୩୦୦୦ ଚୀନୀ ବସ୍ତୁ ବିରୋଧରେ ୧୦ରୁ ଦେଶରେ ଆରମ୍ଭ ହେବ ବଡ ଅଭିଯାନ

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୦୭।୦୬:  ଚୀନ ସାମଗ୍ରୀ ବହିଷ୍କାର ନେଇ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ଖୋଲାଖୋଲି ସାମ୍ନାକୁ ଆସିଛି। କ୍ୟାଟ୍ ପକ୍ଷରୁ ଚୀନୀ ବସ୍ତୁର ବହିଷ୍କାରକୁ ଦୃଷ୍ଟିରେ ରଖି ବୁଧବାର ଅର୍ଥାତ ଜୁନ୍ ୧୦ରୁ ବଡ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲୋକାଲ ଫର ଭୋକାଲ’କୁ ପ୍ରୋତ୍ସାହିତ ଦେବାର ବେଶ୍ ସହାୟକ ହେବ।

କ୍ୟାଟ୍‌ ପକ୍ଷରୁ କୁହାଯାଇଛି, ଆମର ଲକ୍ଷ୍ୟ ଏହା ଯେ, ୨୦୨୧ ଡିସେମ୍ବର ସୁଦ୍ଧା ଚୀନୀ ବସ୍ତୁର ଭାରତ ଦ୍ଵାରା ହେଉଥିବା ଆମଦାନୀରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ହ୍ରାସ କରାଯାଉ। କ୍ୟାଟ୍‌ ଚୀନରୁ ଆମଦାନୀ ହେଉଥିବା ପ୍ରାୟ ୩ ହଜାର ଉତ୍ପାଦର ଏକ ତାଲିକା ପ୍ରସ୍ତୁତ କରୁଛି, ଯେଉଁ ବସ୍ତୁର ଆମଦାନୀ ନ ହେଲେ ବି ଭାରତ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ। ଏହି ସବୁ ବସ୍ତୁ ଭାରତରେ ପୂର୍ବରୁ ହିଁ ନିର୍ମାଣ ହେଉଛି।

{"id":282787,"sizeSlug":"large"}

କ୍ୟାଟ୍‌ ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ଏହି ଅଭିଯାନ ଅନ୍ତର୍ଗତ କ୍ୟାଟ୍‌ ଗୋଟିଏ ପଟେ ବ୍ୟବସାୟୀଙ୍କୁ ଚୀନୀ ବସ୍ତୁ ବିକ୍ରି ନକରିବାକୁ ଅପିଲ୍ କରିବ ଏବଂ ଅନ୍ୟପଟେ ଦେଶର ଜନତାଙ୍କୁ ସ୍ଵଦେଶ ଉତ୍ପାଦ ବ୍ୟବହାର କରିବାକୁ ଅନୁରୋଧ କରିବ। କ୍ୟାଟ୍‌ର ରାଜ୍ୟ ସଭାପତି ମହେନ୍ଦ୍ର ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ‘ଲୋକାଲ ଫର ଭୋକାଲ’କୁ ସଫଳ କରିବାରେ କ୍ୟାଟ୍‌ ଏକ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ।

କ୍ୟାଟ୍‌ର କହିବା କଥା ଚୀନୀ ବସ୍ତୁର ବହିଷ୍କାରକୁ ନେଇ ଭାରତର ବ୍ୟବସାୟୀ ଏବଂ ନାଗରିକ ସଂକଳ୍ପ ନେଇ ସାରିଛନ୍ତି। ଏହି କାମ ଗୋଟିଏ ରାତିରେ ହେବ ନାହିଁ ମାତ୍ର ଏହାର ତ ଆରମ୍ଭ କରିବାକୁ ପଡିବ ଏବଂ ଲକ୍ଷ୍ୟ ହାସଲ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.