ପ୍ରସିଦ୍ଧ କ୍ୟାନ୍ସର ରୋଗ ଚିକିତ୍ସକ ଡକ୍ଟର ଭି.ଶାନ୍ତାଙ୍କ ପରଲୋକ

Published By : Prameya-News7 Bureau | January 19, 2021 IST

ଚେନ୍ନାଇ ୧୯।୦୧ : ପରଲୋକରେ ବିଶିଷ୍ଟ କ୍ୟାନସର ବିଶେଷଜ୍ଞ ଡକ୍ଟର ଭି.ଶାନ୍ତା । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ଭୋର ୩ଟା ୫୫ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଡକ୍ଟର ଭି.ଶାନ୍ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଶୁଭେଚ୍ଛୁଙ୍କ ଶେଷ ଦର୍ଶନ ପାଇଁ ଡକ୍ଟର ଭି.ଶାନ୍ତାଙ୍କ ମୃତଦେହକୁ ଗାନ୍ଧୀ ନଗର କ୍ୟାନ୍‌ସର ହସ୍ପିଟାଲରେ ରଖାଯାଇଛି । ଦେଶର ପ୍ରମୁଖ କ୍ୟାନ୍ସର ଚିକିତ୍ସକଙ୍କ ମଧ୍ୟରେ ଗଣା ଯାଉଥିବା ଭି ଶାନ୍ତା ୬୫ ବର୍ଷ ପୂର୍ବେ ଏହି ଗାନ୍ଧୀ ନଗର କ୍ୟାନ୍‌ସର ହସ୍ପିଟାଲରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଡକ୍ଟର ଭି.ଶାନ୍ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  

୧୧ମାର୍ଚ୍ଚ ୧୯୨୭ରେ ମାଡ୍ରାସ ମାଇଲାପୁରରେ ଡକ୍ଟର ଭି.ଶାନ୍ତାଙ୍କ ଜନ୍ମ । ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏସ୍‌. ଚନ୍ଦ୍ରଶେଖର ତାଙ୍କର ମାମୁଁ ହୋଇଥିବା ବେଳେ ଅନ୍ୟତମ ନୋବେଲ ପୁରସ୍କାର ବିଜେତା ସି.ଭି,ରମଣ ତାଙ୍କର ସଂର୍ପକୀୟ ଅଜା ହେବେ । ଡକ୍ଟର ଭି.ଶାନ୍ତାଙ୍କ ସ୍କୁଲ ଚେନ୍ନାଇର ଜାତୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ପଠା ପଢା ଆରମ୍ଭ କରିଥିଲେ । ଏହାପରେ ସେ ୧୯୪୯ରେ ମାଡ୍ରାସର ଏକ ମେଡିକାଲ କଲେଜରୁ ଗ୍ରାଜୁଏସନ୍‌ ଏବଂ ୧୯୫୫ରେ ପୋଷ୍ଟ ଗ୍ରାଜୁଏସନ୍‌ ଶିକ୍ଷା ଶେଷ କରିଥିଲେ ।  

ଡି. ମୁତୁଲକ୍ଷ୍ମୀ  ନାମକ ଏକ କ୍ୟାନସର ଇନ୍‌ଷ୍ଟଚ୍ୟୁଟରେ ସେ ୩ ବର୍ଷ ପାଇଁ କାମ କରିଥିଲେ । ପରେ ସେ ଚେନ୍ନାଇରେ ଦେଶର ପ୍ରଥମ ଶିଶୁ କ୍ୟାନସର କ୍ଲିନିକ ସ୍ଥାପନ କରିଥିଲେ । ୧୯୭୫ରେ ଏହି ସଂସ୍ଥା ଭାରତର ପ୍ରଥମ ‘ରିଜିଓନାଲ କ୍ୟାନସର ରିସର୍ଚ ସେଣ୍ଟର ଆଣ୍ଡ ଟ୍ରିଟମେଣ୍ଟ ସେଣ୍ଟର’ ନାମରେ ନାମିତ ହୋଇଥିଲା । କ୍ୟାନ୍‌ସର ରୋଗୀଙ୍କ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରି ଦେଇଥିବା ଡକ୍ଟର ଭି. ଶାନ୍ତାଙ୍କୁ ତାଙ୍କର ଉତ୍ସର୍ଗୀକୃତ ଡାକ୍ତରୀ ସେବା ଲାଗି ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.