CAA ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ୪ସପ୍ତାହ ସମୟ ; ସାମ୍ବିଧାନିକ ପୀଠରେ ହେବ ଶୁଣାଣି

Published By : Prameya-News7 Bureau | January 22, 2020 IST

ନୂଆଦିଲ୍ଲୀ ୨୨।୦୧: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି । ବିବାଦୀୟ ସିଏଏ ଉପରେ ରୋକ ଲଗାଇବାରୁ ମନାକଲେ ସୁପ୍ରିମ୍ କୋର୍ଟ ।  ସିଏଏ ଉପରେ ଏବେ କୌଣସି ଆଦେଶ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ କହିଛନ୍ତି । ସିଏଏକୁ ନେଇ ଅନେକ ଆବେଦନ ଉପରେ ଶୁଣାଣି କରିବାକୁ ସମୟ ଲାଗିବ । ତେଣୁ ଏବେ ଏକ ତରଫା ଭାବେ ଶୁଣାଣି କରିବା ଠିକ୍  ହେବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସେହିଭଳି ହାଇକୋର୍ଟ ଗୁଡିକରେ ଏ ସଂପର୍କିତ ଜଡିତ କୌଣସି ଶୁଣାଣି ହୋଇପାରିବ ନାହିଁ ।  ସିଏଏ ଉପରେ ପରବର୍ତ୍ତି ଶୁଣାଣି ୪ ସପ୍ତାହ ପରେ ହେବ ।  ସିଏଏ ଉପରେ ଆସିଥିବା ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ୪ ସପ୍ତାହ ଦେଇଛନ୍ତି ସୁପ୍ରିମ୍ କୋର୍ଟ । ସେହିଭଳି ଏହି ମାମଲାର ଶୁଣାଣି ପାଇଁ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବାକୁ ସୁପ୍ରିମ୍‌କୋର୍ଟ ସ୍ଥିର କରିଛନ୍ତି । ଆଇନଜୀବୀ କପିଲ ସିବଲ ଏହାକୁ ସାମ୍ବିଧାନିକ ପୀଠକୁ ପଠାଇବାକୁ ଆବେଦନ କରିଥିଲେ ।

ସିଏଏ ଉପରେ ଆସିଥିବା ଆବେଦନକୁ ଅଲଗା ଅଲଗା କ୍ୟାଟାଗୋରୀରେ ବଣ୍ଟା ଯାଇଛି । ଯାହା ଫଳରେ ଆସାମ, ପୂର୍ବୋତ୍ତର ମାମଲା ପାଇଁ ଅଲଗା ଭାବେ ଶୁଣାଣି ହୋଇପାରିବ । ଉତ୍ତରପ୍ରଦେଶରେ ସିଏଏ ଲାଗୁ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତା ଉପରେ ମଧ୍ୟ ଅଲଗା ଭାବେ ଶୁଣାଣି କରିବାକୁ କୋର୍ଟ କହିଛନ୍ତି । କୋର୍ଟ ସବୁ ଆବେଦନର ଲିଷ୍ଟ ଜୋନ୍ ହିସାବରେ ମାଗିଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ଏହି ଶୁଣାଣି ପରେ କେନ୍ଦ୍ର ସରକାର ଏକପ୍ରକାର ଆଶ୍ବସ୍ତ ହୋଇଛନ୍ତି । ସିଏଏକୁ ବିରୋଧ କରି ବିଭିନ୍ନ କୋର୍ଟରେ ୧୪୪ଟି ପିଟିସନ ଦାୟର କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.