୮୦୦୧୧୧୫୬୫ରେ ଫୋନ୍ କରି ପାରିବେ।

ହସ୍ପିଟାଲରେ ଏବଂ କମନ୍ ସର୍ଭିସ୍ ସେଣ୍ଟରରେ ଗୋଲ୍ଡେନ୍ କାର୍ଡ଼ ହେବ। ଗ୍ରାମୀଣ ଅଞ୍ଚଳରୁ ସିଏସସି ପ୍ରସ୍ତୁତ କରାଯାଇଛି। ଏଠାରେ କାର୍ଡ଼ ପ୍ରସ୍ତୁତ କରିବାର କାମ ଆରମ୍ଭ ହୋଇଯାଇଛି। କାର୍ଡ଼ କରିବା ପାଇଁ ଆପଣଙ୍କୁ ୩୦ଟଙ୍କା ଦେବାକୁ ପଡ଼ିବ। ସିଏସଇ ବ୍ୟତୀତ କାର୍ଡ଼ ହସ୍ପିଟାଲରେ ମଧ୍ୟ ହୋଇପାରିବ। ହସ୍ପିଟାଲରେ କାର୍ଡ଼ ମାଗଣାରେ ହେବ।

 ତେବେ ସୂଚନାଯୋଗ୍ୟ ଯେ, ଓଡିଶା ସରକାର ଯେହେତୁ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିନାହାନ୍ତି ତେଣୁ ଓଡିଶା ରାଜ୍ୟର ଲୋକେ ଏହି ସୁବିଧା ପାଇବେ ନାହିଁ । ଅବଶ୍ୟ ଆୟୁଷ୍ମାନ ବାରତ ଯୋଜନାର ବିକଳ୍ପଭାବେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରୁ ଓଡିଶାର ବାସିନ୍ଦା ଫାଇଦା ଉଠାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.