୨୦୩୦ ସୁଦ୍ଧା ତୃତୀୟରେ ରହିବ ଭାରତୀୟ ଅର୍ଥବ୍ୟବସ୍ଥା, ଏମିତି ପଛରେ ରହିଯିବେ ୟୁକେ, ଜର୍ମାନୀ ଓ ଜାପାନ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬।୧୨: ଭାରତ ୨୦୨୫ ସୁଦ୍ଧା ବ୍ରିଟେନକୁ ପଛରେ ପକାଇ ଦୁନିଆର ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥାରେ ପରିଣତ ହେବ। ୨୦୩୦ ସୁଦ୍ଧା ତୃତୀୟ ସ୍ଥାନରେ ପହଞ୍ଚିବ। କରୋନା ଭାଇରସ ମହାମାରୀରେ ପ୍ରଭାବିତ ୨୦୨୦ରେ ଭାରତୀୟ ଅର୍ଥବ୍ୟବସ୍ଥା ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛି। ଭାରତ ୨୦୧୯ରେ ବ୍ରିଟେନ୍‌କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା।

ବ୍ରିଟେନର ପ୍ରମୁଖ ଆର୍ଥିକ ଅନୁସନ୍ଧାନ ସଂସ୍ଥାନ ସେଣ୍ଟର ଫର ଇକୋନୋମିକ ଆଣ୍ଡ ବିଜନେସ୍ ରିସର୍ଚ୍ଚ(ସିଇବିଆର)ର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ମହାମାରୀ କାରଣରୁ ଭାରତର ଅର୍ଥନୀତି ନିମ୍ନଗାମୀ ହୋଇଛି। ଫଳରେ ୨୦୧୯ରେ ବ୍ରିଟେନକୁ ଅତିକ୍ରମ କରିବା ପରେ ଚଳିତ ବର୍ଷ ପୁଣି ଥରେ ଖସି ଆସିଛି। ବ୍ରିଟେନ୍ ୨୦୨୪ ପର୍ଯ୍ୟନ୍ତ ଆଗରେ ରହିବ ଏବଂ ଏହା ପରେ ଭାରତ ପୁଣି ଥରେ ଅତିକ୍ରମ କରିଯିବ।

ଅର୍ଥନୀତିଜ୍ଞଙ୍କ ମତରେ ଭାରତୀୟ ମୁଦ୍ରା ଟଙ୍କା ଦୁର୍ବଳ ହେବାରୁ ୨୦୨୦ରେ ବ୍ରିଟେନ୍‌ ପୁଣି ଥରେ ଉପରକୁ ଉଠିଛି। ରିପୋର୍ଟରେ ଅନୁମାନ କରାଯାଇଛି ଯେ ୨୦୨୧ରେ ଭାରତର ବୃଦ୍ଧିହାର ୯ ପ୍ରତିଶତ ଓ ୨୦୨୨ରେ ୭ ପ୍ରତିଶତରେ ରହିବ। ସିଇବିଆର ମତରେ ଭାରତ ଯେମିତି ଯେମିତି ଆର୍ଥିକ ଭାବେ ଅଧିକ ବିକଶିତ କରିବ ଦେଶର ଅଭିବୃଦ୍ଧିହାର ମନ୍ଥର ହୋଇ ଚାଲିବ। ୨୦୩୫ ସୁଦ୍ଧା ଏହା ୫.୮ ପ୍ରତିଶତରେ ରହିବ।

ଅର୍ଥବ୍ୟବସ୍ଥା ଆକାରରେ ଭାରତ ୨୦୨୫ରେ ବ୍ରିଟେନକୁ, ୨୦୨୭ରେ ଜର୍ମାନୀକୁ ଓ ୨୦୩୦ରେ ଜାପାନକୁ ଅତିକ୍ରମ କରିବ। ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଚୀନ ୨୦୨୮ରେ ଆମେରିକାକୁ ପଛରେ ପକାଇ ବିଶ୍ଵର ସବୁଠୁ ବଡ ଅର୍ଥବ୍ୟବସ୍ଥାରେ ପରିଣତ ହେବ। ୨୦୧୯ରେ ଅଭିବୃଦ୍ଧିହାର ୪.୨ ପ୍ରତିଶତ ରହିଥିଲା ଯାହା ୧୦ ବର୍ଷର ସର୍ବନିମ୍ନ ବୃଦ୍ଧିହାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.