Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଇଚ୍ଛାଶକ୍ତି, ସାହସ ଏବଂ ସକାରାତ୍ମକ ଚିନ୍ତାଧାରା ଦ୍ୱାରା କ୍ୟାନ୍ସରକୁ ପରାସ୍ତ କରିହେବ

4/02/2019 at 7:04 PM

ଭୁବନେଶ୍ୱର ୪/୨ : କ୍ୟାନ୍ସର ଏକ ଦୁଃସାଧ୍ୟ ରୋଗ ହୋଇପାରେ । କିନ୍ତୁ ଏହା ସହିତ ଯୁଦ୍ଧ କରି ତାକୁ ପରାସ୍ତ କରିହେବ ବୋଲି ବିଶ୍ୱ କ୍ୟାନ୍ସର ଦିବସରେ ନିଜ ଅନୁଭୂତି ବଖାଣିଛନ୍ତି କ୍ୟାନ୍ସରରୁ ମୁକ୍ତ ହୋଇଥିବା କିଛି ରୋଗୀ ଦୃଢ଼ ଇଚ୍ଛାଶକ୍ତି, ସାହସ ଏବଂ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ କ୍ୟାନ୍ସର ଭଳି ରୋଗ ସହିତ ଯୁଦ୍ଧ କରିହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି ।


ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ୟାନ୍ସରରୁ ମୁକ୍ତି ପାଇଥିବା ବ୍ୟକ୍ତି ଏବଂ କ୍ୟାନ୍ସରରେ ପୀଡ଼ିତ ରୋଗୀମାନେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ, ବିଶିଷ୍ଟ ସାଇକୋନ୍ୟୁରୋବିକ୍ ବିଶେଷଜ୍ଞ ତଥା କ୍ୟାନ୍ସରରୁ ବର୍ତିଥିବା ଡ. ବି.କେ. ଚନ୍ଦ୍ରଶେଖର ଏବଂ ଅଙ୍କୋଲୋଜିଷ୍ଟମାନେ ନିଜର ବକ୍ତବ୍ୟ ରଖିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କ୍ୟାନ୍ସରରୁ ବର୍ତି ଥିବା କିଛି ମହିଳା ଏବଂ ପୁରୁଷଙ୍କ ଦ୍ୱାରା ହୋଇଥିବା ର‌୍ୟାମ୍ପ ଶୋ’ ।


ଏମାନଙ୍କ ମଧ୍ୟରୁ କେତେକ କ୍ୟାନ୍ସର ରୋଗକୁ ନେଇ ତାଙ୍କ ଅନୁଭୂତି ମଧ୍ୟ ବଖାଣି ଥିଲେ । ଏହି ଦିବସର ଥିମ୍ ଥିଲା “ଆଇ କ୍ୟାନ୍, ଆଇ ୱିଲ୍” ଅର୍ଥାତ୍ “ ମୁଁ ପାରିବି, ମୁଁ କରିବି” । ସମୟ ଥିଲା ଯେତେବେଳେ କ୍ୟାନ୍ସର ରୋଗ ଚିହ୍ନଟ ହେବାବେଳେ ଏହାକୁ ମୃତ୍ୟୁର ଘଂଟି ବୋଲି କୁହାଯାଉଥିଲା । ତେବେ ବିଜ୍ଞାନର ପ୍ରଗତି ସହିତ ବର୍ତମାନ ପରିସ୍ଥିତି ବଦଳିଗଲାଣି । ବର୍ତମାନ ଜଣେ ବ୍ୟକ୍ତି ନିଜର ଦୃଢ଼ ଇଚ୍ଛାଶକ୍ତି, ସାହସ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା କ୍ୟାନ୍ସରକୁ ପରାସ୍ତ କରିପାରିବେ ବୋଲି କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ଅନୁ ଚୌଧୁରୀ । ସେହିପରି ନିଜର ଅନୁଭୂତି ବଖାଣି ଡ. ଚନ୍ଦ୍ରଶେଖର କହିଛନ୍ତି ତାଙ୍କୁ କ୍ୟାନ୍ସର ହେବା ପରେ ଦୁଇଟି ଅପରେସନ୍ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବରଂ ତାଙ୍କୁ ହେପାଟାଇଟିସ୍ ସି ଇନ୍ଫେକ୍ସନ୍ ଏବଂ ଲିଭର ସିରୋସିସ୍ ହୋଇଯାଇଥିଲା । ଦୀର୍ଘ ଦେଢ଼ବର୍ଷ ଚିକିତ୍ସାରେ ରହିବା ପରେ ସେ ଅନୁଭବ କଲେ ସେ ନୁହଁନ୍ତ ବରଂ ତାଙ୍କ ଶରୀର ରୋଗଗ୍ରସ୍ତ ହୋଇଛି ଏବଂ ସେ ଆବିଷ୍କାର କଲେ ଯେ ସକାରାତ୍ମକ ଶକ୍ତି ଦ୍ୱାରା ମଣିଷ ସୁସ୍ଥ ରହିପାରିବ ।


