ଅଜଗର ଅଣ୍ଡାରୁ ବାହାରିଲା ଛୁଆ, କେକ୍‌ କାଟି ଖୁସି ମନାଇଲେ ବନବିଭାଗ କର୍ମଚାରୀ

Published By : Prameya-News7 Bureau | June 30, 2021 IST

ଭୁବନେଶ୍ୱର ୩୦।୦୬: ଗଡ଼ ନିଆଳି ଗାଁରୁ ଉଦ୍ଧାର ଅଜଗର ସାପ ଅଣ୍ଡାରୁ ଫୁଟିଲା ଛୁଆ । ଗତ ମେ ମାସରେ ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ଅଜଗର । ଖୋର୍ଦ୍ଧା ଜିଲ୍ଲା ଗଡନିଆଳି ଗାଁରୁ ଉଦ୍ଧାର ହୋଇଥିବା ଅଜଗର ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । କେତେକ ଅଣ୍ଡାରୁ ଛୁଆ ବାହାରିଥିବା ବେଳେ ଆଉ କେତେକ ଅଣ୍ଡାରୁ ଛୁଆ ଫୁଟିବା ବାକି ରହିଛି । ତେବେ ଅଜଗର ଅଣ୍ଡାରୁ ଛୁଆ ଫୁଟିବା ପରେ କେକ୍‌ କାଟି ଖୁସି ମନାଇଛନ୍ତି ବନବିଭାଗ କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ଗତ ମେ ମାସରେ ଗାଁ ନିକଟ ଜଙ୍ଗଲ ଭିତରେ ଏକ ଗାତରେ ବିରାଟ ଅଜଗର ଦେଖିବାକୁ ମିଳିଥିଲା । ଏନେଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଜଣାଇଥିଲେ ଗ୍ରାମବାସୀ । ପରେ ଉଭୟ ବନ ବିଭାଗ ଓ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ପହଂଚି ସାପଟି ଅଣ୍ଡା ଦେଇଥିବା ଜାଣି ପାରିଥିଲେ । ସାପଟି ସେହିଠାରେ ରହି ଅଣ୍ଡାରୁ ଛୁଆ ଫୁଟାଇବା ଯାଏଁ ତାକୁ ଗ୍ରାମବାସୀ ସୁରକ୍ଷା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ବର୍ଷାଦିନ ଆସିବାରୁ ଅଣ୍ଡା ଗୁଡିକର ସୁରକ୍ଷା ଜରୁରୀ ହୋଇପଡିଲା । ଏହା ପରେ ଅଣ୍ଡାଗୁଡିକୁ ଖୋର୍ଦ୍ଧା ହଳଦିଆ ରେଞ୍ଜରେ ଆଣି ରଖିଥିଲେ ।

୧୮ ଦିନ ପରେ ମା ଅଜଗର ଅଣ୍ଡା ଗୁଡିକୁ ବସାରେ ଛାଡି ବାହାରକୁ ପଳେଇ ଯାଇଥିଲା । ଦୀର୍ଘ ୧୦ ଘଣ୍ଟା ଅପେକ୍ଷା କରିବା ପରେ ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସହାୟତାରେ ମା’ ଅଜଗରକୁ ଧରି ଚନ୍ଦକା ଅଭୟାରଣ୍ୟରେ ଛାଡି ଥିଲା । ଅଣ୍ଡା ଗୁଡିକୁ ପ୍ରଥମେ ନିଆଳି ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ରଖା ଯାଇଥିଲା । କିନ୍ତୁ ସେଠାରେ ପିମ୍ପୁଡି ଲାଗିବା ଫଳରେ ଦିନକ ପରେ ଅଣ୍ଡା ଗୁଡିକୁ ମିନଚିନ୍ ପାଟଣା ରେଞ୍ଜ କାର୍ଯ୍ୟାଳୟରେ ସ୍ନେକ ହେଲ୍ପଲାଇନ ତରଫରୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଜୁନ ୨୯ ତାରିଖରେ ପ୍ରଥମ ଅଜଗର ଅଣ୍ଡା ଫୁଟି ବାହାରିଥିଲା । ଆଜି ଏ ପର୍ଯ୍ୟନ୍ତ ମୋଟ ୪ ଅଣ୍ଡା ଫୁଟି ସାରିଛି ଏବଂ ଅନ୍ୟ ୨୩ ଅଣ୍ଡା ଫୁଟିବା ପାଇଁ ବାକି ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.