ସିଏଏକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ, ରାସ୍ତାକୁ ଓହ୍ଲାଇଲେ କଂଗ୍ରେସର ବହୁ ବରିଷ୍ଠ ନେତା

Published By : Prameya-News7 Bureau | December 23, 2019 IST

ନୂଆଦିଲ୍ଲୀ୨୩/୧୨: ନାଗରିକତା ସଂଶୋଧନ ଆଇନ୍ ବା ସିଏଏକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ରାଜଘାଟରେ ଧାରଣାରେ ବସିଛନ୍ତି । ସୋନିଆଙ୍କ ସହ  ପ୍ରିୟଙ୍କା, ରାହୁଲ ଓ କଂଗ୍ରେସର ବଡ଼ ନେତାମାନେ ସାମିଲ ହୋଇଥିବା ବେଳେ, ତାମିଲନାଡୁରେ ମଧ୍ୟ ସି.ଏ.ଏ.କୁ ବିରୋଧ କରି ସେଠାକର ବଡ଼ ନେତା ରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ ବିଜେପି ବି କୋଲକାତା, ଦିଲ୍ଲୀ ଭଳି ସହରରେ CAA ସପକ୍ଷରେ ତାର ଅଭିଯାନ ଆରମ୍ଭ କରିଛି ।

କଂଗ୍ରେସର ସତ୍ୟାଗ୍ରହ।  ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଦିଲ୍ଲୀ ରାଜଘାଟରେ ସତ୍ୟାଗ୍ରହ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେୃତୃତ୍ବରେ ଏକାଠି ହୋଇଛନ୍ତି ଦଳର ଛାମୁଆ ନେତାଏ । ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାହୁଲ ଗାନ୍ଧିଙ୍କ ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍, ଆନନ୍ଦ ଶର୍ମା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅହମ୍ମଦ ପଟେଲ,  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ , ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ କର୍ମୀ ଓ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ହଲ୍ଲାବୋଲ କରୁଛି କଂଗ୍ରେସ।

ସେପଟେ CAA  ବିରୋଧରେ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଡିଏମ୍କେ ମୁଖ୍ୟ ଷ୍ଟାଲିନ୍ । ତାଙ୍କ ନେତୃତ୍ବରେ ଚେନ୍ନାଇରେ ବାହାରିଥିଲା ଏକ ବିଶାଳ ରାଲି । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବର ବି ଏଥିରେ ସାମିଲ ହୋଇଥିଲେ । ସେହିଭଳି ବାଙ୍ଗାଲୋରରେ ବି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପ୍ରଦର୍ଶନ କାରୀ । କେବଳ ଭାରତରେ ନୁହେଁ ୱାଶିଂଟନ୍ରେ ବି ପ୍ରବାସୀ ଭାରତୀୟ ମାନେ ଗାନ୍ଧି ମୂର୍ତ୍ତି ତଳେ ଏକାଠି ହୋଇ CAA ଓ NRC କୁ ବିରୋଧ କରିଛନ୍ତି ।

ଏପଟେ CAA ଓ NRC କୁ ବିରୋଧ ଆଉ ସେପଟେ ଏହା ସପକ୍ଷରେ ବିଜେପିର ମାର୍ଚ୍ଚ । କୋଲକାତାରେ ବିଜେପି କରିଛି ଶକ୍ତି ପ୍ରଦର୍ଶନ। ହଜାର ହଜାର ଲୋକ ବିଜେପି ପତାକା ଧରି ଶୋଭାଯୋତ୍ରାରେ ବାହାରିଥିଲେ। ଯାହାର ନେତୃତ୍ବ ନେଇଥିଲେ ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡା। ସେହିଭଳି ବିହାରରେ ବି ବିଜେପି ଓ ଆରଏସ୍ଏସ୍ ପକ୍ଷରୁ ଭାରତ ବଚାଓ ମୋର୍ଚ୍ଚା ଆରମ୍ଭ କରାଯାଇଥିଲା ।

CAA ବିରୋଧୀ ହିଂସାକାଣ୍ଡ ବେଳେ ଦରିଆଗଞ୍ଜରେ ହିଂସା ଭିଆଇ ଥିବା ୧୫ ଅଭିଯୁକ୍ତଙ୍କୁ ଦିଲ୍ଲୀ ତିସ୍‌ହଜାରୀ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଛି । ସେହିଭଳି ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ପିଲ୍ଭିଟ୍ରେ  ୧୪୪ ଧାରା ଭାଙ୍ଗିବା ଅଭିଯୋଗରେ ୧୧୫ ଜଣଙ୍କ ନାଁରେ ମାମଲା ଦାୟର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.