ରାଜ୍ୟ ସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧।୧୨ - ରାଜ୍ୟ ସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହୋଇଛି । ଏହାର ସପକ୍ଷରେ ୧୨୫ ଟି ଭୋଟ୍‌ ପଡିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ୍‌ ପଡିଥିଲା । ଶିବସେନାର ସାସଂଦମାନେ ଭୋଟ୍‌ ନ ଦେଇ କକ୍ଷ ତ୍ୟାଗ କରିଥିଲେ ।

ପୂର୍ବରୁ ଏହି ବିଲ୍‌ ଲୋକ ସଭାରେ ପାସ୍‌ ହୋଇଛି । ରାଷ୍ଟ୍ରପତିଙ୍କ ପାଖକୁ ଏବେ ଏହି ବିଲ୍‌ ସ୍ୱାକ୍ଷର ହେବା ପାଇଁ ପଠାଯିବ ।

କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ ମଧ୍ୟାହ୍ନ ୧୨ଟାରେ ନାଗରିକତା ସଂଶୋଧନ ବିଧେୟକକୁ ଉପସ୍ଥାପିତ କରିଥିଲେ । ଏହି ବିଧେୟକ ବିଷୟରେ ରାଜ୍ୟସଭାରେ ଆଲୋଚନା ହୋଇଥିଲା । ଗୃହମନ୍ତ୍ରୀ ନିଜ ବକ୍ତବ୍ୟକୁ ଗୃହରେ ଉପସ୍ଥାପନ କରିଥିଲେ । ଏହାପରେ ରାଜ୍ୟସଭାରେ ଏହି ଐତିହାସିକ ବିଲ୍‌ ପାସ୍‌ ହୋଇଛି ।

ଏହି ବିଲ୍‌ ସପକ୍ଷରେ ୧୨୫ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ୍‌ ପଡିଛି । ମୋଟ୍‌ ୨୩୦ ଭୋଟ୍‌ ପଡିଥିଲା । ଶିବସେନା ଭୋଟିଂ ବେଳେ କକ୍ଷ ତ୍ୟାଗ କରିଥିଲା । ଏବେ ନାଗରିକତା ସଂଶୋଧନ ବିଲ୍‌ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ପାସ୍‌ ହୋଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନପରେ ଏହା ଆଇନରେ ପରିଣତ ହେବ ।

ନାଗରିକ ସଂଶୋଧନ ବିଲ୍‌କୁ ନେଇ ଆସାମରେ ବ୍ୟାପକ ହିଂସା ଦେଖାଦେଇଛି । ଏହା ବିରୋଧରେ ହଜାର ହଜାର ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀମାନେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି ।

ଏହାପରେ ଗୌହାଟୀରେ କର୍ଫ୍ୟୁଜାରୀ କରାଯାଇଛି । ନାଗରିକ ସଂଶୋଧନ ବିଲ୍‌କୁ ଉତ୍ତର ପୂର୍ବ ଭାରତରେ ବିରୋଧ କରାଯାଉଛି। ଏଥିପାଇଁ ତ୍ରିପୁରାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ସେହିପରି ଆସାମର ୧୦ଟି ଜିଲ୍ଲାରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି ।

ଦେଶରେ ‘ନାଗରିକତା ସଂଶୋଧନ ବିଲ୍’ ବିରୋଧରେ ଉତ୍ତର-ପୂର୍ବ ରାଜ୍ୟ ଆସାମ, ମଣିପୁର, ତ୍ରିପୁରାରେ ଲଗାତର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତ୍ରିପୁରା ସରକାର ରାଜ୍ୟରେ ମୋବାଇଲ୍, ଇଣ୍ଟରନେଟ୍ ଓ ଏମଏମଏସ୍ ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦେଇଛନ୍ତି । ଦଙ୍ଗା ଆଶଙ୍କା କରି ସରକାର ଏମିତି ପଦକ୍ଷେପ ଉଠାଇଛନ୍ତି । ସୋସିଆଲ ମିଡିଆରେ କଞ୍ଚନପୁର ଅଞ୍ଚଳରେ ଏକ ଗୋଷ୍ଠୀ ଓ ଆଦିବାସୀଙ୍କ ମଧ୍ୟରେ ସଙ୍ଘର୍ଷ ସମ୍ପର୍କରେ ଗୁଜବ ଉଡୁଥିଲା । ଏହା ଉପରେ ରୋକ ଲଗାଇବା ପାଇଁ ପ୍ରଶାସନ ଏହି ପଦକ୍ଷେପ ଉଠାଇଛି ।

ଏହା ସହିତ ନାଗରିକ ସଂଶୋଧନ ବିଲ୍ (ସିଏବି)ର ବିରୋଧରେ ବନ୍ଦ ଡାକରା ଓ ଆନ୍ଦୋଳନ ଯୋଗୁଁ ଉତ୍ତର-ପୂର୍ବରେ ମଙ୍ଗଳବାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସ୍ଥାନୀୟ ଆଦିବାସୀ ଦଳ ଓ ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ ସହିତ ଯୁବ ସଙ୍ଗଠନ ବନ୍ଦ ଡାକରା ଦେଇଛି । ଏହି ବିଲ୍ ଲୋକସଭାରେ ପାସ୍ ହୋଇସାରିଛି । ଗୋଟେ ଦିନ ପୂର୍ବରୁ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଲମ୍ବା ତର୍କ ପରେ ଏହି ବିଲ୍ ପକ୍ଷରେ ୩୧୧ ଏବଂ ବିରୋଧରେ ୮୦ ଭୋଟ୍ ହୋଇଥିଲା

ତ୍ରିପୁରାରେ ଯାତାୟତ ଏବଂ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ହଜାର ହଜାର ଯାତ୍ରୀ ଫସି ରହିଛନ୍ତି । ସମର୍ଥକମାନେ ଗାଡିକୁ ଆଗକୁ ବଢିବାକୁ ଦେଉନାହାଁନ୍ତି । ମିଜରାମରେ ୧୦ ଘଣ୍ଟା ବନ୍ଦ ଯୋଗୁଂ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ସରକାରୀ ଅଫିସ୍, ବ୍ୟାଙ୍କ , ସ୍କୁଲ୍-କଲେଜ, ଦୋକାନ ବଜାର ବନ୍ଦ ରହିଛି । ଅଗରତଲାର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତ୍ରିପୁରା ଟ୍ରାଇବଲ୍ ଏରିଆ ଅଟୋନୋମସ୍ ଡିଷ୍ଟ୍ରିକ୍ଟ କାଉନସିଲ୍ ଅଞ୍ଚଳରେ ବ୍ୟାଙ୍କ, ସ୍କୁଲ୍-କଲେଜ, ଦୋକାନ ବଜାର ଆଦି ବନ୍ଦ ରହିଛି । ତ୍ରିପୁରା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓ ଅନ୍ୟ ୨ ବିଶ୍ୱବିଦ୍ୟାଳୟ ତ୍ରିପୁରା ୟୁନିଭର୍ସିଟି ଓ ମହାରାଜା ବୀର ବିକ୍ରମ ବିଶ୍ୱବିଦ୍ୟାଳୟରେ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.