Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ବୁଥରେ ଭୋଟରଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା

3/11/2020 at 7:33 PM

ବାଲେଶ୍ୱର, ୦୩/୧୧:   ଶାନ୍ତି ଶୃଙ୍ଖଳାର ସହ ବାଲେଶ୍ବର ଓ ତିର୍ତୋଲ ଉପନିର୍ବାଚନ ପାଇଁ ସରିଲା ମତଦାନ । ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଅପରାହ୍ଣ ୩ଟା ସୁଦ୍ଧା ବାଲେଶ୍ବରରେ ୫୪.୮୫ ପ୍ରତିଶତ ଏବଂ ତିର୍ତୋଲରେ ୫୫.୨୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ୍‌ । ବାଲେଶ୍ବର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ ପ୍ରକ୍ରିୟା । କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଭୋଟଦାନ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇଥିଲା । ସେହିଭଳି ବାଲେଶ୍ବରରେ ଗୋଟିଏ ବୁଥରେ ପୋଲିସ କର୍ମଚାରୀ ଚିରିକୁଟି ବାଣ୍ଟୁଥିବା ଅଭିଯୋଗ ପରେ ସଂପୃକ୍ତ ବୁଥରୁ ୨ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିଲା । ତଦନ୍ତରେ ପ୍ରମାଣ ମିଳିନଥିଲେ ମଧ୍ୟ ଜଣେ ବିଏଲଓ ଓ ଜଣେ ପୋଲିସ କର୍ମଚାରୀଙ୍କୁ ହଟାଇଦିଆଯାଇଥିବା କହିଥିଲେ ରାଜ୍ୟ ନିର୍ବାଚନ ଅଧିକାରୀ ।

ଇଭିଏମରେ ସିଲ୍‌ ହୋଇଯାଇଛି ବାଲେଶ୍ବରରେ ୬ ଆଉ ତିର୍ତୋଲରେ ୯ ପ୍ରାର୍ଥୀଙ୍କ ଭାଗ୍ୟ । ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଜନତା ଜନାର୍ଦ୍ଦନ ତାଙ୍କର ବିଧାୟକ ବାଛି ସାରିଛନ୍ତି । ମାତ୍ର ବର୍ଷକ ଭିତରେ ଦ୍ବିତୀୟ ଥର ପାଇଁ ନିଜ ପ୍ରତିନିଧି ବାଛିବାକୁ ବାଧ୍ୟ ହୋଇଥିଲେ ଉଭୟ ବାଲେଶ୍ବର ସଦର ଓ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିଲା ମତଦାନ ପ୍ରକ୍ରିୟା । ହେଲେ ସବୁଥର ଅପେକ୍ଷା ଏଥର ନିର୍ବାଚନରେ ଭୋଟଗ୍ରହଣ ବ୍ୟବସ୍ଥା ଥିଲା ଟିକେ ଅଲଗା । କରୋନା ମହାମାରୀ ସଂକ୍ରମଣ ସମୟରେ ଭୋଟିଂ ବ୍ୟବସ୍ଥା ନିର୍ବାଚନ କମିଶନଙ୍କ ପାଇଁ ଥିଲା ବଡ଼ ଆହ୍ବାନ । ଖାସ୍‌ ସେଇଥିପାଇଁ ଗୋଟିଏ ଗୋଟିଏ ବୁଥ୍‌ ପାଇଁ ମାତ୍ର ୧ ହଜାର ଭୋଟରଙ୍କ ମତ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା । ଯେଉଁଥିପାଇଁ ଉଭୟ ବାଲେଶ୍ବର ଓ ତିର୍ତେ୍ାଲରେ ବଢ଼ିଥିଲା ବୁଥ ସଂଖ୍ୟା । ବାଲେଶ୍ବରରେ ୧୯୮ବୁଥ ବଦଳରେ ୩୪୬ବୁଥ ଏବଂ ତିର୍ତୋଲରେ ୨୬୫ବୁଥ ବଦଳରେ ୩୭୩ବୁଥ କରାଯାଇଥିଲା । ସମସ୍ତ ବୁଥକୁ ସାନିଟାଇଜ୍‌ କରିବା ସହ ନିର୍ବାଚନ ଅଧିକାରୀଙ୍କୁ ପିପିଇ କିଟ୍‌ ଦିଆଯାଇଥିଲା ।

