ମୋଦୀ ୨.୦ର ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ବୈଠକ: କୃଷକ ଓ ଏମଏସଏମଇ ପାଇଁ ହେଲା ବଡ ଘୋଷଣା, ୬୬ କୋଟି ଲୋକଙ୍କୁ ମିଳିବ ଫାଇଦା
1/06/2020 at 4:34 PM

ନୂଆଦିଲ୍ଲୀ ୦୧।୦୬: ଅନଲକ୍-୧ର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ମୋଦୀ ୨.୦ର ପ୍ରଥମ କ୍ୟାବିନେଟ୍ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ଅନେକ ମହତ୍ଵପୂର୍ଣ୍ଣ ଐତିହାସିକ ନିର୍ଣ୍ଣୟ ନିଆଯାଇଛି। ବିଶେଷ କରି କୃଷକ, ଏମଏସଏମ ସେକ୍ଟର ଓ ଛୋଟ ଦୋକାନୀଙ୍କ ଉପରେ ଅଗ୍ରାଧିକାର ଦିଆଯାଇଛି। ଦେଶ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ଏମଏସଏମଇ ସେକ୍ଟରରେ କାମ କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୬ କୋଟି ରହିଛି। ଏହା ସହିତ ଭାରତ ସରକାର ଏମଏସଏମଇର ପରିଭାଷାକୁ ସଂଶୋଧିତ କରିଛନ୍ତି। ମୋଦୀ ସରକାରଙ୍କ ଆଜିର ଘୋଷଣାରେ ଦେଶର ପ୍ରାୟ ୬୬ କୋଟି ଲୋକଙ୍କୁ ଫାଇଦା ହେବ। ଏଥିରେ ୫୫ କୋଟି ଲୋକ କୃଷିକାର୍ଯ୍ୟ ଉପରେ ନିର୍ଭର ଥିବା ବେଳେ ୧୧ କୋଟି ଏମଏସଏମଇ ସେକ୍ଟରରେ କାମ କରନ୍ତି। କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର, ନୀତିନ ଗଡକରୀ ଓ ନରେନ୍ଦ୍ର ସିଂହ ତୋମାର ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
୫୦ ହଜାର କୋଟି ଇକ୍ଵିଟି ନିବେଶ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ଯୋଜନାରେ ଏମଏସଏମଇ କ୍ଷେତ୍ର ପାଇଁ ଆବଣ୍ଟିତ ୨୦ ହଜାର କୋଟି ଟଙ୍କା ଉପରେ ମୋହର ମାରିଛନ୍ତି। ଏହା ସହିତ ଏମଏସଏମଇ ପାଇଁ ଇକ୍ଵିଟି ଯୋଜନାକୁ ମଧ୍ୟ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଏମଏସଏମଇ ପାଇଁ ୫୦ ହଜାର କୋଟି ଟଙ୍କାର ଇକ୍ଵିଟି ନିବେଶର ଘୋଷଣା କରାଯାଇଛି। ଏମଏସଏମଇର କାରବାର ସୀମାକୁ ୫ କୋଟି କରାଯାଇଛି। ଏଥିରେ କମ୍ପାନୀ ବଜାରରେ ନିଜକୁ ତାଲିକାଭୁକ୍ତ କରାଇ ଅର୍ଥ ରୋଜଗାର କରି ପାରିବ। ଦେଶରେ ୬ କୋଟିରୁ ଅଧିକ ଏମଏସଏମଇର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ସରକାର ଏହି ସେକ୍ଟରର ଗୁରୁତ୍ଵକୁ ବୁଝି ଅର୍ଥ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବଦଳିଲା ଏମଏସଇର ପରିଭାଷା
