ଚାକିରୀଆଙ୍କ ପାଇଁ ଖୁସିଖବର : ୧୫ ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କୁ ସରକାରଙ୍କ ଉପହାର
10/12/2020 at 11:47 AM

ନୂଆଦିଲ୍ଲୀ ୧୦/୧୨ : କମ ଆୟ କରୁଥିବା ଲୋକଙ୍କୁ ମୋଦି ସରକାର ଉପହାର ଦେଇଛନ୍ତି। ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ABRY) ଅନୁଯାୟୀ ସରକାର କହିଛନ୍ତି ଯେ, ୨୦୨୦ ଅକ୍ଟୋବର ୧ ତାରିଖରୁ ୨୦୨୧ ଜୁନ ୩୦ ତାରିଖ ଯାଏଁ କମ୍ପାନୀ ନିଯୁକ୍ତ କରିଥିବା ନୂଆ କର୍ମଚାରୀଙ୍କ ପାଇଁ ଦୁଇ ବର୍ଷ ଯାଏଁ ରିଟାୟରମେଣ୍ଟ ଫଣ୍ଡରେ ଅଂଶଦାନ କରିବେ। ଅର୍ଥାତ ଏହି ଅବଧି ମଧ୍ୟରେ କମ ଦରମାରେ ନୂଆ ନିଯୁକ୍ତିରେ ସରକାର କର୍ମଚାରୀଙ୍କ ୧୨ ପ୍ରତିଶତ ଓ ନିଯୁକ୍ତିଦାତାଙ୍କ ୧୨ ପ୍ରତିଶତ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍) ବହନ କରିବ। ବୁଧବାର ଦିନ କ୍ୟାବିନେଟ ବୈଠକରେ ସରକାର ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ସରକାର ଏହି ଯୋଜନାରେ ୨୨ ହଜାର ୮୧୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନାରେ ୫୮ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଲାଭ ମିଳିବ।
ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରତି ମାସରେ ୧୫ ହଜାର ଟଙ୍କା କିମ୍ବା ତାଠାରୁ କମ ଦରମା ପାଉଥିବା କର୍ମଚାରୀଙ୍କୁ ଫାଇଦା ମିଳିବ। ଏହାର ପରିସର କେବଳ ସେହି କର୍ମଚାରୀମାନେ ରହିବେ ଯେଉଁମାନେ ୨୦୨୦ ଅକ୍ଟୋବର ୧ ତାରିଖ ପୂର୍ବରୁ ଏକ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସହିତ ଜଡିତ କୌଣସି ସଂସ୍ଥାରେ କାର୍ଯ୍ୟ କରୁନଥିଲେ ଏବଂ ସେମାନଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ଆକାଉଣ୍ଟ ନାହିଁ।
ତାଛଡା ଏହି କର୍ମଚାରୀଙ୍କ ଛଡା ସେମାନଙ୍କୁ ମଧ୍ୟ ଯୋଜନାର ଲାଭ ମିଳିବ ଯେଉଁମାନଙ୍କ ପାଖରେ UAN ଆକାଉଣ୍ଟ ଅଛି ଏବଂ ଯେଉଁମାନେ ମାସିକ ୧୫ ହଜାରରୁ କମ ଦରମା ପାଉଛନ୍ତି। ସରକାର ଆହୁରି କହିଛନ୍ତି ଯେ ୧୦୦୦ରୁ ଅଧିକ ଲୋକଙ୍କୁ ନୂଆ ଚାକିରୀ ଦେଇଥିବା କମ୍ପାନୀକୁ ଦୁଇ ବର୍ଷ ଯାଏଁ ପ୍ରତ୍ୟେକ କର୍ମଚାରୀଙ୍କ ୧୨ ପ୍ରତିଶତ ଅଂଶଦାନ କରିବେ।
କୋଭିଡ-୧୯ ସମୟରେ ଲଗାଯାଇଥିବା ଲକଡାଉନ ଯୋଗୁଁ ସମସ୍ତ କ୍ଷେତ୍ରର କାର୍ଯ୍ୟକଳାପ ଠପ ହୋଇଯାଇଥିଲା। ସେଥିପାଇଁ ବହୁ ଲୋକଙ୍କୁ ଚାକିରୀ ହରାଇବାକୁ ପଡିଲା। ଦେଶରେ ବେକାରୀ ସବୁ ରେକର୍ଡ ଭାଙ୍ଗିଲା। ବେକାରୀ ସମସ୍ୟା ନେଇ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଟାର୍ଗେଟ କଲେ। ଏଭଳି ପରିସ୍ଥିତିରେ ମୋଦି ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଅତ୍ୟନ୍ତ ସହାୟକ ପ୍ରମାଣିତ ହେବ। ଏହା ବ୍ୟତୀତ ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ କ୍ୟାବିନେଟ୍ ପିଏମ୍-ପବ୍ଲିକ୍ ୱାଇ-ଫାଇ ଆକସେସ୍ ନେଟୱାର୍କ ଇଣ୍ଟରଫେସକୁ ମଧ୍ୟ ଅନୁମୋଦନ କରିଛି। ଏହା ଅଧୀନରେ ଦେଶରେ ପବ୍ଲିକ ଡାଟା ଅଫିସ ଖୋଲାଯିବ। ଏଥିପାଇଁ କୌଣସି ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଶୁଳ୍କ ଆବଶ୍ୟକ ହେବ ନାହିଁ।