କମ୍ପୁଛି ତିର୍ତ୍ତୋଲ, ଜମୁଛି ବାଲେଶ୍ୱର : ଧର୍ମେନ୍ଦ୍ରଙ୍କ ରୋଡ୍ ସୋରେ ଲାଗିଲା ଧାଡି, ବାଲେଶ୍ୱରରେ କଂଗ୍ରେସ-ବିଜେଡି ହେଭିଓ୍ୱେଟଙ୍କ ପ୍ରଚାର

Published By : Prameya-News7 Bureau | October 30, 2020 IST

ବାଲେଶ୍ୱର, ୩୦।୧୦:  ନିର୍ବାଚନ ଯେତିକି ପାଖୋଉଛି, ସେତିକି ବଢ଼ୁଛି ଉପନିର୍ବାଚନ ପ୍ରଚାର ତାତି । ଆଜି ତିର୍ତ୍ତୋଲରେ ​‌ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଡ୍‌ ଶୋ’ କରି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ଜନତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ । ସେପଟେ ବିଜେଡି ଓ କଂଗ୍ରେସର ତୁଙ୍ଗ ନେତା ମଧ୍ୟ ରୋଡ୍‌ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଆଜି ତିର୍ତ୍ତୋଲରେ କମ୍ପିଥିଲା ନିର୍ବାଚନୀ ମାହୋଲ୍‌ ।

ଜବରଦସ୍ତ, ଜିନ୍ଦାବାଦ୍‌ । ରୋଡ୍‌ ଶୋ, ର୍ୟାଲି । ଆଗରେ ନେତା ପଛରେ ଶହ ଶହ କର୍ମୀ ।  କମ୍ପୁଛି ମାହୋଲ । ଜମୁଛି ପ୍ରଚାର ।  ଇଏ ଥିଲା ତିର୍ତ୍ତୋଲରେ ଉପନିର୍ବାଚନ ପ୍ରଚାର ତାତି । ଶୁକ୍ରବାର ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଏକ ଖୋଲା କାର୍‌ରେ ଶୋଭାଯାତ୍ରା କରି ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କ ପାଇଁ ତିର୍ତ୍ତୋଲବାସୀଙ୍କ ସମର୍ଥନ ଲୋଡ଼ିଥିଲେ ।  ଦେଖନ୍ତୁ କେମିତି ଛୋଟପିଲାଟିକୁ ସ୍ନେହରେ କୋଳକୁ ନେଉଛନ୍ତି ଧର୍ମେନ୍ଦ୍ର ।  ଆଉ ଏ ମଉସା ନିଜର ଅଭିଯୋଗ ଲେଖି କେନ୍ଦ୍ରମନ୍ତ୍ରୀଙ୍କ ହାତକୁ ବଢ଼ାଇ ଦେଉଛନ୍ତି, ତାକୁ ମଧ୍ୟ ସେ ସାଦରେ ଗ୍ରହଣ କରୁଛନ୍ତି  । ଯାହାକୁ ପଢ଼ି ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶର ମନ୍ତ୍ରକୁ ନେଇ ଉପନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବିଜେପି ତିର୍ତ୍ତୋଲକୁ ମଧ୍ୟ ମୋଦିଙ୍କ ବିକାଶଧାରାରେ ସାମିଲ୍‌ କରିବାକୁ ଧର୍ମେନ୍ଦ୍ର ଆହ୍ବାନ ଦେଇଛି ।

{"id":353508,"sizeSlug":"large"}

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କୃଷ୍ଣନନ୍ଦପୁର ବ୍ରିଜ  ନିମକଟରୁ ଆରମ୍ଭ କରିଥିଲେ ରୋଡ଼ ସୋ। କୃଷ୍ଣା ନନ୍ଦପୁରରୁ ବାହାରି ଧର୍ମେନ୍ଦ୍ର ତିର୍ତ୍ତୋଲ ବଜାର ହୋଇ ରଘୁନାଥପୁର ବଜାର ହୋଇ ବିରିଡି ବଜାର  ରୋଡ଼ ସୋ କରିଥିଲେ। ରୋଡ଼ ସୋ ବେଳେ ଧର୍ମେନ୍ଦ୍ର କହିଛନ୍ତି ୨୦ ବର୍ଷ ଧରି ତିର୍ତ୍ତୋଲରେ ବିକାଶ ହୋଇନି। ତେଣୁ ଏଥର ଲୋକେ ଠିକ ନିଷ୍ପତ୍ତି ନେବେ।  କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍‌ ଶୋ’ରେ ଶହଶହ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ୍‌ ହୋଇଥିଲେ । ତିର୍ତ୍ତୋଲରେ ବିଜେଡିର ଗଡ଼ ଭେଦିବାକୁ ପୂରା ଜୋର ଲଗାଇଛି ବିଜେପି । ଏଥିରେ ଧର୍ମେନ୍ଦ୍ର ସାମିଲ ହୋଇ ଲଢ଼େଇକୁ ଆଉ ପାଦେ ଆଗକୁ ନେଇଛନ୍ତି ।

ବାଲେଶ୍ବରରେ ମଧ୍ୟ ପ୍ରଚାର ଜୋରଦାର ହୋଇଛି । ସକାଳେ ବିଜେପି ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଏଥିରେ ସାମିଲ ହୋଇଥିଲେ ସାଂସଦ ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ । ବୈଷ୍ଣବ ୧୯୯୯ ମହାବାତ୍ୟା ସମୟରେ ବାଲେଶ୍ବର ଜିଲ୍ଲାପାଳ ଥିବାରୁ ସେସମୟ କଥା ମନେ ପକାଇ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଥିଲେ । ସେପଟେ ବିଜେଡି ନେତାଙ୍କ ପକ୍ଷରୁ ସ୍ବର୍ଗତଃ ମଦନମୋହନ ଦତ୍ତ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ କରି ଗାନ୍ଧିମୂର୍ତ୍ତି ତଳେ ଧାରଣା ଦିଆଯାଇଥିଲା । ସେହିପରି ବିଜେଡି ପକ୍ଷରୁ ଗତକାଲି ନବୀନଙ୍କ ଭର୍ଚୁଆଲ ରାଲି ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଜୋରଦାର ପ୍ରଚାର କରିଛନ୍ତି । କଂଗ୍ରେସ ମଧ୍ୟ ମମତା କୁଣ୍ଡୁଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀଙ୍କୁ ମୈଦାନକୁ ଓହ୍ଲାଇଛି । ପ୍ରଦୀପ ମାଝୀ ମଧ୍ୟ ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି । ସେହପରି ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ କିନ୍ନର ସଂଘ ପ୍ରଚାରକୁ ଓହ୍ଲାଇଛି । ସୋସିଆଲ ମିଡିଆରେ ବେଣୁଙ୍କ ପ୍ରଚାର ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.