ରେଲୱେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ପତ୍ତି : ବଦଳିବ ସ୍ୱରୂପ, କର୍ମଚାରୀଙ୍କ ଉପରେ ପଡିବ ସିଧା ପ୍ରଭାବ

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ରେଲୱେକୁ ନେଇ ଐତିହାସିକ ନିଷ୍ପତ୍ତି ନେଇଛନ୍ତି | ସରକାର ରେଲୱେ ବୋର୍ଡ ଓ ରେଲୱେର ୮ଟି ଭିନ୍ନ ଭିନ୍ନ ସେବାର ପୁନର୍ଗଠନ କରିଛନ୍ତି | ବର୍ତ୍ତମାନ ରେଲୱେ ବୋର୍ଡର ଚେୟାରମ୍ୟାନ ଅଧିକାରୀ ଭାବେ ସିଇଓ ଭଳି କାମ କରିବେ | ରେଲୱେ ବୋର୍ଡ ମେମ୍ବର୍ସଙ୍କ ୩ଟି ପଦବୀ ସମାପ୍ତ କରାଯାଇଛି | ଏବେ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ସହ ୪ ରେଲୱେ ବୋର୍ଡ ମେମ୍ବର୍ସ କାମ କରିବେ |

ରେଳମନ୍ତ୍ରୀ ପରେ ସବୁଠାରୁ ବଡ ଅଧିକାରୀ ହେଲେ ରେଲୱେ ବୋର୍ଡ ଚେୟାରମ୍ୟାନ | ତାସହ ଏବେ ସୁଦ୍ଧା ୭ ବୋର୍ଡ ମେମ୍ବର୍ସ ଥାଆନ୍ତି | ସିଆରବି ଏବଂ ମେମ୍ବର୍ସଙ୍କୁ ମିଶାଇ ରେଲୱେ ବୋର୍ଡ ଗଠିତ ହୋଇଥାଏ | ରେଲୱେର ସମସ୍ତ ବଡ ବଡ ନିଷ୍ପତ୍ତି ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ରେଲୱେ ବୋର୍ଡ ନେଇଥାନ୍ତି | ବର୍ତ୍ତମାନ ଏହି ବୋର୍ଡକୁ ଛୋଟ କରାଯାଇଛି | ରେଲୱେର ୩ ସର୍ବୋଚ୍ଚ ସ୍ଥର ପଦବୀ ଅର୍ଥାତ ୩ ବୋର୍ଡ ମେମ୍ବର୍ସଙ୍କ ପଦବୀ ସମାପ୍ତ କରାଯାଇଛି | ଏହାସହ ୨୭ ଜେନେରାଲ ମ୍ୟାନେଜରଙ୍କ ସ୍କେଲ ବଢ଼ାଇ ବୋର୍ଡ ମେମ୍ବର୍ସଙ୍କୁ ସମକକ୍ଷ କରାଯାଇଛି |

ଭାରତୀୟ ରେଲୱେର ଅଲଗା ଅଲଗା କାମ ପାଇଁ ଅଲଗା ଅଲଗା ବିଭାଗ ପାଇଁ ଏବେ ସୁଦ୍ଧା ୮ ଭିନ୍ନ ଭିନ୍ନ ପରୀକ୍ଷା ହେଉଥିଲା | ଏହି ପରୀକ୍ଷା ପାସ କରି କର୍ମଚାରୀ ଗୋଟିଏ ବିଭାଗରେ କାମ କରୁଥିଲେ | ରେଲୱେର ବଡ ପଦବୀ ପାଇଁ ଏହି ବିଭାଗରେ ମନାନ୍ତର ଲାଗି ରହୁଥିଲା ଯାହାକି ଏକ ବଡ ସମସ୍ୟା ଥିଲା | ନୂଆ ବିଭାଗ ଗଠନରେ ଏହି ୮ଟି ଗ୍ରୁପ ସେବାକୁ ଏକାସଙ୍ଗେ ମର୍ଜ କରି ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ନାମକ ଏକ ନୂଆ ଗ୍ରୁପ ଏ ସେଣ୍ଟ୍ରାଲ ସର୍ଭିସ ଗଠନ କରାଯାଇଛି | ଅର୍ଥାତ ବର୍ତ୍ତମାନ ଏହି ୮ଟି ସେବା ସ୍ଥାନରେ କେବଳ ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ କାମ କରିବ |

ଇଣ୍ଡିଆନ ରେଲୱେ ମେଡିକାଲ ସର୍ଭିସର ନାଁ ପରିବର୍ତ୍ତନ କରି ଇଣ୍ଡିଆନ ରେଲୱେ ହେଲ୍ଥ ସର୍ଭିସ ରଖାଯାଇଛି | ପୂର୍ବରୁ ରେଲୱେରେ ବିଭିନ୍ନ ସର୍ଭିସ ଗ୍ରୁପରୁ ଆସିଥିବା ଅଧିକାରୀଙ୍କ ମଧ୍ୟରେ ଭଲ ପୋଷ୍ଟକୁ ନେଇ ଆଇନଗତ ଓ ଆନ୍ତରିକ ଯୁଦ୍ଧ ଚାଲିଥାଏ | ଏପରିକି ଯଦି କୌଣସି ମେକାନିକାଲ ସର୍ଭିସ ଗ୍ରୁପର ବ୍ୟକ୍ତିଙ୍କୁ ତାଙ୍କ ଦକ୍ଷତା କାରଣରୁ କୌଣସି ବିଶେଷ ପଦବୀ ଦିଆଗଲେ ଇଲେକ୍ଟ୍ରିକାଲ କିମ୍ବା ଅନ୍ୟ ସର୍ଭିସ ଗ୍ରୁପର ଅଧିକାରୀ ଅନ୍ୟ ଗ୍ରୁପର ଅଧିକାରୀଙ୍କୁ ପକ୍ଷପାତ କରୁଥିବା ଅଭିଯୋଗ ହେଉଥିଲା | ବର୍ତ୍ତମାନ ରେଲୱେର ସବୁ ଗ୍ରୁପ ସର୍ଭିସକୁ ମର୍ଜ କରିବା ପରେ ଅସନ୍ତୋଷ ହେବ ନାହିଁ କାମ ଭଲ ହେବ |

ବର୍ତ୍ତମାନ ରେଲୱେ ଅଧିକାରୀଙ୍କୁ ମିଳୁଥିବା କାମ ଏବଂ ସମ୍ବନ୍ଧିତ ପଦବୀ ସେମାନଙ୍କ ବରିଷ୍ଠତା ଓ ଗ୍ରୁପ ସର୍ଭିସ କୋଟା ଆଧାରରେ ହେବ | ସେହି ଆଧାରରେ ସେମାନଙ୍କୁ କାମ ମଧ୍ୟ ଦିଆଯିବ | ଏହାସହ ରେଲୱେର ସମସ୍ତ କାମ ପ୍ରତି ଏକ ଜରୁରୀ ନଜରୀଆ ବିକଶିତ କରିବା ଉପରେ ଜୋର ଦିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.