ମୃତ୍ୟୁ ପୂର୍ବରୁ ଦୁଇ ଜଣଙ୍କୁ ଜୀବନ ଦେଇଗଲେ ପ୍ରିୟଙ୍କା, ଏସ୍‌ସିବି ଏବଂ ଆପୋଲୋ ହସ୍ପିଟାଲରେ ବିରଳ 'କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍'

Published By : Prameya-News7 Bureau | February 05, 2020 IST

ଭୁବନେଶ୍ବର। କଟକ ୫।୨: ରାଜ୍ୟର କିଡ୍‌ନୀ ପ୍ରତିରୋପଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି।  ରାଜ୍ୟରେ ପ୍ରଥମଥର ପାଇଁ କଟକ ଏସସିବି ଏବଂ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ କାଡାଭରିକ ପ୍ରତିରୋପଣ ହୋଇଛି। ଆପୋଲୋ ହସ୍ପିଟାଲରେ ବ୍ରେନ୍ ଡେଡ୍ ଘୋଷଣା ହୋଇଥିବା ମହିଳାଙ୍କ କିଡ୍‌ନୀକୁ ଦୁଇ ଜଣଙ୍କ ଦେହରେ ପ୍ରତିରୋପଣ କରାଯାଇଛି । ଏସସିବିରେ ବରଗଡ ଜିଲ୍ଲା ଅତାବିରା କୁହୁଣ୍ଡାର ଫିରୋଜ ସାହୁ ଏବଂ ଆପୋଲୋ ହସ୍ପିଟାଲରେ ଘନଶ୍ୟାମ ଜେନାଙ୍କ ଦେହରେ ସଫଳ ଭାବେ ପ୍ରତିରୋପଣ କରାଯାଇଛି ।  ଏହି ଜଟିଳ ଚିକିତ୍ସା ପ୍ରକ୍ରିୟାକୁ ସଫଳତାର ସହ ସଂପନ୍ନ କରିଛନ୍ତି ଏସସିବି ଏବଂ ଆପୋଲୋ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଟିମ୍‌ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାସିନ୍ଦା ପି. ପ୍ରିୟଙ୍କାରାଣୀ ପାତ୍ର (୨୨) ଗତ ୨୭ ତାରିଖରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା । ମସ୍ତିସ୍କ ମୃତ ଅବସ୍ଥାରେ ତାଙ୍କ ଅଙ୍ଗକୁ ଅନ୍ୟ କାହାରିକୁ ଦାନ କରିବା ନିମନ୍ତେ ପରିବାର ଲୋକ ସମ୍ମତି ଦେଇଥିଲେ । ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓଡିଶା ରାଜ୍ୟ ଅଙ୍ଗ ଓ ପ୍ରତିରୋପଣ ସଂଗଠନ ବା ଏସ୍‌ଓଟିଟିଓକୁ ସୂଚନା ଦିଆଯାଇଥିଲା ।

କିଡ୍‌ନୀ ପ୍ରତିରୋପଣ ପାଇଁ ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ କିଡ୍‌ନୀ କମିଟି ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। କିଡ୍‌ନୀ କାଢିବା ଲାଗି ପ୍ରାୟ ସାଢେ ୪ ଘଣ୍ଟା ସମୟ ଲାଗିଥିଲା। ମୃତ ବ୍ୟକ୍ତିର ରାତିରେ ଶବ ବ୍ୟବଚ୍ଛେଦ ପାଇଁ ନିୟମ ନ ଥିବାରୁ କମିସନରେଟ୍ ପୋଲିସ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଭାବେ ଅନୁମତି ନିଆଯାଇଥିଲା। ଯେଉଁ ହସ୍ପିଟାଲରେ ଦୁଇଟି କିଡ୍‌ନୀକୁ କଢା ଯାଇଥାଏ, ସେହି ହସ୍ପିଟାଲରେ କେବଳ ଗୋଟିଏ କିଡ୍‌ନୀ ପ୍ରତି‌ରୋପଣର ଅନୁମତି ମଳିଥାଏ। ତେଣୁ ଗୋଟିଏ କିଡ୍‌ନୀ ଏସସିବି ମେଡିକାଲ କଲେଜରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି ଆପୋଲୋରେ ପ୍ରତିରୋପଣ ହୋଇଛି।  

ଗତ ୨୭ ତାରିଖରେ ବ୍ରହ୍ମପୁରରୁ ଏକ ବିବାହ ଭୋଜିରେ ଯୋଗଦାନ କରି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ପୂର୍ବତନ କାଉନସିଲର ଭି.ଧର୍ମରାଜୁଙ୍କ ପରିବାରର ଫେରୁଥିବା ବେଳେ ତାଙ୍କ କାର ଏକ ପିକ୍‌ଅପ୍‌ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ତାଙ୍କ ପତ୍ନୀ, ପୁଅ ସନ୍ଦୀପ ରାଜୁ, ୨୨ ବର୍ଷୀୟ ବୋହୁ ପ୍ରିୟଙ୍କା, ନାତି ଓ ନାତୁଣୀ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୫ ଜଣ ଗୁରୁତର ଆହତ ହୋଇଥିଲେ । ଯେଉଁଥିରେ ତାଙ୍କ ପତ୍ନୀ, ପୁଅ ସନ୍ଦୀପ ରାଜୁ, ୨୨ ବର୍ଷୀୟ ବୋହୁ ପ୍ରିୟଙ୍କା, ନାତି ଓ ନାତୁଣୀ ଥିଲେ । ସମସ୍ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରିୟଙ୍କାଙ୍କୁ ବ୍ରେନ୍ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର । ପରିବାର ଲୋକେ ପ୍ରୟଙ୍କାଙ୍କ ଅଙ୍ଗ ଦାନ କରିବାକୁ ସମ୍ମିତ ପ୍ରକାଶ କରିଥିଲେ । ଆପୋଲ କର୍ତ୍ତୃପକ୍ଷ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ସଙ୍ଗେସଙ୍ଗେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା ।

ପ୍ରିୟଙ୍କା ସିନା ଚାଲି ଯାଇଛନ୍ତି । ହେଲେ ଯିବା ପୂର୍ବରୁ ଅନ୍ୟ ଦୁଇ ଜଣଙ୍କୁ ଜୀବନ ଦାନ କରି ସବୁବେଳେ ପାଇଁ ଅମର ହୋଇଯାଇଛନ୍ତି । ଝିଅର ଅଙ୍ଗଦାନ ଭଳି ଏକ ମହତ କାମକରି ତାଙ୍କ ପରିବାର ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.