ରାଜ୍ୟରେ ହେବ ନାହିଁ ଗଞ୍ଜେଇ ଚାଷ - ଚୋରା ଗଞ୍ଜେଇ ଚାଷ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ୱର ୧୯।୧୧ - ରାଜ୍ୟରେ ଗଞ୍ଜେଇ ଚାଷ ଆଇନ ସମ୍ମତ ହେବ ନାହିଁ । ଗଞ୍ଜେଇ ଚାଷକୁ ନେଇ ଯେଉଁ ପ୍ରସ୍ତାବ ଥିଲା ତାହା ଖାରଜ ହୋଇଥିବା କହିଛନ୍ତି ଅବକାରୀ ସଚିବ । ପୂର୍ବ ଭଳି ରାଜ୍ୟରେ ଗଞ୍ଜେଇ ଚାଷ ବେଆଇନ ରହିବ ବୋଲି ଲୋକସେବା ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

{"id":186742,"sizeSlug":"large"}

ଗଞ୍ଜେଇ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଯେଉଁ ଚର୍ଚ୍ଚା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ମିଳିବ ନାହିଁ ବୋଲି ଅବକାରୀ ସଚିବ ସ୍ପଷ୍ଟ କରିଛନ୍ତି । ପୂର୍ବ ସୁଚୀ ଅନୁଯାୟୀ, ଆଜି ଲୋକସେବା ଭବନରେ ବସିଥିଲା ଅବକାରୀ ବିଭାଗର ବୈଠକ । ଅବକାରୀ ସଚିବ, କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ତେବେ ବୈଠକରେ ଗଞ୍ଜେଇ ଚାଷକୁ ଆଇନସମ୍ମତ କରିବା ପ୍ରସ୍ତାବକୁ ଖାରଜ କରାଯାଇଥିଲା ।

{"id":186743,"sizeSlug":"large"}

ଅବକାରୀ ସଚିବ କହିଛନ୍ତି, କିଛି ଶିଳ୍ପ ସଂସ୍ଥା ଔଷଧ ପ୍ରସ୍ତୁତି ଦୃଷ୍ଟିକୋଣରୁ ଗଞ୍ଜେଇ ଚାଷକୁ ଆଇନସମ୍ମତ କରିବାକୁ ଲଗାତର ପ୍ରସ୍ତାବ ଦେଇ ଆସୁଛନ୍ତି । ଏ ନେଇ ଆଇନ ବିଭାଗର ପରାମର୍ଶ ଲୋଡ଼ା ଯାଇଥିଲା । ତେବେ ବର୍ତ୍ତମାନର ନିୟମ ଆଧାରରେ ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ୍ ନୁହେଁ ବୋଲି ଆଇନ ବିଭାଗ ମତ ଦେଇଛି । ସେହି ଆଧାରରେ ଅବକାରୀ ବିଭାଗ ଏଭଳି ପ୍ରସ୍ତାବକୁ ଖାରଜ କରିଛି । ବରଂ ଚୋରା ଗଞ୍ଜେଇ ଚାଷ ବିରୋଧରେ ସରକାର ଆହୁରି ଅଧିକ ସଶକ୍ତ ହେବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ, ଗତକାଲି ସରକାରଙ୍କୁ ଘେରିଥିବା ବିରୋଧୀ, ଆଜି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

{"id":186744,"sizeSlug":"large"}

ମଦ ବିକ୍ରି ବୃଦ୍ଧି ନୀତି ଯୋଗୁଁ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଛନ୍ତି ରାଜ୍ୟ ସରକାର । ଆଉ ଗଞ୍ଜେଇ ଚାଷକୁ ଆଇନ ସମ୍ମତ କରିବା ପ୍ରକ୍ରିୟା ଦେଖି ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅସମ୍ଭାଳ ଚାପ ଦେଖି ସରକାର ଏବେ ତୋବା ତୋବା କରିଛନ୍ତି।

{"id":186746,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.