ଉପନିର୍ବାଚନ ପାଇଁ କମ୍ପୁଛି ବାଲେଶ୍ବର ଓ ତିର୍ତ୍ତୋଲ , ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

Published By : Prameya-News7 Bureau | October 28, 2020 IST

ଭୁବନେଶ୍ୱର ୨୮।୧୦: ଉପନିର୍ବାଚନ ପାଇଁ ବାଲେଶ୍ବର ଓ ତିର୍ତ୍ତୋଲରେ ଚାଲିଛି ଜୋରଦାର ପ୍ରଚାର । ଆଜି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ତିର୍ତ୍ତୋଲ ଏବଂ ଆସନ୍ତାକାଲି ବାଲେଶ୍ବର ସଦରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚ୍ଚୁଆଲ୍ ରାଲି କରିବେ ବିଜେଡି ସୁପ୍ରିମୋ ।

ତିର୍ତ୍ତୋଲର ବିଜେଡି  ପ୍ରାର୍ଥୀ  ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି  ତିର୍ତ୍ତୋଲବାସୀଙ୍କ ସମର୍ଥନ ମାଗିବେ ନବୀନ ।  ସେହିପରି ଆସନ୍ତାକାଲି ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ପ୍ରଚାର କରିବେ ନବୀନ । ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ମାଗିବେ ସମର୍ଥନ । ସେପଟେ ଗ୍ରାଉଣ୍ଡରେ ଅଧ ଡଜନେରୁ ଅଧିକ ମନ୍ତ୍ରୀ ବିଧାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ଶାସନ ସହ  ବିଭିନ୍ନ ଜନହିତକର ଯୋଜନାର ଦ୍ବାହି ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କରୁଛନ୍ତି ବିଜେଡି ନେତା । ସହରାଞ୍ଚଳରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ପ୍ରଚାରକୁ ଯୋରଦାର କରିଛି ବିଜେଡି ।

କେବଳ ବିଜେଡି ନୁହଁ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ ସମସ୍ତ ରାଜନୈତିକ ଦଳ । ୩୦ ତାରିଖରେ ତିର୍ତ୍ତୋଲ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଭର୍ଚ୍ଚୁଆଲ୍ ରାଲିରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସର ଦଳୀୟ ନେତା ଓ କର୍ମୀ ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଉପନିର୍ବାଚନ ପାଇଁ ବାଲେଶ୍ବର ଠାରୁ ତିର୍ତ୍ତୋଲ ପ୍ରଚାରରେ କମ୍ପୁଛି ମଇଦାନ । ନଭେମ୍ବର ୩ରେ ଭୋଟ୍ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.