Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଦେଶସାରା ତେଜୁଛି CAA ନିଆଁ : ପୋଲିସ ଗୁଳିରେ ଲକ୍ଷ୍ନୌରେ ଜଣେ, ମାଙ୍ଗାଲୁରୁରେ ୨ଜଣ ମୃତ,

20/12/2019 at 12:28 PM

ନୂଆଦିଲ୍ଲୀ ୨୦।୧୨: ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ନିଆଁ ଭଳି ତେଜିବାରେ ଲାଗିଛି । ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଦେଶବ୍ୟାପୀ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି ।ଗୁରୁବାର ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ହିଂସାକାଣ୍ଡ ଓ ଜଳାପୋଡ଼ା ଘଟିଛି । ସିଏଏକୁ ବିରୋଧ କରି ବାମ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା ବେଳେ ବିଭିନ୍ନ ରାଜନୈତିକ ଦଳ, ଗଣସଙ୍ଗଠନ ଓ ସାଧାରଣ ଜନତା ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଏଏକୁ ବିରୋଧ କରି ବ୍ୟାପକ ହିଂସାକାଣ୍ଡ ଘଟିଛି। ଲକ୍ଷ୍ନୌରେ ୧୪୪ ଧାରା ଜାରି କରାଯାଇଥିବା ସତ୍ତ୍ବେ ଲୋକମାନେ ଅମାନ୍ୟ କରି ହଜରତଗଞ୍ଜ ଅଞ୍ଚଳରେ ହିଂସାକାଣ୍ଡ ଘଟାଇଥିଲେ । ସେଠାରେ ଥିବା ପୁଲିସ ପୋଷ୍ଟକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଛନ୍ତି । ଏଥିସହିତ କେତେକ ପୁଲିସ ଗାଡିକୁ ଭଙ୍ଗାରୁଜା କରିବା ସହ ଆଉ କେତେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ପୁଲିସ ଉପରକୁ ଢ଼େଲାପଥର ମାଡ଼ କରାଯାଇଥିଲା । କେତେକ ମିଡିଆର ଓବି ଭ୍ୟାନକୁ ମଧ୍ୟ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି । ପ୍ରଦର୍ଶନକାରୀ ପୋଲିସ ବାରାକ୍ ଉପରେ ଆକ୍ରମଣ କରିବା ସହ ଗଣମାଧ୍ୟମର ଓବି ଭ୍ୟାନ ମଧ୍ୟ ଜାଳିଦେଇଛନ୍ତି। ହିଂସାକୁ ରୋକିବାକୁ ଯାଇ ପୋଲିସ ଗୁଳିରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ।

