ଆକାଶରେ ଉଡୁଛି ଡ୍ରୋନ୍ କ୍ୟାମେରା: ଲୋକଙ୍କ ସହ ମାଟିରେ ବସି ଗାଁର ବିକାଶ କଥା ଚିନ୍ତା କଲା ଜିଲ୍ଲା ପ୍ରଶାସନ
28/01/2020 at 9:10 PM

ମାଲକାନଗିରି୨୮/୧: ମାଲକାନଗିରି ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ମାଓବାଦୀ ଓ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ପରେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ନକ୍ସଲ ମାନେ ଗାଁରେ ପୋଡାଜଳା କରିବା ପରେ ଏବେ ଆଦିବାସୀ ଲୋକଙ୍କୁ ସୁରକ୍ଷା ଦେଉଛି ପୋଲିସ । ଜିଲ୍ଲାପାଳ ଓ ଏସ.ପି. ଘଟଣା ଉପରେ ନଜର ରଖିଛନ୍ତି । ଜୋଡାମ୍ବ ପଞ୍ଚାୟତୁ ମଡେଲ ଗାଁ କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି । ସୁରକ୍ଷା ବଳୟ ଭିତରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ରାସ୍ତା କାମ ।

ଆକାଶରେ ଉଡୁଛି ଡ୍ରୋନ୍ କ୍ୟାମେରା । ନକ୍ସଲଙ୍କ ଉପରେ କଡା ନଜର ରଖିବା ଲାଗି ଏସ.ପି.ଙ୍କ ହାତରେ ସ୍ବାଭିମାନ ଅଞ୍ଚଳର ଦୂର ଦୂରାନ୍ତର ଚିତ୍ର । ଆଉ ଏହାକୁ ଦେଖି ସ୍ବାଭିମାନ ଅଞ୍ଚଳରେ ବିକାଶର ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲା ଜନ୍ତୁରାଇ ଗାଁରେ ମାଓବାଦୀ ଓ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ୬ ଦଶନ୍ଧି ପରେ ଲାଲ୍ ବାହିନୀକୁ ବିରୋଧ କରିଥିବା ଆଦିବାସୀ ଲୋକଙ୍କୁ ଜିଲ୍ଲାପାଳ ଓ ଏସ.ପି. ସଲାମ୍ କରିଛନ୍ତି । ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କ ସହ ମାଟିରେ ବସି ଗାଁର ବିକାଶ କଥା ଚିନ୍ତା କରିଛି ଜିଲ୍ଲାପ୍ରଶାସନ ।

ତେବେ ହିଂସା ନୁହେ ବରଂ ବିରୋଧ କରି ନକ୍ସଲପନ୍ଥୀଙ୍କୁ ସ୍ବାଭିମାନ ଅଞ୍ଚଳରୁ ତଡିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଓ ଏସ.ପି. । ଜୋଡାମ୍ବର ଆଦିବାସୀ ଲୋକଙ୍କ ସାହାସ ଓ ବିକାଶର ବିଶ୍ବାସକୁ ଦେଖି ଏହି ଗାଁକୁ ଏକ ମଡେଲ ଭିଲେଜ କରିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏଥିପାଇ ଲୋକଙ୍କୁ ପୋଲିସ ସଂପୂର୍ଣ୍ଣ ଭାବେ ସୁରକ୍ଷା ଯୋଗାଇ ଦେବ ବୋଲି ଏସ.ପି. କହିଛନ୍ତି ।
ଜୋଡାମ୍ବ ପଞ୍ଚାୟତରେ ନକ୍ସଲ ହିଂସା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାବସ୍ଥା କଡାକଡି କରାଯାଇଛି । ସେଠାରେ ଶାନ୍ତି ନଫେରିବା ପର୍ଯ୍ୟନ୍ତ ରିଲିଫ କ୍ୟାମ୍ପରେ ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦିଆଯିବ । ସମଗ୍ର ସ୍ବାଭିମାନ ଅଞ୍ଚଳ ଏବେ ପୋଲିସ ଛାଉଣିରେ ପରିଣତ ହୋଇଛି । ତେବେ ଏହାରି ଭିତରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ରାସ୍ତା କାମ ।
ଗୁରୁପ୍ରିୟା ସେତୁ ନିର୍ମାଣା ହେବା ପରେ ଜାନବାଇ ଠାରୁ ଜୋଡାମ୍ବ ପର୍ଯ୍ୟନ୍ତ ଦିର୍ଘ ୧୪ କିଲୋମିଟର ରାସ୍ତା କାମକୁ ତ୍ବାରାନ୍ନିତ କରିଛି ମାଲକାନଗିରି ପୋଲିସ । ଜିଲ୍ଲା ପ୍ରଶାସନର ସମଗ୍ର ପ୍ରକ୍ରିୟାକୁ ନେଇ ବେଶ ଖୁସି ଅଛନ୍ତି ସ୍ବାଭିମାନ ଅଞ୍ଚଳବାସୀ । ଦିର୍ଘ ୬ ଦଶନ୍ଦି ପରେ ଏଭଳି କିଛି ଅଲଗା ଚିତ୍ର ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ । ଯେଉଁଠି ନିଜ ଅଞ୍ଚଳ ବିକାଶ ଲାଗି ନକ୍ସଳଙ୍କୁ ଘୋର ବିରୋଧ କରିଛନ୍ତି ଆଦିବାସୀ ଲୋକେ ।