ହରିୟାଣା କଂଗ୍ରେସରେ ଝଡର ଆଭାସ : ରାଜ୍ୟସଭା ଟିକେଟ ନେଇ ହୁଡ୍ଡା-ସୁରଯେଵାଲା ତୁ-ତୁ ମେଁ-ମେଁ, ବାଜି ମାରିନେବେ କି ଶୈଳଜା ?
12/03/2020 at 3:48 PM

କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ ଓ ବଡ ନେତାଙ୍କ ଭିତରେ ମତଭେଦ ଥମୁନି | କେବଳ ମଧ୍ୟ ପ୍ରଦେଶ ନୁହେଁ ଅନେକ ସ୍ଥାନରେ ବିଦ୍ରୋହର ସଂକେତ ମିଳିଲାନି | ବିଶେଷକରି ରାଜ୍ୟସଭା ଆସନକୁ ନେଇ କଂଗ୍ରେସ ମଧ୍ୟରେ ଚାଲିଥିବା ଟଣାଓଟରା ଶେଷ ହେବାର ନାଁ ନେଉନାହିଁ | ରାଜ୍ୟସଭା ଆସନକୁ ନେଇ ମଧ୍ୟ ପ୍ରଦେଶରେ ଝାମେଲା ସୃଷ୍ଟି ହୋଇଥିଲା | ଏହି ଝାମେଲା ଏତେ ବଢି ଯାଇଥିଲା ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି | କଂଗ୍ରେସର ଏହି କନ୍ଦଳ ବର୍ତ୍ତମାନ ହରିୟାଣାରେ ପହଞ୍ଚି ଗଲାଣି |
ସୂଚନାଯୋଗ୍ୟ ଯେ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା କଂଗ୍ରେସ ନେତୃତ୍ୱକୁ ଧମକ ଦେଇଛନ୍ତି ଯେ, ଯଦି ତାଙ୍କୁ କିମ୍ବା ତାଙ୍କ ପୁତ୍ର ଦୀପେନ୍ଦ୍ର ହୁଡ୍ଡାଙ୍କୁ ରାଜ୍ୟସଭାକୁ ପଠା ନଯାଏ ତାହେଲେ ବିଧାୟକ ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରସ୍ତୁତ ନାହାନ୍ତି |
ସୂଚନାଯୋଗ୍ୟ ଯେ, କେନ୍ଦ୍ର ନେତୃତ୍ୱ ହରିୟାଣାରୁ ଦଳର ମିଡ଼ିଆ ବିଭାଗର ମୁଖ୍ୟ ରଣଦୀପ ସିଂହ ସୁରଯେଵାଲା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟତର କୁମାରୀ ଶୈଳଜାଙ୍କ ନାମ ଉପରେ ବିଚାର କରୁଥିବା ଜଣାଯାଇଛି | କିନ୍ତୁ ଏହାର ବିରୋଧ କରୁଛନ୍ତି ଭୂପିନ୍ଦର ସିଂହ ହୁଡ୍ଡା | ସେ କହିଛନ୍ତି ଶୈଳଜାଙ୍କୁ ରାଜ୍ୟସଭା ପଠାଇବା ଆବଶ୍ୟକ ନାହିଁ |
ଭୂପିନ୍ଦର ସିଂହ ହୁଡ୍ଡା ଶୈଳଜାଙ୍କୁ ରାଜ୍ୟସଭା ଟିକେଟ ଦେବାକୁ ନେଇ ବିରୋଧ କରି କହିଛନ୍ତି ଯେ, ସେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ମଧ୍ୟ ଅଛନ୍ତି | ସେଥିପାଇଁ ତାଙ୍କୁ ରାଜ୍ୟସଭା ଟିକେଟ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ହୁଡ୍ଡା | ରଣଦୀପ ସିଂହ ସୁରଯେଵାଲାଙ୍କୁ ହରିୟାଣା କିମ୍ବା ଦେଶର କୌଣସି ରାଜ୍ୟରୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଛନ୍ତି ହୁଡ୍ଡା |
