ପ୍ଲାଇଙ୍ଗ୍‌ କିସ୍‌ରେ ଉଡାଉ ଦେଉଛନ୍ତି ହୋସ୍‌: 'ପଇସା ଦେ...ରାତି ସାରା ରହିବି, ସକାଳେ ପଳେଇବି.

Published By : Prameya-News7 Bureau | August 26, 2020 IST

ପୁରୀ୨୪ା୮ : ହେଲୋ, ଆଜ୍ଞା ଏଠି ଗୋଟେ ଝିଅଟେ… । ଫ୍ଲାଇଙ୍ଗ୍‌ କିସ୍‌ ଦେଉଛି, ୫ ଶହ ଟଙ୍କା ମାଗୁଛି । କହୁଛି ମୋତେ ରାତିଟା ପାଖରେ ରଖିଦେ, ସକାଳେ ପଳାଇବି । ଘରକୁ ନେ, ନହେଲେ ହୋଟେଲ୍‌ରେ… । ବାସ୍‌ ପ୍ରତିଦିନ ଫୋନ୍‌ କଲ୍‌ ରିସିଭ୍‌ କରି ପୁଲିସ ଏଇ କିଛି ପଦ କଥା ଶୁଣୁଛି । ରାତି ହେଉ କି ଦିନ । ନିୟମିତ ଭାବେ ସହରର ଯୁବକଙ୍କଠାରୁ ପ୍ରୌଢ ପର୍ଯ୍ୟନ୍ତ ସେ ଝିଅର ପ୍ରଲୋଭନର ଶିକାର ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି । ଜଣେ ନୁହେଁ । ୩ ଜଣ ସହରର ଗଳିକନ୍ଦି ବୁଲି ବୁଲି ଦେହ ବେପାର ଚଳାଉଥିବା ଅଭିଯୋଗ ହେଉଛି । ହେଲେ ପ୍ରଶାସନ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୁଲିସ ନିଜ ନିଜର ଥାନା ସୀମା ପାର୍‌ କରି ମୁଣ୍ଡରୁ ବୋଝ ଖସାଉଛି।

ପ୍ରତିଦିନ ଏଭଳି ଘଟଣା ଘଟୁଥିବାବେଳେ ରବିବାର କଂଗ୍ରେସର ଜଣେ ଯୁବ ନେତାଙ୍କୁ ଫ୍ଲାଇଙ୍ଗ୍‌ କିସ୍‌ ଦେଇ ୩ ଜଣଙ୍କ ମଧ୍ୟରୁ ଜଣେ ହଟହଟା ହୋଇଛି । ରାତି ପ୍ରାୟ ସାଢ଼େ ୧୦ଟା । ମାର୍କେଟ୍‌ ଛକରେ ଯୁବନେତା ଜଣକ ଛିଡା ହୋଇଥିଲେ । ସେଠାରେ ଛିଡା ହୋଇଥିଲେ ସେହି ୩ ଯୁବତୀ । ଜଣେ ହଠାତ୍‌ ଭ୍ୟାନିଟ୍‌ରୁ ବାହାର କରିଥିଲା ଏକ ଲିପ୍‌ଷ୍ଟିକ୍‌ । ଓଠରେ ଲଗାଇ ଯୁବନେତାଙ୍କୁ ଇସାରା କଲା ।