ସାଇକୋନ୍ୟୁରୋବିକ୍ ମାଧ୍ୟମରେ କିଭଳି ସକାରାତ୍ମକ ଶକ୍ତି ଆହରଣ କରିହେବ ସେ ନେଇ ଡେମୋନ୍ଷ୍ଟ୍ରେସନ୍ ଦ୍ୱାରା ଉପସ୍ଥିତ ବ୍ୟକ୍ତିଙ୍କୁ ବୁଝାଇଥିଲେ ଡ. ଚନ୍ଦ୍ରଶେଖର । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ବର୍ତମାନ କୌଣସି ରୋଗକୁ ଆଉ ଭୟ କରିବାର କାରଣ ନାହିଁ । କିନ୍ତୁ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍ । ନିୟମିତ ବ୍ୟବଧାନରେ ସ୍କ୍ରିନିଂ କରାଇବା ଦ୍ୱାରା ସୁଫଳ ମିଳିଥାଏ ଏବଂ ସବୁଠାରୁ ଭଲ ଖବର ହେଉଛି ସର୍ଭିକାଲ୍ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ବର୍ତମାନ ପ୍ରତିଷେଧକ ଭାକ୍ସିନ୍ ମଧ୍ୟ ମିଳିବା ଆରମ୍ଭ ହେଲାଣି ।


ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ସୁରେଶ୍ୱର ମହାନ୍ତି, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ଡାକ୍ତର ସରୋଜ ପଣ୍ଡା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଡ. ପଣ୍ଡା କହିଥିଲେ ବର୍ତମାନ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ କ୍ୟାନ୍ସର ରୋଗ ହେଉଛି । ତେବେ ୭୦ ରୁ ୮୦ ପ୍ରତିଶତ ପିଲା କ୍ୟାନ୍ସରରୁ ଭଲ ହୋଇଯାଉଛନ୍ତି । ବୟସ୍କଙ୍କ ଅପେକ୍ଷା ପିଲାମାନେ କେମୋଥେରାପିକୁ ଅଧିକ ସହ୍ୟ କରିପାରୁଛନ୍ତି । କ୍ୟାନ୍ସରରେ ପିଡ଼ିତ ପିଲାମାନଙ୍କ ଚିକିତ୍ସା ୬ ମାସରୁ ୨ ବର୍ଷ ଭିତରେ ହୋଇଥାଏ ଏବଂ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ ବୋଲି ଡ. ପଣ୍ଡା କହିଥିଲେ ।


ସର୍ଜିକାଲ୍ ଅଙ୍କୋଲୋଜି ଡ. ସୁନୀଲ୍ ଅଗ୍ରୱାଲ କ୍ୟାନ୍ସର ରୋଗରେ ପିଡ଼ିତ ରୋଗୀର ସମ୍ପର୍କୀୟମାନଙ୍କ ମାନସିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଏଭଳି ଭୟରୁ ବାହାରିଯିବା ଉଚିତ୍ ବୋଲି ସେ କହିଥିଲେ ।


ଏହି ଅବସରରେ ସର୍ଜିକାଲ୍ ଅଙ୍କୋଲୋଜି ମୁଖ୍ୟ ଡ. ଅମିତାଭ ଜେନା ଓ ମେଡିକାଲ୍ ଅଙ୍କୋଲୋଜି ବିଭାଗର ଡ. ସୌମ୍ୟ ଏସ୍. ପଣ୍ଡା, ଡ. ସୌରଭ ମିଶ୍ର ଏବଂ ଡାକ୍ତର ପ୍ରୀତିଶ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ଚିଫ୍ ଫାୟାର ଅଫିସର ଶ୍ରୀ ରାମଚନ୍ଦ୍ର ସାହୁ ଗରୀବ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ୧୯୭୯ ମସିହାରେ କ୍ୟାନ୍ସର ରୋଗରେ ମୃତ୍ୟୁ ହୋଇଥିବା ତାଙ୍କ ମା’ଙ୍କୁ ସ୍ମରଣ କରି ଶ୍ରୀ ସାହୁ ଏହି ଟଙ୍କା ପ୍ରଦାନ କରିଥିଲେ ।

   Related Posts