ପୋଲିସ ଗୁଳି ମୃତ୍ୟୁବରଣ କରିଥିବା ଯୁବକଙ୍କ ପେଟରେ ବାଜିଥିଲା । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁବରଣ ହୋଇଛି ।ଉତ୍ତର ପ୍ରଦେଶର ବିଭିନ୍ନସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ବିନା ଅନୁମତିରେ ବିକ୍ଷୋଭ, ରାଲି, ସଭା, ଶୋଭାଯାତ୍ରା ଆଦି ଉପରେ ରୋକ୍‌ ଲଗାଯାଇଛି । ଏହି ଘଟଣାରେ ପୁଲିସ ପ୍ରାୟ ୫୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ପୁଲିସ ଡିଜି ଓ.ପି. ସିଂହ କହିଛନ୍ତି ।  ଆହତ ହୋଇଥିବା ଜଣେ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାମ ମହମ୍ମଦ ୱକିଲ । ତାଙ୍କ ପେଟରେ ଗୁଳି ଲାଗିଥିଲା । ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଅନ୍ୟ ଦୁଇଜଣଙ୍କ ଶରୀରରେ ମଧ୍ୟ ଗୁଳି ଲାଗିଛି । ପରିବର୍ତ୍ତନ ଚୌକ ଠାରୁ ଆରମ୍ଭ କରି କିଡେ ସିଂହ ବାବୁ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ମେଟ୍ରୋ ଚଳାଚଳକୁ ବନ୍ଦ କରିଦିଆଯାଇଛି । ଲକ୍ଷ୍ନୌ ବ୍ୟତୀତ ୟୁପିର ସମ୍ଭଳରେ ମଧ୍ୟ ବ୍ୟାପକ ହିଂସା ଘଟିଛି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଲୋକମାନେ ରାସ୍ତାରେ ଯାଉଥିବା ରାଜ୍ୟ ସଡ଼କ ପରିବହନର ୪ରୁ ଅଧିକ ବସ୍‌କୁ ଅଟକାଇ ସେଥିରେ ନିଆଁ ଲଗାଇ ଦେଇଛନ୍ତି । ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସବୁ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ସମ୍ପତ୍ତି ଜବତ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମାଙ୍ଗାଲୋରରେ ଆନ୍ଦୋଳନ କରୁଥିବା ସମୟରେ ଦୁଇଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁର ସୂଚନା ମିଳିଛି। ଏହି ଅଘଟଣ ପରେ ଶୁକ୍ରବାର ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଛି। ମୃତକ ହେଲେ ଜଲିଲ ଓ ନୌସୀନ। ଏହା ପୂର୍ବରୁ ପ୍ରଦର୍ଶନକାରୀମାନେ ଥାନାରେ ନିଆଁ ଲଗାଇ ଦେଇଥିଲେ। ପୋଲିସକୁ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା। ବେଙ୍ଗାଲୁରୁରେ ନାଗରିକତା ଆଇନକୁ ନେଇ ବିକ୍ଷୋଭ କରୁଥିବା ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ସମେତ ବହୁ ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ନିଷେଧାଜ୍ଞା ଉଲ୍ଲଂଘନ କରି ସେମାନେ ଟାଉନହଲ୍‌ ନିକଟରେ ବିକ୍ଷୋଭରେ ସାମିଲ ହୋଇଥିବାରୁ ସେମାନଙ୍କୁ ଅଟକ ରଖାଯାଇଥିବା ପୁଲିସ କହିଛି । ସେହିଭଳି ମେଙ୍ଗାଲୁରୁ ସେଣ୍ଟ୍ରାଲ ସବ୍‌ଡିଭିଜନ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଫଳରେ ପୁଲିସ ପକ୍ଷରୁ ସମଗ୍ର ସହରରେ ଆସନ୍ତା ୨୧ ତାରିଖ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି । ବିକ୍ଷୋଭକାରୀ ଥାନାରେ ନିଆଁ ଲଗାଇବାକୁ ଉଦ୍ୟମ କରିବାବେଳେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୨୦ ଜଣ ପୁଲିସ ଆହତ ହୋଇଥିବା ବେଳେ ଦୁଇଜଣ ବିକ୍ଷୋଭକାରୀ ଗୁରୁତର ହୋଇଥିବା ସିଟି ପୁଲିସ କମିଶନର ପି.ଏସ୍‌. ହର୍ଷ କହିଛନ୍ତି ।

