ବୁଥ୍‌ରେ ପୋଲିଂ ପାର୍ଟି, ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ

Published By : Prameya-News7 Bureau | November 02, 2020 IST

ଭୁବନେଶ୍ୱର ୦୨।୧୧: ଆସନ୍ତାକାଲି ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ। ଭୋଟିଂ ପାଇଁ ପୋଲିଂ ପାର୍ଟି ଗୁଡିକ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେଣି। ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ବ୍ଲକର ମୋଟ ୩୭୩ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି ।

ଭୋଟ ଗ୍ରହଣ ପାଇଁ ମୋଟ ୧୯୪୦ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ନିୟୋଜିତ ହୋଇଥିବା ବେଳେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୬୨ ଜଣ ସିଏପିଫ, ୩୭ ୱେବ କାଷ୍ଟିଙ୍ଗ ଟିମ୍ , ୪୦ ମାଇକ୍ରୋ ଅବଜରଭର, ୫ଟି ଭିଡିଓ ଗ୍ରାଫି ଟିମ୍  ନିୟୋଜିତ କରାଯାଇଛି ।  ୧୧ ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୩୯ ହଜାର ୧୫୩ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ।

ସେହିପରି ବାଲେଶ୍ବରରେ ୩୪୬ଟି ପୋଲିଂ ପାର୍ଟି ପ୍ରସ୍ତୁତ ହୋଇ ରହିଛନ୍ତି। ବାଲେଶ୍ବରରେ ୫୬ ଜଣ ମାଜିଷ୍ଟ୍ରେଟ୍ , ୫ ଫ୍ଲାଇଙ୍ଗ ସ୍କ୍ବାଡ୍ , ୫ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ , ୩ଟି ଭିଡିଓ ସର୍ଭେଲାନ୍ସ ଟିମ୍ ମୁତୟନ କରାଯାଇଛି। ବାଲେଶ୍ବରରେ ୩୨ ଜଣ ସେକ୍ଟର ଅଧିକାରୀ ନିୟୋଜିତ ହୋଇଛନ୍ତି। କୋଭିଡ କଟକଣାକୁ ଅଧିକ ଗୁରତ୍ବ ଦିଆଯିବା ସହିତ ଏଥି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ଅବାଧ ଓ ନିରପେକ୍ଷ ନିର୍ବାଚନ ସହ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଦୁଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ବାଜି ଜିତିବାକୁ ବିଜେଡି-ବିଜେପି ଓ କଂଗ୍ରେସ କସରତ୍ କରିଛନ୍ତି । କିନ୍ତୁ ସବୁ କିଛି ନିର୍ଭର କରୁଛି ଭୋଟରଙ୍କ ମୁଡ୍ ଉପରେ । ୧୦ ତାରିଖରେ ଭୋଟ୍ ଗଣତି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.