୫୯ ବର୍ଷ ବୟସରେ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ; ଆସନ୍ତାକାଲି ହେବ ଶେଷକୃତ୍ୟ, ୩ଦିନ ଶୋକ ଘୋଷଣା କଲେ କର୍ଣ୍ଣାଟକ ସରକାର

Published By : Prameya-News7 Bureau | November 12, 2018 IST

ବାଙ୍ଗାଲୁରୁ ୧୨/୧୧ : ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ। ଗତକାଲି ବିଳମ୍ବିତ ରାତିରେ ବାଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା | ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା | ସେ କ୍ୟାନସରରେ ପୀଡିତ ଥିଲେ | ଗତମାସରେ ସେ ଆମେରିକାର ଏକ ହସ୍ପିଟାଲରୁ କ୍ୟାନସର ଚିକିତ୍ସା କରି ଫେରିଥିଲେ | ତାଙ୍କ ମରଶରୀରକୁ ବାଙ୍ଗାଲୁରୁ ନ୍ୟାସନାଲ କଲେଜରେ ଶ୍ରଦ୍ଧାଞ୍ଜଳି ପାଇଁ ରଖାଯାଇଛି | ତାଙ୍କ ବିୟୋଗରେ କର୍ଣ୍ଣାଟକ ସରକାର ୩ଦିନ ଶୋକ ଘୋଷଣା କରିଛନ୍ତି | ତାଙ୍କ ବିୟୋଗରେ ରାଜନୀତିରେ ଶୋକର ଛାୟା ଖେଳିଯାଇଛି | କର୍ଣ୍ଣାଟକର ଦକ୍ଷିଣ ବେଙ୍ଗାଲୁରୁର ସେ ଲୋକସଭା ଆସନ ପାଇଁ ୬ ଥର ନିର୍ବାଚିତ ହୋଇଥିଲେ | ମୋଦି ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀଭାବ କାର୍ଯ୍ୟ ତୁଲାଉଥିଲେ | ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବହୁ ନେତା ଉପସ୍ଥିତ ଥିଲେ | ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ଯେ, ଦେଶ ଜଣେ ବରିଷ୍ଠ ସାଂସଦ ହରେଇଛି | ଏଥିରେ ଦେଶର ମୁଖ୍ୟତଃ କର୍ଣ୍ଣାଟକର ଏକ ବଡ କ୍ଷତି ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଯେ, ଅନନ୍ତ କୁମାର କମ ବୟସରେ ରାଜନୀତିରେ ପାଦ ଦେଇଥିଲେ ଏବଂ ସମାଜ ପାଇଁ ବହୁତ ଭଲ ଭଲ କାମ କରିଥିଲେ | ଜଣେ ଉଲ୍ଲେଖନୀୟ ନେତା ଭାବେ ସବୁବେଳେ ମନେ ରହିବେ ବୋଲି କହିଛନ୍ତି ମୋଦି | କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ସେ ଜଣେ ବହୁତ ଭଲ ବନ୍ଧୁ ହରେଇଦେଇଛନ୍ତି | ରାଜନୀତି ବାହାରେ ଅନନ୍ତ କୁମାରଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ବହୁତ ଭଲ ଥିଲା | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୋକ ପ୍ରକାଶ କରି କହିଛନ୍ତି ଯେ, ଅନ୍ତ କୁମାରଙ୍କ ମୃତ୍ୟୁରେ ବିଜେପିର ବହୁତ ବଡ କ୍ଷତି ହେବ ସହ ସ୍ଥାନ ଶୂନ୍ୟ ହୋଇଯାଇଛି | ଅନନ୍ତ କୁମାର ୧୯୫୯ ମସିହା ଜୁଲାଇ ୨୨ ତାରିଖରେ ବାଙ୍ଗାଲୁରୁର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ | ତାଙ୍କ ପିତା ନାରାୟଣ ଶାସ୍ତ୍ରୀ ଜଣେ ରେଳବାଇ କର୍ମଚାରୀ ଥିଲେ | ସେ କଳା ଏବଂ ଆଇନରେ ସ୍ନାତକ କରିଥିଲେ | ୧୯୮୭ ମସିହାରେ ସେ ବିଜେପିରେ ଯୋଗ ଦେଇ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଏବଂ ରାଜ୍ୟ ସଭାପତି ପଦର ନେତୃତ୍ୱ ନେଇଥିଲେ | ୧୯୯୬ ମସିହାରେ ସେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ସେବେଠାରୁ ଏବେ ପର୍ଯ୍ୟନ୍ତ ଷଷ୍ଠ ଥର ପାଇଁ ସେ ସାଂସଦ ଥିଲେ | ସେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୯୯୮ ମସିହାର କ୍ୟାବିନେଟର ସର୍ବ କନିଷ୍ଠ ମନ୍ତ୍ରୀ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.