ଦିଲ୍ଲୀରେ କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ସତ୍ତ୍ବେ  ଲୋକେ ହିଂସାକାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ ପ୍ରାୟ ୧୨୦୦ ଲୋକଙ୍କୁ ପୁଲିସ ହେପାଜତକୁ ନେଇଛି । ହିଂସାକାଣ୍ଡକୁ ଦୃଷ୍ଟିରେ ରାଜୀବ ଚୌକ୍‌, ଭଗବାନ ଦାସ ରୋଡ୍‌, ଧୌଲାକୁଆଁ, ଜନପଥ, ବସନ୍ତ ବିହାର, ବାରଖମ୍ବା ରୋଡ୍‌, ମଣ୍ଡି ହାଉସ, ପଟେଲ ଚୌକ, ଲୋକକଲ୍ୟାଣ ମାର୍ଗ, ଉଦ୍ୟୋଗ ଭବନ, ଆଇଟିଓ, ପ୍ରଗତି ମୈଦାନ, ଖାନ୍‌ ମାର୍କେଟ କେନ୍ଦ୍ରୀୟ ସଚିବାଳୟ, ଲାଲକିଲ୍ଲା, ଜାମା ମସ୍‌ଜିଦ, ଚାନ୍ଦନୀ ଚୌକ, ବିଶ୍ୱବିଦ୍ୟାଳୟ, ଜାମିୟା ମିଲିୟା ଇସ୍‌ଲାମିୟା, ଜସୋଲା ବିହାର, ସାଇନବାଗ ଓ ମୁନରକା ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ମେଟ୍ରୋ ଷ୍ଟେସନ ବନ୍ଦ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି । ତେବେ ସନ୍ଧ୍ୟାରେ ୧୯ଟି ମେଟ୍ରୋ ଷ୍ଟେସନକୁ ଖୋଲା ଯାଇଛି । ଦିଲ୍ଲୀର ଲାଲକିଲା ସମେତ ମଣ୍ଡି ହାଉସ, ସିଲମପୁର, ଜାଫରାବାଦ, ମୁସ୍ତଫାବାଦ, ଜାମିୟା ନଗର, ସାଇନବାଗ ଓ ବାୟନା ଆଦି ଅଞ୍ଚଳରେ ହିଂସାକାଣ୍ଡ ଘଟିଛି । ତାକୁ ଦୃଷ୍ଟିରେ ରଖି ସେସବୁ ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ଓ ଏସ୍‌ଏମ୍‌ଏସ୍‌ ସେବାକୁ ବନ୍ଦ କରିଦିଆଯାଇଛି । ବିକ୍ଷୋଭ ବେଳେ ଯୋଗେନ୍ଦ୍ର ଯାଦବ, ସନ୍ଦୀପ ଦୀକ୍ଷିତ, ଉମର ଖଲିଦ, ପ୍ରଶାନ୍ତ ଭୂଷଣଙ୍କୁ ଗିରଫ କରାଯାଇଛି ।

ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର ସୀମାକୁ ଲାଗିଥିବା ଅଞ୍ଚଳରେ ବ୍ୟାପକ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ବିଶେଷକରି ନୋଏଡା-ଡିଏନ୍‌ଡି ମାର୍ଗ, ମେହରୌଲି-ଗୁରୁଗ୍ରାମ (ଏମ୍‌ଜି ରୋଡ୍‌) ଏବଂ ଦିଲ୍ଲୀ-ଗୁରୁଗ୍ରାମ ୮ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ଗାଡ଼ି ଅଟକି ରହିଛି । ପ୍ରାୟ ୧୫ କି.ମି. ବ୍ୟାପୀ ରାସ୍ତାରେ ଗାଡ଼ିଗୁଡ଼ିକ ଅଟକି ରହିଛନ୍ତି । ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖାଦେବା ଏକ ସାଧାରଣ ଘଟଣା । କିନ୍ତୁ ଏଭଳି ଘଟଣା କେବେ ଦେଖାଯାଇ ନଥିଲା । ଟ୍ରାଫିକ ସମସ୍ୟା ଯୋଗୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହା ଫଳରେ କିଛି ଲୋକ ରାସ୍ତା ଉପରେ ଗାଡ଼ି ଛାଡ଼ି ଘରକୁ ପଳାଇଯାଇଛନ୍ତି । ସେପଟେ ସହର ମଧ୍ୟରେ ଲାଲକିଲ୍ଲା, ଚାନ୍ଦନୀଚୌକ, ସଦର ବଜାରକୁ ସଂଯୋଗ କରୁଥିବା ରାସ୍ତା ଓ ରାଜଘାଟର ଆଖପାଖ ରାସ୍ତା ପୁରା ଜାମ ହୋଇଯାଇଛି ।

ସେହିଭଳି ଦରିୟାଗଞ୍ଜ, ଜାମା ମସ୍‌ଜିଦ, ତୁର୍କମାନ ଗେଟ, ଏଲ୍‌ଏନ୍‌ଜିପି, କମଲା ମାର୍କେଟ, ବାହାଦୂର ଶାହ ଜାଫର ମାର୍ଗ ଏବଂ ମୌଲାନା ଆଜାଦ ମେଡିକାଲ କଲେଜର ଆଖପାଖ ରାସ୍ତା ବନ୍ଦ ହୋଇଯାଇଛି । ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଯାତ୍ରୀମାନେ ରାସ୍ତାରେ ଫସି ରହିଥିବାରୁ ଇଣ୍ଡିଗୋ କର୍ତ୍ତୃପକ୍ଷ ୨୦ଟି ବିମାନର ସେବାକୁ ବାତିଲ କରିଦେଇଛନ୍ତି । ଅନ୍ୟ ଏୟାରଲାଇନ୍ସର ପ୍ରାୟ ୧୬ଟି ବିମାନ ସେବା ବିଳମ୍ବିତ ହୋଇଛି ।

ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ନାଗରିକତା ଆଇନକୁ ବିରୋଧ କରି ବିଶାଳ ସମାବେଶ ଆୟୋଜିତ ହୋଇଛି । କଂଗ୍ରେସ ନେତା ରାଜ ବାବର ଏହାର ନେତୃତ୍ୱ ନେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ରାଜ୍ୟରେ ନାଗରିକତା ଆଇନ ଲାଗୁ କରାଯିବ ନାହିଁ । କୋଲକାତାରେ ଗୁରୁବାର ମଧ୍ୟ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବାଦୀୟ ଦାବି ଉଠାଇଛନ୍ତି । କୋଲକାତାରେ ସେ କହିଛନ୍ତି ଏନ୍‌ଆରସି ଓ ସିଏଏ ଉପରେ ଜନମତ ଲୋଡାଯାଉ ।

ଜାତିସଂଘ କିମ୍ବା ମାନବାଧିକାର କମିଶନଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇ ଯାଞ୍ଚ କରାଯାଉ କି କେତେ ଲୋକ ଏନ୍‌ଆର୍‌ସି ଓ ସିଏଏକୁ ସମର୍ଥନ କରୁଛନ୍ତି ଓ କେତେ ଲୋକ ବିରୋଧ କରୁଛନ୍ତି । ହାଇଦ୍ରାବାଦର ହୁସେନ ସାଗର ହ୍ରଦ ନିକଟ ପିପୁଲ୍ସ ପ୍ଲାଜା ନିକଟରେ ଶତାଧିକ ଲୋକ ଏକତ୍ରିତ ହୋଇ ନାଗରିକତା ଆଇନର ଦୃଢ଼ ବିରୋଧ କରିଛନ୍ତି । ବିହାରର ପାଟନା ଓ ଦରଭଙ୍ଗାରେ ନାଗରିକତା ଆଇନ ବିରୋଧରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଛି । ବିକ୍ଷୋଭକାରୀମାନେ କେତେକ ମେଟ୍ରୋ ଟ୍ରେନକୁ ରୋକିଦେଇଛନ୍ତି । ପୂର୍ବତନ ସାଂସଦ ପପୁ ଯାଦବ ମଧ୍ୟ ବାମଦଳ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେ ନିଜକୁ ଜଞ୍ଜିରରେ ବାନ୍ଧିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଯୁକ୍ତି ହେଉଛି କେନ୍ଦ୍ର ସରକାର ନାଗରିକତା ଆଇନ ଆଣି ଦେଶକୁ ଜଞ୍ଜିରରେ ବାନ୍ଧି ଦେଇଛନ୍ତି ।

ଅହମ୍ମଦାବାଦରେ ମଧ୍ୟ ନାଗରିକତା ଆଇନକୁ ନେଇ ଜୋର୍‌ଦାର ଆନ୍ଦୋଳନ ହୋଇଛି । ସହରର ଶାହଆଲମ ଅଞ୍ଚଳରେ ବିକ୍ଷୋଭ ସମୟରେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଢ଼େଲାପଥର ମାଡ଼ କରିବାରୁ ପୁଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ଲାଠିଚାଳନା କରିବାକୁ ମଧ୍ୟ ପଡିଛି । ବାମଦଳ ଓ ବିଭିନ୍ନ ଗଣସଙ୍ଗଠନର ପ୍ରାୟ ୨୦ ଜଣଙ୍କୁ ଗିରଫ କରାଯାଇଛି । ଇତିମଧ୍ୟରେ ଗୌହାଟୀ ହାଇକୋର୍ଟ ଗୁରୁବାର ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ମୋବାଇଲ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ରାଜ୍ୟରେ ଗତ ୧୧ ତାରିଖରେ ହିଂସାକାଣ୍ଡ ଘଟିବା ପରଠାରୁ ସେଠାରେ ମୋବାଇଲ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା ।

   Related Posts