ପୁଣି ଆରମ୍ଭ ହେଲା ମୋଦି ସରକାରଙ୍କ ଏହି ପେନସନ୍ ଯୋଜନା, ଜାଣନ୍ତୁ କିପରି ମିଳୁଛି ଲାଭ
21/05/2020 at 1:30 PM

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୁଣି ଥରେ ‘ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା’ଆରମ୍ଭ କରିଛନ୍ତି। ନିକଟରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏଥି ଲାଗି ନିଷ୍ପତ୍ତି ହେବା ସହ ନୂତନ ସୁଧହାର ମଧ୍ୟ ସ୍ଥିର କରାଯାଇଛି। ଯୋଜନାରେ ଏବେ ବାର୍ଷିକ ୭.୪ ପ୍ରତିଶତ ସୁଧ ମିଳିବ। ଗତ ମାର୍ଚ୍ଚ ୩୧ ତାରିଖରେ ଏହି ଯୋଜନାକୁ ବନ୍ଦ କରିଦିଆଯାଇଥିଲା। ତେବେ ବୈଠକର ନିଷ୍ପତ୍ତି ଅନୁସାରେ ୨୦୨୩ ମସିହା ପର୍ଯ୍ୟନ୍ତ ଅବଧି ସମ୍ପ୍ରସାରିତ ହୋଇଛି। ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ବୟବନ୍ଦନ ଯୋଜନା (ପିଏମଭିଭିୱାଇ) କ’ଣ ଓ କିପରି ମିଳୁଛି ଲାଭ?

ଯୋଜନା କାହା ପାଇଁ
ପିଏମଭିଭିୱାଇ ଯୋଜନାରେ ବୟସ୍କ ନାଗରିକଙ୍କ ଲାଗି ପେନସନ୍ର ବ୍ୟବସ୍ଥା କରାଯାଇଛି। ଏହି ସ୍କିମ ଏଲଆଇସି ଅଧିନରେ କାର୍ଯ୍ୟ କରୁଛି। ଏହା ଏକ ପେନସନ ସ୍କିମ ହୋଇଥିବାରୁ ୬୦ ବର୍ଷ ବୟସ ପରେ ନିବେଶକଙ୍କୁ ଏହାର ଲାଭ ମିଳୁଛି।

ସର୍ବନିମ୍ନ ନିବେଶ ଦେଢ ଲକ୍ଷ
ପିଏମଭିଭିୱାଇ ଯୋଜନାରେ ସର୍ବନିମ୍ନ ନିବେଶର ପରିମାଣ ଦେଢ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ୍ୱ । ସେହିପରି ଯୋଜନାରୁ ସର୍ବନିମ୍ନ ପେନସନ୍ ଆୟ ୧ ହଜାର ଓ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ। ନିବେଶକ ଯୋଜନାରେ ତାଙ୍କ ନିବେଶ ଆଧାରରେ ସେ ମାସିକ, ତ୍ରୈମାସି, ଷଡମାସିକ ଅଥବା ବାର୍ଷିକ ପେନସନ୍ ମଧ୍ୟ ଏକକାଳୀନ ପାଇପାରିବେ।

ଯୋଜନାର ଲାଭ
ଏହି ଯୋଜନାରୁ ନିବେଶକଙ୍କ ଅନେକ ପ୍ରକାରର ଲାଭ ମିଳିପାରୁଛି। ଯୋଜନାରେ ନିବେଶ କରିଥିବା ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୁଏ ତେବେ ତାଙ୍କର ନୋମିନୀଙ୍କୁ ଯୋଜନାର କ୍ରୟ ମୂଲ୍ୟ ଫେରସ୍ତ କରାଯାଏ। ଏଥିରେ ସର୍ବନିମ୍ନ ଦେଢ ଲକ୍ଷ ଓ ସର୍ବାଧିକ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ଏହି ଯୋଜନା ୧୦ ବର୍ଷ ପର୍ଯ୍ୟନ୍ତ। ଯୋଜନାର ମିଆଦ ପୂରଣ ହେଲେ ନିବେଶକଙ୍କୁ ତାଙ୍କ ଜମା ଫେରସ୍ତ କରିଦିଆଯାଏ। ଏହି ଯୋଜନାରେ ନିବେଶ ଲାଗି ସେବା କର କି ଜିଏସଟି ପୈଠ କରିବାକୁ ପଡେନି। ନିବେଶର ୩ ବର୍ଷ ପରେ ଲୋନର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ପ୍ରିମାଚ୍ୟୋର ୱିଡ୍ରଲ ସୁବିଧା ବି ଏଥିରେ ଅଛି।