‘ବନ୍ଦେ ଉତ୍କଳ ଜନନୀ…’କୁ ରାଜ୍ୟ ସଙ୍ଗୀତ ମାନ୍ୟତା, କ୍ୟାବିନେଟ୍‌ରେ ମୋହର ପରେ ଘୋଷଣା କଲେ ମନ୍ତ୍ରୀ

Published By : Prameya-News7 Bureau | June 07, 2020 IST

ଭୁବନେଶ୍ବର ୭।୬: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି । ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଏହି ସୂଚନା ଦେଇଛନ୍ତି ।

{"id":282487,"sizeSlug":"large"}

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ଦିଆଯାଇଛି । ସଙ୍ଗୀତ ଗାୟନର ସ୍ବର ଓ ଶୈଳୀ ସରକାର ସ୍ଥିର କରିଛନ୍ତି । ବିଦ୍ୟାଳୟ, କଲେଜ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଗାନ କରାଯାଇପାରିବ । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ବେଳେ ସମସ୍ତେ ଠିଆ ହେବେ ।

{"id":282644,"sizeSlug":"large"}

ମେ’ ୩୦ ତାରିଖରେ ରାଜ୍ୟବାସୀ ଗାଇଥିଲେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ । ମେ’ ୩୦ ତାରିଖ ସନ୍ଧ୍ୟା ସାଢେ ୫ଟାରେ ଓଡିଶାବାସୀ ‘ବନ୍ଦେ ଉତ୍କଳ ଜନନୀ’ ବୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ କରିଥିଲେ । ଯିଏ ଯେଉଁଠି ଥିଲେ ବି ସାମାଜିକ ଦୂରତ୍ବ ରକ୍ଷା କରି ‘ବନ୍ଦେ ଉତ୍କଳ ଜନନୀ’ ବୋଲିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଲାଗି ରାଜ୍ୟବାସୀଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଏକ ଭିଡିଓ ବାର୍ତ୍ତାରେ  ମୁଖ୍ୟମନ୍ତ୍ରୀ କହିଥିଲେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ପ୍ରେରଣା ଯୋଗାଇବ । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଦ୍ଭୁତପୂର୍ବ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ବିତୀୟବର୍ଷର ପ୍ରଥମ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା କ୍ୟାବିନେଟ୍ ବୈଠକ। ନବୀନ ନିବାସରୁ ଭିଜିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.