କ’ଣ ଏମିତି ହଉଚୁ ବୋଲି କହିବାବେଳେ ଝପଟି ଆସି ଯୁବତୀ ଜଣକ ଭିନ୍ନ ଏକ ଭଙ୍ଗୀରେ ୫ ଶହ ଟଙ୍କା ମାଗିଥିଲା । କିଛି କିଛି ବୁଝିପାରୁଥିବା ଯୁବନେତା ଜଣକ କାହିଁକି ବୋଲି ପଚାରିବାରେ ଯୁବତୀ କହିଲା ମୋତେ ନେଇ ପାଖରେ ରଖିବୁ । ସାରା ରାତି ରହି ସକାଳେ ମୁଁ ମୋ ବାଟରେ ପଳାଇବି । ଯୁବନେତାଙ୍କ ଠାରୁ ଏହି ଖବର ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇଥିଲା । ସେତେବେଳକୁ ୩ ଜଣ ଯୁବତୀଙ୍କ ମଧ୍ୟରୁ ୨ ଜଣଙ୍କୁ ଦୁଇ ଯୁବକ ବାଇକରେ ବସାଇ ସେଠାରୁ ନେଇ ପଳାଇଥିଲେ । ଫ୍ଲାଇଙ୍ଗ୍‌ କିସ୍‌ ଦେଇ ଟଙ୍କା ମାଗିଥିବା ଯୁବତୀ ଜଣକ ଏକ ଫଳ ଗୋଦାମ୍‌ରୁ କାଗଜ ପେଟି ମାଗି ନିକଟସ୍ଥ ଏକ ଦୋକାନ ବାରଣ୍ଡାରେ ବସି ମୁହଁରେ କସ୍‌ମେଟିକ୍‌ ମାରି ମେକପ୍‌ ହେଉଥିଲା । ଏହି ଘଟଣା ନେଇ ୧୦୦ ନମ୍ବରକୁ କଲ୍‌ ଯାଇଥିଲା । ଖବର ପାଇ ପହଞ୍ଚିଥିଲା ଟାଉନ୍‌ ଥାନା ପୁଲିସ । ଏଠି କ’ଣ କରୁଛୁ ବୋଲି ପଚାରିବାରେ ଯୁବତୀ ଖୋଲିଥିଲା ଗୁମର ।

। କହିଥିଲା ୩ ଜଣ ମିଶି ସହରରେ ବୁଲୁଛନ୍ତି । ଅନ୍ୟ ଦୁଇଜଣ ବୁଲି ବୁଲି ଦେହ ବେପାର କରୁଥିବାବେଳେ ସେ କେବଳ କୁଆଡେ ଯାଉନାହିଁ ବୋଲି ପୁଲିସ ଅଧିକାରୀଙ୍କୁ କହିଥିଲା । ଏମାନଙ୍କ ଚଳପ୍ରଚଳ ନେଇ ପୁଲିସ ଅଧିକାରୀ ଜଣକ ସବୁ ପଚାରି ବୁଝିଥିଲେ । ଏହି ସମୟରେ ବାବୁ ଜଣକ ବୁଝି ସାରିଥିଲେ ଯେ, ସେ ହେଉଛି ସେହି ଯୁବତୀ । ଯାହା ପାଇଁ ଫୋନ୍‌ ଆସୁଛି, ଯିଏ ନିୟମିତ ଭାବେ ବିଭିନ୍ନ ଥାନା ପୁଲିସର ମୁଣ୍ଡ ବିନ୍ଧା କରାଉଛି । ତେଣୁ ତାକୁ ସେଠାରୁ ଚାଲିଯିବା ପାଇଁ କହି କୁମ୍ଭାରପଡା ଥାନା ସୀମାକୁ ତଡିଥିଲେ । ଦୀର୍ଘ ୨୦ ମିନିଟ୍‌ କାଳ ଯୁବତୀ ଉପରେ ବିରକ୍ତ ହେବା ପରେ ଯୁବତୀ ନିଜର ବ୍ୟାଗ୍‌ ଓ କାଗଜ ପେଟି ଧରି କୁମ୍ଭାରପଡା ଥାନା ଅଧୀନ ଡାକ୍ତରଖାନା ଛକକୁ ଚାଲିଯାଇଥିଲା । ଅସହାୟ ଅବସ୍ଥାରେ ଏହି ୩ ଯୁବତୀ ସହରରେ ବୁଲି ଏଭଳି କାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.