ବିଶେଷ ରିହାତି ସହ ଫ୍ଲାଟ ଓ ପ୍ରପର୍ଟି ବିକ୍ରି କରିବ ଏୟାର ଇଣ୍ଡିଆ: ୧୩.୩ ଲକ୍ଷରେ ଦିଲ୍ଲୀ-ମୁମ୍ବାଇ ସମେତ ୧୦ ବଡ ସହରରେ କିଣି ପାରିବେ ଘର

Published By : Prameya-News7 Bureau | June 19, 2021 IST

ନୂଆଦିଲ୍ଲୀ ୧୯/୦୬ : ଋଣରେ ବୁଡି ରହିଥିବା ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ବର୍ତ୍ତମାନ ଅର୍ଥ ଯୋଗାଡ ପାଇଁ ଦେଶର ଅନେକ ସହରରେ ଏହାର ଫ୍ଲାଟ ଏବଂ ଅନ୍ୟାନ୍ୟ ସମ୍ପତ୍ତି ( ଆବାସିକ, ବାଣିଜ୍ୟିକ ଏବଂ ପ୍ଲଟ ଅନ୍ତର୍ଭୁକ୍ତ) ବିକ୍ରି କରିବାକୁ ଯୋଜନା କରୁଛି। ସମ୍ପତ୍ତି ବିକ୍ରି କରି ଏୟାର ଇଣ୍ଡିଆ ୨୫୦-୩୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛି। ଏହି ସମ୍ପତ୍ତି ଦେଶର ୧୦ ଟି ପ୍ରମୁଖ ସହରର ଆବାସିକ ଅଞ୍ଚଳରେ ରହିଛି। ଜୁନ୍ ୧୮ ରେ ଜାତୀୟ ଖବରକାଗଜରେ ପ୍ରକାଶିତ ଏକ ବିଜ୍ଞାପନ ଅନୁଯାୟୀ ଏଥିପାଇଁ ଇ-ବିଡିଂ ଆୟୋଜନ କରାଯିବ। ଏହା ଜୁଲାଇ ୮ ରୁ ଆରମ୍ଭ ହେବ ଏବଂ ଜୁଲାଇ ୯ ରେ ଶେଷ ହେବ।

ମନି କଣ୍ଟ୍ରୋଲର ଖବର ଅନୁଯାୟୀ ଏହି ୟୁନିଟଗୁଡ଼ିକର ପ୍ରାରମ୍ଭିକ ବିଡିଂ ୧୩.୩ ଲକ୍ଷରୁ ଆରମ୍ଭ ହୋଇଛି। ଗ୍ରାହକମାନେ ୧୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଡିଂ ଲଗାଇ ପାରିବେ। ଏହି ନିଲାମ ସ୍ଲଟରେ ଅନେକ ଏମିତି ସମ୍ପତ୍ତି ଅଛି ଯାହାକୁ ପୂର୍ବରୁ ମଧ୍ୟ ଅନେକ ଥର ବିକ୍ରି ପାଇଁ ରଖାଯାଇଥିଲା।

ଏୟାର ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ମୁମ୍ବାଇରେ ଗୋଟିଏ ଆବାସିକ ପ୍ଲଟ୍ ଏବଂ ଫ୍ଲାଟ, ନୂଆଦିଲ୍ଲୀରେ ପାଞ୍ଚଟି ଫ୍ଲାଟ, ବେଙ୍ଗାଲୁରୁରେ ଗୋଟିଏ ଆବାସିକ ପ୍ଲଟ ଏବଂ କୋଲକାତାରେ ଚାରିଟି ଫ୍ଲାଟ ଅଛି। କମ୍ପାନୀ ଏହି ସମସ୍ତ ସମ୍ପତ୍ତି ବିକ୍ରି କରିବ। ସେହିଭଳି ଔରଙ୍ଗାବାଦରେ ଏକ ବୁକିଂ ଅଫିସ୍ ଏବଂ ଷ୍ଟାଫ୍ କ୍ୱାର୍ଟର, ନାଶିକରେ ୬ଟି ଫ୍ଲାଟ, ନାଗପୁରରେ ବୁକିଂ ଅଫିସ୍, ବିମାନ ଘର ଏବଂ ଭୁଜରେ ଏୟାରଲାଇନ ହାଉସ ଓ ଗୋଟିଏ ଆବାସିକ ପ୍ଲଟ ଏବଂ ଥିରୁବନନ୍ତପୁରମରେ ଗୋଟିଏ ଆବାସିକ ପ୍ଲଟ୍ ଏବଂ ମାଙ୍ଗାଲୁରୁରେ ଦୁଇଟି ଫ୍ଲାଟ ଅଛି।

କ୍ରେତାଙ୍କୁ ଆକର୍ଷିତ କରିବା ପାଇଁ ଏୟାର ଇଣ୍ଡିଆ କେତେକ ସମ୍ପତ୍ତିରେ ବିଶେଷ କରି ଟିୟର ୧ ସହରରେ ରିଜର୍ଭ ମୂଲ୍ୟ ହ୍ରାସ କରିଛି। ଅର୍ଥାତ୍ ଟିୟର ୧ ସହରରେ ବିମାନ କମ୍ପାନୀ ସମ୍ପତ୍ତି କ୍ରୟ ଉପରେ ଏକ ବିଶେଷ ରିହାତି ଦେବ। ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏହି ସମ୍ପତ୍ତିଗୁଡିକ ପ୍ରାୟ ୧୦ ପ୍ରତିଶତ ହ୍ରାସ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.