କ୍ୟାବିନେଟ୍ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗର ପରିଭାଷା ବଦଳାଇବା ଉପରେ ମୋହର ମାରିଛନ୍ତି। ଏହାରି ଆଧାରରେ ଏବେ ୧ କୋଟି ଟଙ୍କା ନିବେଶ ଏବଂ ୫ କୋଟି ଟଙ୍କା କାରବାର କରୁଥିବା ଉଦ୍ୟୋଗ ସୂକ୍ଷ୍ମ ଶ୍ରେଣୀରେ ଆସିବ। ୧୦ କୋଟିର ନିବେଶ ଏବଂ ବାର୍ଷିକ ୫୦ କୋଟି ଟଙ୍କାର କାରବାର ଲଘୁ ଏବଂ ୨୦ କୋଟି ନିବେଶ କରି ବାର୍ଷିକ ୨୫୦ କୋଟି ଟଙ୍କା କାରବାର କରୁଥିବା ଉଦ୍ୟୋଗକୁ ମଧ୍ୟମ ଉଦ୍ୟୋଗ ମାନ୍ୟତା ଦିଆଯାଇଛି। ୨୦୦୬ର ଏମଏସଏମଇ ଆକ୍ଟକୁ ୧୪ ବର୍ଷ ପରେ ଯାଇ ସଂଶୋଧନ କରାଯାଇଛି।
୫୦ ଲକ୍ଷରୁ ଅଧିକ ଦୋକାନୀକୁ ମିଳିବ ଋଣ
ଫୁଟଫାଥ୍ରେ ଦୋକାନ ଦେଇଥିବା ଲୋକଙ୍କ ଲାଗି ମଧ୍ୟ ଋଣ ଯୋଗାଣ ଯୋଜନାକୁ ମଞ୍ଜୁରୀ ମିଳିଛି। ସରକାର ଏହି ଯୋଜନାକୁ ‘ପ୍ରଧାନମନ୍ତ୍ରୀ ଷ୍ଟିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି’ ଯୋଜନା ନାମ ଦେଇଛନ୍ତି। ସହରାଞ୍ଚଳ ମନ୍ତ୍ରଣାଳୟ ଏନେଇ ବିଶେଷ ସୂକ୍ଷ୍ମ ଋଣ ଯୋଜନା ଆରମ୍ଭ କରିଛନ୍ତି। ଏହା ଜରିଆରେ ଛୋଟ ଦୋକାନୀ କିମ୍ବା ବୁଲା ବେପାରୀ ବ୍ୟାଙ୍କରୁ ଋଣ ନେଇ ପାରିବେ। ଏଥିରେ ୫୦ ଲକ୍ଷ ଲୋକଙ୍କୁ ଏହାର ଫାଇଦା ମିଳିବ। ଫୁଟଫାଥରେ ଦୋକାନ ଦେଇଥିବା ଏବଂ ବୁଲା ବେପାରୀ ଫଳ, ପନି ପରିବା, ଚା, ପକୁଡି, ଚପଲ, ପୁସ୍ତକ, ଅଣ୍ଡା ଓ ଅନେକ ଜିନିଷ ବିକ୍ରି କରନ୍ତି। ଏହି ଯୋଜନା ଅନ୍ତର୍ଗତ ସେଲୁନ, ମୋଚି, ଲଣ୍ଡ୍ରି ଓ ପାନ ଦୋକାନ ମଧ୍ୟ ସାମିଲ।
୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ
ଫୁଟଫାଥ୍ ଦୋକାନୀଙ୍କୁ ଏହି ଯୋଜନା ଆଧାରରେ ୧୦ ହଜାର ଟଙ୍କାର ଋଣ ଯୋଗାଇ ଦିଆଯିବ। ଏହି ଋଣକୁ ସେମାନେ ମାସିକ କିସ୍ତି ହିସାବରେ ଗୋଟିଏ ବର୍ଷରେ ଫେରାଇ ପାରିବେ। ସମୟ ଅନୁସାରେ ଋଣ ପୈଠ କଲେ ବାର୍ଷିକ ସୁଧରେ ସବସିଡି ରୂପେ ଲାଭାର୍ଥୀଙ୍କୁ ମିଳିବ। ଜାଭେଦର ସ୍ପଷ୍ଟ କରିଛନ୍ତି ଯେ, ଏଥିରେ କୌଣସି ଦଣ୍ଡର ପ୍ରାବଧାନ ନାହିଁ।