ଗତ ଡିସେମ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ, ଏବେ ଗିରଫ ହେବା ପରେ ବିଜେପି କହିଲା- ସଂପର୍କ ନାହିଁ

Published By : Prameya-News7 Bureau | September 06, 2020 IST

ବେଙ୍ଗାଲୁରୁ ୦୬।୦୯: ଡ୍ରଗ୍ସ ରାକେଟ୍‌ରେ ସାମିଲ ଥିବା ଅଭିଯୋଗରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ଵିବେଦୀଙ୍କୁ କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଗିରଫଦାରୀର ଦୁଇ ଦିନ ପରେ ପରେ କର୍ଣ୍ଣାଟକ ବିଜେପି ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଅଭିନେତ୍ରୀଙ୍କଠୁ ଦୂରତା ବଜାୟ ରଖିଛି। ରାଗିଣୀ ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅନେକ ପ୍ରଚାର କରିଥିଲେ।

୨୦୧୯ ଡିସେମ୍ବର  ଉପ ନିର୍ବାଚନରେ ରାଗିଣୀ ଦ୍ଵିବେଦୀ କେଆର ଆସନରୁ ବିଜେପି ବିଧାୟକ ନାରାୟଣ ଗୌଡାଙ୍କ ପାଇଁ ଡୋର ଟୁ ଡୋର ପ୍ରଚାର ଅଭିଯାନରେ ଭାଗ ନେଇଥିଲେ। ଗୌଡା ବର୍ତ୍ତମାନ ଉଦ୍ୟାନ କୃଷି, ନଗରପାଳିକା ପ୍ରଶାସନ ମନ୍ତ୍ରୀ ଅଛନ୍ତି।

ଏପରିକି ଦ୍ଵିବେଦୀ ହୁବୁଲି-ଧରଓ୍ଵାଦ ନଗରପାଳିକା ନିଗମରେ ସ୍ଵଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ବରିଷ୍ଠ ବିଜେପି ନେତା ସି.ଟି ରଭି କହିଛନ୍ତି ଅଭିନେତ୍ରୀଙ୍କ ସହ ପାର୍ଟିର କୌଣସି ସଂପର୍କ ନାହିଁ। ସେ ନା ପାର୍ଟିର କର୍ମକର୍ତ୍ତା ନା ପାର୍ଟି ତାଙ୍କୁ କୌଣସି ଦାୟିତ୍ଵ ଦେଇଛି। ବିଜେପି ସହ ତାଙ୍କର କୌଣସି ସଂପର୍କ ନାହିଁ  ବୋଲି ବରିଷ୍ଠ  ବିଜେପି ନେତା କହିଛନ୍ତି।

wp:html /wp:html

୨୦୧୯ରେ ବିଜେପିରେ ଯୋଗ ଦେବାକୁ ଚାହିଁଥିଲେ ଦ୍ଵିବେଦୀ

୨୦୧୯ ଏକ ଗଣମାଧ୍ୟମ ସାକ୍ଷାତକାରରେ ଦ୍ଵିବେଦୀ ବିଜେପିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ଏବଂ ସେ ମନ୍ତ୍ରୀ ଗୌଡାଙ୍କ ପାଇଁ ପ୍ରଚାର କରିଥିଲେ। ବର୍ତ୍ତମାନ କର୍ଣ୍ଣାଟକ ବିଜେପିର ରାଜ୍ୟ ସଭାପତି ବିଜୟେନ୍ଦ୍ର ୟେଦୁରପ୍ପା ଓ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପାଙ୍କ ପୁଅଙ୍କ ସହ କନ୍ନଡ ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ବିଜେପିର ଜଣେ ବରିଷ୍ଠ ନେତା ନାମ ନଛାପିବା ସର୍ତ୍ତରେ କହିଛନ୍ତି ଅନେକ ତାରକା ପାର୍ଟି ପାଇଁ ପ୍ରଚାର କରିଛନ୍ତି ଏବଂ ପାର୍ଟି ସେମାନଙ୍କର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରେ ନାହିଁ। କାହାରି ବ୍ୟକ୍ତିଗତ ଜୀବନ କିମ୍ବା ଗତିବିଧିରେ ପାର୍ଟିର କୌଣସି ନେଣଦେଣ ନାହିଁ। ରାଗିଣୀ ଦ୍ଵିବେଦୀ ଅନେକ ଲୋକଙ୍କ ପରି ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଅନ୍ୟ ତାରକାଙ୍କ ପରି ଆମର ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ବୋଲି ବିଜେପି ନେତା କହିଛନ୍ତି।

କିଛି ଅଭିନେତା ଏବଂ ଅଭିନେତ୍ରୀ ନିଜର ପ୍ରଚାର ପ୍ରସାର ପାଇଁ ସ୍ଵତଃପ୍ରବୃତ ଭାବେ ଅନେକ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାରରେ ସାମିଲ ହୁଅନ୍ତି। ଆଉ କିଛି ଅଭିନେତା ଓ ଅଭିନେତ୍ରୀଙ୍କୁ ଅର୍ଥ ଦେଇ ପ୍ରଚାର ଅଭିଯାନରେ ସାମିଲ କରିବାକୁ ପଡିଥାଏ। ଆମକୁ ଜଣା ନାହିଁ ଯେ ଡିସେମ୍ବରରେ ରାଗିଣୀ ଅଭିଯାନରେ କେମିତି ସାମିଲ ହେଲେ।

ଉଲ୍ଲେଖଯୋଗ୍ୟ ରାଗିଣୀ ଦ୍ଵିବେଦୀ ହେଉଛନ୍ତି ପୂର୍ବତନ ମିସ୍ ଇଣ୍ଡିଆ ଉପ ବିଜେତା। ସେ ଗତ ୧୧ ବର୍ଷ ହେବ ଦକ୍ଷିଣ ଭାରତୀୟ ଫିଲ୍ମରେ ଅନେକ ବଡ ବଡ ଅଭିନେତାଙ୍କ ସହିତ କାମ କରିଛନ୍ତି। ସେ ଏକ ମୋଡେଲ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଫ୍ୟାସନ ସୋରେ ରାମ୍ପର ନେତୃତ୍ଵ ନିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.