ପାଠ ପଢିବାକୁ ଏବେ କାନାଡା, ଗତବର୍ଷ ୧.୩୯ଲକ୍ଷ ଭାରତୀୟ ଛାତ୍ରଙ୍କୁ ଓଟାଓ୍ବା ଦେଇଛି ଷ୍ଟଡି ପରମିଟ୍

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮।୨: କାନାଡାରେ ୨୦୧୯ ମସିହାରେ ଭାରତୀୟ ଛାତ୍ରଙ୍କୁ ଏକ ଲକ୍ଷରୁ ଅଧିକ ଷ୍ଟଡି ପରମିଟ୍ ଦିଆଯାଇଛି । ଗତବର୍ଷ କାନାଡାରେ ୪ଲକ୍ଷରୁ ଅଧିକ ଷ୍ଟଡି ପରମିଟ୍ ଦିଆଯାଇଥିଲା । ଏହି ପରମିଟ୍ ମଧ୍ୟରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ଅଧିକ ରହିଛି । ୧.୩୯ ଲକ୍ଷ ଛାତ୍ର ଙ୍କୁ ଏହି ପରିମିଟ୍ ମିଳିଛି । ମୋଟ୍ ଷ୍ଟଡି ପରମିଟ୍ ମଧ୍ୟରୁ ଏହା ୩୪.୫ ପ୍ରତିଶତ । ଭାରତ ପରେ ଚୀନ୍ ର ଛାତ୍ରଙ୍କୁ ଏହି ପରିମିଟ୍ ଅଧିକ ମିଳିଛି । ଏମାନଙ୍କ ସଂଖ୍ୟା ୨୧ ପ୍ରତିଶତ ।

୨୦୧୮ରେ କାନାଡା ୩.୫୫ ଲକ୍ଷ ଷ୍ଟଡି ପରମିଟ୍ ମଞ୍ଜୁରୀ କରିଥିଲା । ୨୦୧୮ ତୁଳନାରେ ୨୦୧୯ରେ ୧୩.୮ ପ୍ରତିଶତ ଅଧିକ ପରମିଟ୍ ମିଳିଛି । ଗତ ୩ ବର୍ଷର ଆକଳନରୁ ଜଣାପଡିଛି ଯେ, ଚୀନ୍ ଛାତ୍ରଙ୍କ କ୍ଷେତ୍ରରେ ଏହି ପରମିଟ୍ ହ୍ରାସ ପାଇଛି ।  କାନାଡାରେ ପଢିବାକୁ ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି ।

୨୦୧୯ରେ ଚୀନ୍ ର ୮୪୭୧୦ ଛାତ୍ରଙ୍କୁ ଷ୍ଟଡି ପରମିଟ୍ ଦିଆଯାଇଥିଲା । ଏହା ଗତବର୍ଷ ତୁଳନାରେ ଏହି ସଂଖ୍ୟା ୮୫୧୬୫ କମ୍ । ସେହିଭଳି ଭାରତୀୟ ଛାତ୍ରଙ୍କୁ ଦିଆଯାଇଥିବା ଷ୍ଟଡି ପରମିଟ୍ ସଂଖ୍ୟାରେ ୩୦.୩ ପ୍ରତିଶତ ବୃଦ୍ଧି ହୋଇଛି । ୨୦୧୮ରେ ୧.୦୭ ଲକ୍ଷ ଛାତ୍ରଙ୍କୁ ଷ୍ଟଡି ପରମିଟ୍ ମିଳିଥିଲା । ୨୦୧୯ରେ ଏହି ସଂଖ୍ୟା ବୃଦ୍ଧି ପାଇଛି ୧.୩୯ ଲକ୍ଷ ହୋଇଛି । ୨୦୧୭ରେ ଭାରତୀୟ ୮୨୯୯୦ ଛାତ୍ରଙ୍କୁ ଏହି ପରମିଟ୍ ମିଳିଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୮.୩ ପ୍ରତିଶତ ବୃଦ୍ଧି ପାଇଛି ।

କାନାଡା ବିଦେଶୀ ଛାତ୍ରଙ୍କୁ ତା ଦେଶରେ ପଢାଇବାକୁ ଷ୍ଟଡି ପରମିଟ୍ ଦେଇଥାଏ । ଷ୍ଟଡି ପରମିଟ୍ ପାଇଁ ଆବେଦନ କରିବା ସମୟରେ ଆପଣଙ୍କ ନିକଟରେ କୌଣସି ଶିକ୍ଷାନୁଷ୍ଠାନ ଦ୍ବାରା ଦିଆଯାଇଥିବା ସ୍ବୀକୃତି ପତ୍ର ଏବଂ ବୈଧ ପାସପୋର୍ଟ ଅଥବା ଯାତ୍ରା କାଗଜପତ୍ର ଥିବା ଜରୁରୀ । ଏହା ବ୍ୟତୀତ ଆୟ ପ୍ରମାଣପତ୍ର ଦେବାକୁ ପଡିବ । କୌଣସି ଅପରାଧିକ ରେକର୍ଡ ନଥିବା ଜରୁରୀ । ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜରୁରୀ । ଏଥିପାଇଁ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ପଡିବ ।

ଶିକ୍ଷାବର୍ଷ ଆରମ୍ଭ ହେବାର ୧୫-୧୮ ମାସ ପୂର୍ବରୁ ଏଥିପାଇଁ ଆବେଦନ କରିବାକୁ ପଡିବ । କୌଣସି ବି ବିଶ୍ବବିଦ୍ୟାଳୟର ଓ୍ବେବସାଇଟ୍ ରେ ଏହାର ସୂଚନା ମିଳିଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.