ଭୂପିନ୍ଦର ସିଂହ ହୁଡ୍ଡା କେନ୍ଦ୍ର ରାଜନୀତିରେ ପ୍ରବେଶ କରିବାକୁ ଇଛୁକ | ସେଥିପାଇଁ ସେ ରାଜ୍ୟସଭା ସାଂସଦ ହେବାକୁ ଚାହୁଁଛନ୍ତି | ଏହାସହ ସେ ନିଜ ପୁତ୍ରକୁ ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିବାକୁ ଚାହୁଁଛନ୍ତି | ସେ ନିଜ ପୁତ୍ରଙ୍କୁ ବିରୋଧୀ ଦଳ ନେତା କରିବାକୁ ଚାହୁଁଛନ୍ତି |
ଆସନ୍ତା ୪ ବର୍ଷ ଅର୍ଥାତ ବିଧାନସଭା ନିର୍ବାଚନ ପୂର୍ବରୁ ଦୀପେନ୍ଦ୍ର ହୁଡ୍ଡାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ପେସ କରିବାକୁ ପ୍ରସ୍ତୁତି କରୁଛନ୍ତି ହୁଡ୍ଡା | ସେ ଆହୁରି କହିଛନ୍ତି ଯେ, ଯଦି ତାଙ୍କୁ ରାଜ୍ୟସଭା ପଠାଇବାରେ କୌଣସି ଅସୁବିଧା ରହିଛି ତେବେ ତାଙ୍କ ବଦଳରେ ତାଙ୍କ ପୁଅ ଦୀପେନ୍ଦ୍ରଙ୍କୁ ରାଜ୍ୟସଭାକୁ ପଠାଯାଉ |
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଅନେକ ରାଜ୍ୟରେ କଂଗ୍ରେସର ସମସ୍ୟା ବଢି ଯାଇଛି | ମଧ୍ୟ ପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ରାଜ୍ୟସଭା ପାଇଁ ଦିଗବିଜୟ ସିଂହଙ୍କୁ ପ୍ରସ୍ତାବିତ କରାଯାଇଛି | କିନ୍ତୁ ହରିୟାଣାରେ ଯଦି ଭୁପେନ୍ଦ୍ର ସିଂହ ହୁଡ୍ଡା କିମ୍ବା ତାଙ୍କ ପୁତ୍ର ଦୀପେନ୍ଦ୍ର ହୁଡ୍ଡାଙ୍କ ଛଡା ଅନ୍ୟ କେଉଁ ନେତାଙ୍କୁ ରାଜ୍ୟସଭା ପଠାଯାଏ ତାହେଲେ ଦଳରେ କନ୍ଦଳ ହେବା ସୁନିଶ୍ଚିତ | ସେପଟେ ପ୍ରତିଶୃତି ଦେଇଥିଲେ ମଧ୍ୟ ବିହାରରେ ଆରଜେଡି କଂଗ୍ରେସକୁ ଗୋଟିଏ ହେଲେ ରାଜ୍ୟସଭା ଆସନ ଦେଇନାହିଁ | କିଛି ଦିନ ପୂର୍ବରୁ ଶକ୍ତି ସିଂହ ଗୋହିଲ ତେଜସ୍ୱି ଯାଦବଙ୍କୁ ତାଙ୍କ ପ୍ରତିଶୃତି ମନେ ପକାଇ ଦେଇଥିଲେ | ଶକ୍ତି ସିଂହ ଗୋହିଲ ଗୋଟିଏ ରାଜ୍ୟସଭା ଆସନ ଦାବି କରିଥିଲେ | କିନ୍ତୁ ତେଜସ୍ୱି ଯାଦବ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରି ଉଭୟ ରାଜ୍ୟସଭା ଆସନ ଆରଜେଡିକୁ ଦେଇଛନ୍ତି |