କେନାଲ ଅଛି ହେଲେ ଅଚଳ, ପୋଡ଼ିଗଲାଣି ରବି ଫସଲ, ଏବେ ଚିନ୍ତାରେ ଚାଷୀ

Published By : Prameya-News7 Bureau | April 14, 2021 IST

ସାନଖେମୁଣ୍ଡି, ୧୪/୦୪: ସାନଖେମୁଣ୍ଡିର ରଘୁନାଥ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଚଳ ହୋଇଥିବା ସହ ଜଳଭଣ୍ଡାର ଅବବାହିକାରେ ଥିବା ଚାଷ ଜମିରେ ଜଳସେଚନ ଅଭାବରୁ ବ୍ୟାପକ ମାତ୍ରାରେ ଫସଲ ଉଜୁଡି ଯାଉଥିବା ଦେଖିବାକୁ ମିଳିଛି ।

ପାଣି ନ ଆସିବାରୁ ଚାଷୀମାନେ ଫସଲହାନି ସହ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ପ୍ରକଳ୍ପଟି କ୍ଷୁଦ୍ରଜଳ ସେଚନ ବିଭାଗ ବ୍ରହ୍ମପୁର ଡିଭିଜନ ୧ ଅଧୀନରେ ଥିବା ରଘୁନାଥ ସାଗର ଜଳଭଣ୍ଡାର ଉପରେ ସାନଖେମୁଣ୍ଡିର ପ୍ରମୁଖ କୃଷିଭିତ୍ତିକ ଅଞ୍ଚଳ ଜିଉରା, ସାମନ୍ତରାପୁର, ନରସିଂହଗଡ଼, ଗଙ୍ଗାପୁର, ପଳାସପୁର, ରଘୁନାଥପୁର ଅଞ୍ଚଳର ଶତାଧିକ ହେକ୍ଟର ଚାଷଜମି ନିର୍ଭର କରୁଛି । ଏଥି ସହିତ ଏହି ଅଞ୍ଚଳର ଚାଷ ଜମିରେ ବିଶେଷକରି ବାଇଗଣ, ଫୁଲ, ଫଳ, କୋବି, ଟମାଟ, ଝୁଡୁଙ୍ଗ, କାକୁଡି, କଲରା, ବିନସି ଭଳି ବିଭିନ୍ନ ରକମର ପନି ପରିବା ସମେତ ଆଖୁ ଫସଲ ହୋଇଥାଏ । ଚଳିତ ବର୍ଷ ରଘୁନାଥ ସାଗର ଜଳଭଣ୍ଡାର ପ୍ରକଳ୍ପ କେନାଲରେ ଗତ ତିନି ମାସ ଧରି ପାଣି ଆସୁନଥିବା ଯୋଗୁଁ ଅଞ୍ଚଳର ବହୁ ଚାଷ ଜମିରେ ଆଖୁ ପରିବା ଫସଲ ଜଳିଯାଇଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ।

କ୍ଷୁଦ୍ର ଜଳସେଚନ ବିଭାଗର ଦାଇତ୍ୱ ହୀନତା  ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷତି ସହିଥିବା କହିଛନ୍ତି । ରଘୁନାଥ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲ ଫାଟକ ଗତ ତିନି ମାସ ହେଲା ଅଚଳ ହୋଇପଡିଛି । କେନାଲ ଫାଟକ ଗେଟରୁ ଲୁହାଖମ୍ବ ସଂଯୋଗ ବିଛିନ୍ନ ହୋଇଥିବା କେନାଲ ଫାଟକ ଉପରକୁ ଉଠୁନାହିଁ ଫଳରେ ୩ ମାସ ହେଲା କେନାଲ ଯୋଗେ ଜମିକୁ ପାଣି ମାଡୁନାହିଁ । ଦୀର୍ଘ ୩ ମାସ ହେଲା ଉଦ୍ୟାନ କୃଷି ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜିଉରା ଗଙ୍ଗାପୁର ଅଞ୍ଚଳର ଚାଷଜମିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ସାମାନ୍ୟ ଫାଟକ ଅଚଳ ତୃଟିକୁ ସଜାଡ଼ିବାରେ କ୍ଷୁଦ୍ରଜଳ ସେଚନ ବିଭାଗର ଅକ୍ଷମତା ଯୋଗୁଁ ଚାଷୀମାନେ ନାହିଁନଥିବା କ୍ଷତି ସହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.