ସେହିଭଳି ବୁଥକୁ ଆସୁଥିବା ଭୋଟରଙ୍କ ଟେମ୍ପରେଚର ମପାଯିବା ସହ ସେମାନଙ୍କୁ ଗୋଟିଏ ଗୋଟିଏ ଗ୍ଲୋବ୍‌ସ୍‌ ଯୋଗାଇଦିଆଯାଇଥିଲା । ମାସ୍କ ବାଧ୍ୟତାମୂଳକ କରାଯାଇଥିଲା ।  ଗ୍ଲୋବସ୍‌ ପିନ୍ଧି ସେମାନେ ଇଭିଏମ୍‌ ବଟନ୍‌ ଚିପିବା ପରେ ସେଇ ଗ୍ଲୋବ୍‌ସକୁ ପାଖରେ ଥିବା ଡଷ୍ଟବିନ୍‌ରେ ପକାଇବାର ବ୍ୟବସ୍ଥା କରାଯାଇଥିଲା ।  ସୋସିଆଲ୍‌ ଡିଷ୍ଟାନ୍ସ  ମେଣ୍ଟେନ୍‌ କରିବା ସହ ଜଣ ଜଣ କରି ଭୋଟ୍‌ ଦେବାକୁ ଅନୁମତି ଦିଆଯାଉଥିଲା । ଅନେକ ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ବିଲ୍‌ ଚେୟାର ବ୍ୟବସ୍ଥା କରାଯାଇଥିଲା । ଏସବୁ ଭିତରେ ମତଦାନ କରିବାକୁ ଆସିଥିବା ଯେଉଁ ଭୋଟରଙ୍କ ଶରୀରର ତାପମାତ୍ରା ଅଧିକ ରହୁଥିଲା ସେମାନଙ୍କୁ ଟୋକନ୍‌ ଦିଆଯାଇ ଅପେକ୍ଷା କରିବାକୁ କୁହାଯାଇଥିଲା । କୋଭିଡ୍‌ ଲକ୍ଷଣ ଥିବା କିମ୍ବା ଅଧିକ ଟେମ୍ପରେଚର ଥିବା ଭୋଟରଙ୍କ ପାଇଁ ସଂଧ୍ୟା ୫ଟାରୁ ୬ଟା ୧ଘଣ୍ଟା ପାଇଁ ଭୋଟ ଦେବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ଭୋଟରମାନେ ଭୋଟ୍‌ ଦେବା ପରେ ବୁଥଗୁଡ଼ିକରେ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ପିପିଇ କିଟ୍‌ ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା । ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ପରଖି ପଞ୍ଚାୟତ ନନ୍ଦଚକର ଜଙ୍ଗଲ ଘେରି ଗାଁର ଲୋକେ ଭୋଟ୍‌ ବର୍ଜନ କରିଥିଲେ । ସେମାନଙ୍କ ରାସ୍ତା ସମସ୍ୟା ସମାଧାନ ହୋଇନଥିବାରୁ ଗାଁର ୧୨୬ଜଣ ଭୋଟର ମତଦାନ କରିନଥିଲେ । କୋଭିଡ୍‌ କଟକଣା ଭିତରେ ଭୋଟ୍‌ ହେଉଥିବାରୁ ଭୋଟରଙ୍କ ପାଇଁ ଏହା ଏକ ଭିନ୍ନ ଅନୁଭବ ସୃଷ୍ଟି କରିଥିଲା । ବାଲେଶ୍ବର ଓ ତିର୍ତେ୍ାଲ ଉଭୟ ନିର୍ବାଚନ ମଣ୍ଡଳୀର କିଛି ସ୍ଥାନରେ ଆଦର୍ଶ ବୁଥ କରାଯାଇଥିବା ବେଳେ ଅନ୍ୟ ବୁଥ ଗୁଡ଼ିକରେ ପିଇବା ପାଣି ବ୍ୟବସ୍ଥା କିମ୍ବା ଭୋଟରଙ୍କ ପାଇଁ ଟେଣ୍ଟ୍‌ ବ୍ୟବସ୍ଥା କରାଯାଇ ନଥିବାରୁ କିଛି ଯାଗାରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ଭୋଟର । ତେବେ କାଁ ଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ଉଭୟ ନିର୍ବାଚନମଣ୍ଡଳୀର ପ୍ରାୟ ସବୁ ଯାଗାରେ ଶାନ୍ତି ଶୃଙ୍ଖଳାରେ ସରିଛି ଉପନିର୍ବାଚନ ମତଦାନ ପ୍ରକ୍ରିୟା ।

   Related Posts